କୋର୍ଟ ସତ୍ୟପାଠ ମାଗିବା ପରେ, ଜରିମାନା ଦେଲେ ବିଜେଡି କର୍ମୀ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଶୋଭାଯାତ୍ରା କରିବା ବିଜେଡିକୁ ମହଙ୍ଗା ପଡ଼ିଛି। ବିନା ହେଲ୍‌ମେଟ୍‌ର ଶୋଭାଯାତ୍ରାର ଏକ ଫଟୋ ଟ୍ବିଟର୍‌ରେ ଅପ୍‌ଲୋଡ୍‌ ହେବା ପରେ କାର୍ଯ୍ୟାନୁଷ୍ଠାନ ଶୂନ ହେବାରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ସଂଶୋଧିତ ମୋଟର ଯାନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ ‌ସେ ନେଇ ଏକ ସତ୍ୟପାଠ ଦାଖଲ କରିବା ପାଇଁ ପୁଲିସ ଡିଜିଙ୍କୁ ଆଦେଶ ଦେଇଥିଲେ। ଏଭଳି ଆଦେଶ ଆସିବା ପରେ ଆଜି ଏକ ବିଚିତ୍ର କଥା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ଭାଗ ନେଇଥିବା ୪୦ ଜଣ ଜରିମାନା ଅର୍ଥ ଜମା କରିଛନ୍ତି। ଭୁବନେଶ୍ବର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ଏହି ୪୦ ଜଣ ଏଜି ଛକ ଟ୍ରାଫିକ୍‌ ଥାନାରେ ପହଞ୍ଚିବା ପ‌ରେ ତାଙ୍କ ଠାରୁ ହଜା‌ରେ ଟଙ୍କା ଲେଖାଏ ୪୦ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ଏନେଇ ବିଧାୟକ ଶ୍ରୀ ଜେନା କହିଛନ୍ତି, କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି। ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇବା ଉଚିତ୍‌ ନୁହେଁ। ଆମେ ଏହି ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରୁଛୁ। କିନ୍ତୁ ଶୋଭାଯାତ୍ରାରେ ଏ ଦିଗ ଉପରେ ଧ୍ୟାନ ଦିଆଯାଇ ନଥିବାରୁ ଆଜି ଏହି ଜରିମାନା ଅର୍ଥ ଜମା କରାଯାଇଛି ବୋଲି କହିଛନ୍ତି। ବାସ୍ତବରେ ହାଇକୋର୍ଟଙ୍କ ଆଦେଶ ଯୋଗୁଁ ବିଜେଡି କର୍ମୀ ଛାନିଆଁ ହୋଇ ଜରିମାନା ଦେଇଥିବା ଜଣାପଡ଼ିଛି। ତେବେ ବିନା ହେଲ୍‌ମେଟ୍‌ରେ ଶୋଭାଯାତ୍ରାର ଏକ ଫଟୋ ଟ୍ବିଟରରେ ଅପ୍‌ଲୋଡ୍‌ ହେବା ପରେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ୧୨ ଜଣଙ୍କୁ ଚିହ୍ନଟ କରି ଚାଲାଣ ପଠାଇଥିଲା। ସେହି ୧୨ ଜଣ ଏହି ଅର୍ଥ ଜମା କରି ସାରିଛନ୍ତି। ଏବେ ୪୦ ଜଣଙ୍କୁ ମିଶାଇ ୫୨ ଜଣ ଜରିମାନା ଜମା କରିଛନ୍ତି।

ସମ୍ବନ୍ଧିତ ଖବର