ବିଜେଡି ଜନସମ୍ପର୍କ ପଦଯାତ୍ରାରେ ପୂର୍ବତନ କର୍ପୋ‌ରେଟର୍‌, ପ୍ରାର୍ଥୀ ହେବାକୁ ଏବେଠୁ ଆଶାୟୀ

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ କେବେ ହେବ ସ୍ଥିର ହୋଇନି। ତେବେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବିଏମ୍‌ସିର ୨୫ଟି ୱାର୍ଡରେ ଆଶାୟୀ କର୍ପୋରେଟର ପ୍ରାର୍ଥୀଙ୍କ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ବିଜେଡିରୁ ପୁଣିଥରେ ଟିକେଟ୍‌ ହାତେଇବାକୁ ପୂର୍ବତନ କର୍ପୋରେଟରମାନେ ଲାଗି ପଡ଼ିଥିବା ବେଳେ ନୂଆ ନେତାମାନେ ମଧ୍ୟ ପ୍ରାର୍ଥୀ ହେବା ଲାଗି ଲବି ଆରମ୍ଭ କରିଥିବା ସାଲିଆ ସାହିରେ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି।

ଆଶାୟୀ ପ୍ରାର୍ଥୀମାନେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିକଟତର ହେବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି। ମଞ୍ଚରେ ଭାଷଣ ଦେବା ଲାଗି ସବୁପ୍ରକାର ଉଦ୍ୟମ କରିଥିଲେ। ‌ପରିସ୍ଥିତି ଏମିତି ହୋଇଥିଲା ଯେ ମଞ୍ଚ ପରିଚାଳନା କରୁଥିବା ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର କାହାକୁ କହିବାକୁ ଡାକିବେ ଓ କାହାକୁ ଛାଡ଼ିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ। ଏହାରି ଭିତରେ ପୂର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନା, ବାସନ୍ତୀ ସିଂ, ଝୁନୁବାଳା ଦେଇ, ସଞ୍ଜୟ ସେଠୀ, ନିର୍ମଳ ରାଉତ, ସମୀର ପ୍ରଧାନ, ମାନସୀ ସୁନ୍ଦରାୟ, ସୂର୍ଯ୍ୟକାନ୍ତି ଜେନା, କୁନାଲ ରାଉତ, ମିହିର କୁମାର ରାଉତ, ହରୀଶ ମୁର୍ମୁ, ପ୍ରୀତିନନ୍ଦା ରାଉତରାୟ, ମନୋଜ ସାହୁ ପ୍ରମୁଖ ବକ୍ତବ୍ୟ ରଖି ବିଧାୟକ ଶ୍ରୀ ରାଉତଙ୍କ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଆହ୍ବାନ ଦେଇଥିଲେ। ଆଶାୟୀ କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ମହିଳା କୀର୍ତ୍ତନ ଦଳ‌‌ରେ ଆସି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତ ଆଉ କିଏ ଝାଞ୍ଜ, ଖୋଳ, ଶଙ୍ଖ ଧରି ଶୋଭାଯାତ୍ରାରେ ଆସି ସଭା‌ସ୍ଥଳରେ ପହଞ୍ଚିଥିଲେ। ମହିଳା କୀର୍ତ୍ତନ ଦଳଙ୍କ ବ୍ୟତୀତ ଘୋଡ଼ା ନାଚ, ଆଦିବାସୀ ନୃତ୍ୟ ଆଦି ବି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଉତ୍ସବରେ ସଭାପତିତ୍ବ କରି ବିଧାୟକ ଶ୍ରୀ ରାଉତ କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାହାକୁ ସାକାର କରିବା ଆମ ଦାୟିତ୍ବ। ‘ମୋ ସରକାର’, ‘୫-ଟି’ ପରେ ଏବେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡିର କର୍ମୀମାନେ ପ୍ରତି ପରିବାର ନିକଟରେ ପହଞ୍ଚିବା ଲାଗି ସେ ଆହ୍ବାନ ଦେଇଥିଲେ।

ଟ୍ରାଫିକ୍‌ ପରିଚାଳନା କଲେ ଡିସିପି
ଜନସମ୍ପର୍କ ପଦଯାତ୍ରାରେ ପ୍ରବଳ ଜନସମାଗମ ହେବାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଗାଡ଼ି ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପହଞ୍ଚି ଟ୍ରାଫିକ୍‌ ପରିଚାଳନା କରିଥିଲେ। ଜାଭିୟର ଛକ, ମହାତ୍ମା ଗାନ୍ଧୀ ପାର୍କ ନିକଟରେ ଛିଡ଼ା ହୋଇ ଗାଡ଼ିଗୁଡ଼ିକୁ ଆଗକୁ ଛାଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଜପେୟୀ ନଗର ପଡ଼ିଆରେ ପହଞ୍ଚିଲା ବେଳକୁ ସମ୍ପୂର୍ଣ୍ଣ ପଡ଼ିଆ ଭର୍ତ୍ତି ହୋଇଯାଇଥିଲା। ବହୁ ଲୋକ ରାସ୍ତା ଉପରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିଥିଲେ।

ସମ୍ବନ୍ଧିତ ଖବର