ବିଜୁ ଜନତା ଦଳର ଭୁବନେଶ୍ବର ଜିଲ୍ଲା ସାଂଗଠନିକ କାର୍ଯ୍ୟକାରିଣୀରେ ନିଷ୍ପତ୍ତି, ୬ ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ବର : ବିଜୁ ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ଆଗାମୀ ଦିନରେ ୬ ଲକ୍ଷ୍ୟ ସଭ୍ୟ ସଂଗ୍ରହ କରିବ। ଆଜି ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ ଵାର୍ଡ ଓ ପଞ୍ଚାୟତରେ ପଦଯାତ୍ରା କରି ଅଧିକରୁ ଅଧିକ ଲୋକଙ୍କୁ ଦଳ ସହିତ ଯୋଡ଼ିବାକୁ ପ୍ରୟାସ କରାଯିବ। ଏ ନେଇ ଏକ ବିସ୍ତୃତ ଖସଡ଼ା କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତୁତ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ସଭ୍ୟ ସଂଗ୍ରହ ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି।

ରବିବାର ସ୍ଥାନୀୟ ଟଙ୍କପାଣି ରୋଡ୍‌ ସାଇବାବା ମନ୍ଦିର ପାଖ ସାଇ କନଭେନସନ୍‌ ହଲରେ ବିଜେଡି ଭୁବନେଶ୍ବର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭୁବନେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ସଭ୍ୟ ସଂଗ୍ରହ ଅଭିଯାନର ରାଜ୍ୟସ୍ତରୀୟ କମିଟି ଆବାହକ ଦେବୀପ୍ରସାଦ ମିଶ୍ରଙ୍କ ସମେତ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ବି ଉପସ୍ଥିତ ଥିଲେ। ବୈଠକର ନିଷ୍ପତ୍ତି ସମ୍ପର୍କରେ ଆବାହକ ଦେବୀପ୍ରସାଦ ମିଶ୍ର କହିଥିଲେ, ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ୬୭ଟି ଵାର୍ଡ ଓ ଭୁବନେଶ୍ବର ସହରକୁ ଲାଗିଥିବା ୧୧ଟି ପଞ୍ଚାୟତକୁ ନେଇ ବିଜୁ ଜନତା ଦଳର ସାଂଗଠନିକ ଜିଲ୍ଲା ଗଠନ କରାଯାଇଛି। ମୋଟ ୮ ଲକ୍ଷ ଭୋଟରଙ୍କ ଭିତରୁ ଅକ୍ଟୋବର ୩୧ ତାରିଖ ଭିତରେ ୬ ଲକ୍ଷଙ୍କୁ ବିଜେଡି ସଭ୍ୟ କରିବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ସଂଗଠନ ଜିଲ୍ଲା ସଭାପତି, ପ୍ରତ୍ୟେକ ବିଧାୟକଙ୍କୁ ଟାର୍ଗେଟ୍ ଦିଆଯାଇଛି। ଚଳିତବର୍ଷ ସଭ୍ୟ ସଂଗ୍ରହ ଅଭିଯାନର ମାର୍ଗଦର୍ଶିକା ଅନୁଯାୟୀ, ମହାନଗର ନିଗମ ପାଇଁ ପ୍ରତିଟି ଵାର୍ଡରୁ ୪୦ଜଣ ସକ୍ରିୟ ସଭ୍ୟ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଛି। ଯେଉଁଥିରେ ୧୫ ଜଣ ମହିଳା ରହିବା ବେଳେ ବାକି ୨୫ଜଣ ପୁରୁଷ ସଭ୍ୟ ରହିବେ। ଏହାସହ ପ୍ରତ୍ୟେକ ପଞ୍ଚାୟତର ପ୍ରତିଟି ଵାର୍ଡରୁ ୪ ଜଣଙ୍କୁ ସକ୍ରିୟ ସଭ୍ୟ ଭାବେ ନିଆଯିବ। ଦଳର ପ୍ରାଥମିକ ସଦସ୍ୟ ପାଇଁ ୨୫ଟି ଫର୍ମ ଥିବା ଗୋଟିଏ ବହି ଯୋଗାଇ ଦିଆଯିବ। ଯେଉଁଥିରେ କି ସମ୍ଭାବ୍ୟ ସକ୍ରିୟ ସଦସ୍ୟ ଓ ସଦସ୍ୟା ନିଜର ପ୍ରାଥମିକ ସଦସ୍ୟତା ସହ ଆଉ ୨୪ଜଣ ପ୍ରାଥମିକ ସଦସ୍ୟ ଓ ସଦସ୍ୟା ଗ୍ରହଣ କରିବେ। ଏଥିରେ ମହିଳା, ଯୁବକ, କୃଷକ ତଥା ବିଭିନ୍ନ ବର୍ଗଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିବା ନେଇ ଶ୍ରୀ ମିଶ୍ର କହିଥିଲେ।

ସଭ୍ୟ ସଂଗ୍ରହ ନେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ପ୍ରତିବର୍ଷ ପରି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ପକ୍ଷରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ତାରିଖ ଅର୍ଥାତ୍ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ। ମୁଖ୍ୟମନ୍ତ୍ରୀ ଦେଇଥିବା ୫‘ଟି’ ଚାର୍ଟର ନେଇ ଏହି ପଦଯାତ୍ରା ସମୟରେ ଲୋକଙ୍କୁ ଅବଗତ କରାଯିବ। ଏହାସହ ସଭ୍ୟ ସଂଗ୍ରହ ବେଳେ ସବୁ ବର୍ଗର ଲୋକଙ୍କୁ ଅଧିକରୁ ଅଧିକ ଯେପରି ଦଳରେ ସାମିଲ କରାଯାଇପାରିବ, ତା’ ଉପରେ ଆଜି ବୈଠକରେ ଆଲୋଚନା ହୋଇଛି। ଅହିଂସାକୁ ଅଗ୍ରାଧିକାର ଦେଇ ନୂତନ ଭାବେ ସଭ୍ୟ ହେଉଥିବା ବ୍ୟକ୍ତିଙ୍କୁ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ପ୍ରତିବଦ୍ଧତା ବିଷୟରେ ସଚେତନ କରାଯିବ। ପଦଯାତ୍ରାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେତେ ଲୋକଙ୍କୁ ଦଳର ସଭ୍ୟ କରିବାକୁ ନିଷ୍ପତ୍ତି ହୋଇଛି ସେ ସମ୍ପର୍କରେ ଜାଣିବାକୁ ଫୋନ୍ କରି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ବର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର-ଉତ୍ତର ବିଧାୟକ ସୁଶାନ୍ତ ରାଉତରାୟ, ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ବିଜୁ ଯୁବଜନତା ଦଳ ସଭାପତି ତଥା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ର, ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା, ପୂର୍ବତନ ବିଧାୟକ ବିଜୟ ମହାନ୍ତି, ଗୃହ ନିଗମ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ୧୨୦୦ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର