ଭୋଟ୍ ପାଇଁ ଟଙ୍କାକୁ ଅସ୍ତ୍ର କରିଛି ବିଜେଡି: ବିଜେପି

ଭୁବନେଶ୍ବର: ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି। ଦୀର୍ଘ ୨୨ବର୍ଷ ଧରି ଶାସନ କରିବା ପରେ ହରିଲୁଟ୍ କରି ଉପାର୍ଜନ କରିଥିବା ଟଙ୍କାକୁ ଦଳୀୟ ସ୍ବାର୍ଥ ପାଇଁ ବ୍ୟବହାର କରୁଛି। ଏନେଇ ଆଜି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ବାଳ ନିର୍ବାଚନ କମିସନଙ୍କୁ ଭେଟି ଟଙ୍କା ବାଣ୍ଟୁଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି।

ବିଜେପିର ଅଭିଯୋଗ ଅନୁଯାୟୀ, ବିଏମ୍‌ସିର ୬୩ ନମ୍ବର ଵାର୍ଡର ବିଜେଡି କର୍ପୋରେଟର୍ ପ୍ରାର୍ଥିନୀ ରୁନୁ ଜେନା ଗତକାଲି ରାତିରେ ଏକ ବସ୍ତି ଅଞ୍ଚଳରେ ଲୋକଙ୍କୁ ଟଙ୍କା ଦେଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। କିନ୍ତୁ ସଂପୃକ୍ତ ପ୍ରାର୍ଥିନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଅନ୍ୟ ୱାର୍ଡରେ ମଧ୍ୟ ଆଜି ଶାସକ ଦଳ ପକ୍ଷରୁ ଟଙ୍କା ବଣ୍ଟାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ବିଶ୍ବାଳଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ଓବିସି ମୋର୍ଚ୍ଚାର ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି, ମହିଳା ମୋର୍ଚ୍ଚାର ଗଣମାଧ୍ୟମ ସଂଯୋଜକ ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷରେ ରୁନୁ ଜେନା ଏହି ଭିଡିଓକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଭିଡିଓ ବାବଦରେ ସେ କିଛି ଜାଣିନାହାନ୍ତି କି କାହାକୁ ଟଙ୍କା ବାଣ୍ଟି ନାହାନ୍ତି। ବିରୋଧୀ ହାରିବା ଭୟରେ ମିଛ ଅପପ୍ରଚାର କରୁଛନ୍ତି।

ସମ୍ବନ୍ଧିତ ଖବର