ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନ୍ର ଦ୍ୱିତୀୟ ପ୍ରବେଶ ପଥ ଉଦ୍ଘାଟନ କରିବାକୁ ଶନିବାର ଆସିଥିବା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଦେଇ ନ ପାରିବାକୁ ବିରୋଧ କରିଛି ଯୁବ ଓ ଛାତ୍ର ବିଜେଡି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଉଭୟ ସଙ୍ଗଠନର ଛାତ୍ର ଓ ଯୁବକ ଅପରାହ୍ଣରେ ୟୁନିଟ୍-୬ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବାଇକ୍ ଶୋଭାଯାତ୍ରାରେ ଆସି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ଦାସବର୍ମା କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଲୋକପ୍ରିୟ ସରକାରକୁୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସରକାରୀ ଗସ୍ତକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇ ବଦନାମ କରାଯାଉଛି। ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ବିଜେପି ଅସହିଷ୍ଣୁ ହୋଇପଡ଼ିଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଏଥିରେ ନିବୃତ୍ତ ନ ରହିଲେ ଆଗାମୀ ଦିନରେ ଏହାର ଜବାବ୍ ଦିଆଯିବ ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିକ୍ଷୋଭରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ର୍ରତାପ ପାତ୍ର, ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଉପଦେଷ୍ଟା କୁନବିହାରୀ ଦାସ, ସୁନୀଲ ପ୍ରଧାନ, ଅମରେଶ ଜେନା, ଉପ ସଭାପତି ସନ୍ତୋଷ ବେଜ, ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ଜେନା, ଧୃତି ମାର୍ଥା, ବିଜେଡି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଜୋନ୍ ଛାତ୍ର ସଭାପତି ଅଜିତ୍ ବେହେରା, ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।