ଭୁବନେଶ୍ବର: ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି। ବିଦ୍ରୋହ ଏଡ଼ାଇବାକୁ ରାଜ୍ୟ ପରିଷଦ ଓ କାର୍ଯ୍ୟକାରୀ କମିଟିକୁ ବେଶ୍‌ ସତର୍କତାର ସହ ଗଠନ କରାଯାଇଥିଲେ ବି ତାହାକୁ ନେଇ ବିବାଦ ତୀବ୍ର ହେବ‌ାରେ ଲାଗିଛି। ରାଜ୍ୟ ପରିଷଦରେ ସ୍ଥାନ ପାଇ ନଥିବା ଭୁବନେଶ୍ବରର ବିଜେଡି କର୍ପୋରେଟର ଅମରେଶ ଜେନା ଦଳର କୋର୍‌ କମିଟିରେ ଥିବା ନେତାଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ସେ ଓ ତାଙ୍କ ସମର୍ଥକମାନେ ଗତକାଲି ବିଳମ୍ବିତ ରାତିରେ ସଞ୍ଜୟ ଦାସବର୍ମାଙ୍କ ଘରେ ହୋହଲ୍ଲା କରିଥିଲେ। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍‌ ସମର୍ଥକ ଭାବେ ପରିଚିତ ଅମ‌ରେଶଙ୍କ ଏହି ବିଦ୍ରୋହ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିର ରାଜ୍ୟ ପରିଷଦରେ କେଉଁମାନେ ସ୍ଥାନ ପାଇଛନ୍ତି, ତାହା ଏ ଯାଏ ସ୍ପଷ୍ଟ ହୋଇଛି। ପରିଷଦର ସଦସ୍ୟ ଥିବା ୩୫୫ ଜଣଙ୍କ ନାମ ସାର୍ବଜନୀନ କରାଯାଇନି। ଏପରିକି ପୂର୍ଣାଙ୍ଗ ପରିଷଦ ଗଠନ ହୋଇନି ବୋଲି ଅନୁମାନ କରାଯାଉଛି। କିନ୍ତୁ ଗତ ୧୯ ତାରିଖରେ ଶଙ୍ଖ ଭବନରେ ହୋଇଥିବା ରାଜ୍ୟ ପରିଷଦ ବୈଠକକୁ ଯେଉଁମାନଙ୍କୁ ଡକାଯାଇଥିଲା, ସେମାନେ ହିଁ ପରିଷଦର ସଦସ୍ୟ ବୋଲି ଧରିନିଆଯାଇଛି। ତେବେ ସେହି ସଂଖ୍ୟା ପ୍ରାୟ ୩୦୦ ବୋଲି କୁହାଯାଉଛି। ପରିଷଦର ବୈଠକକୁ ପ୍ରଫୁଲ୍ଲ ମଲ୍ଲିକ ଓ ଶଶୀଭୂଷଣ ବେହେରାଙ୍କ ପରି ବରିଷ୍ଠ ନେତାଙ୍କୁ ଡକାଯାଇ ନଥିଲା। ଏ ନେଇ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ବିଜେଡିର ବିଏମ୍‌ସି କର୍ପୋରେଟର ଅମରେଶ ଜେନାଙ୍କୁ ପରିଷଦର ସଦସ୍ୟ ରଖାଯାଇନି ବୋଲି କୁହାଯାଉଛି। ଏହା ଜଣାପଡ଼ିବା ପରେ ଗତକାଲି ଅମ‌ରେଶଙ୍କ ସମର୍ଥକମାନେ ଖାରବେଳ ନଗରସ୍ଥିତ ସଞ୍ଜୟ ଦାସବର୍ମାଙ୍କ ଘରେ ହୋହଲ୍ଲା କରିଥିଲେ। ଅଧିକ ଗଣ୍ଡଗୋଳ ଆଶଙ୍କାରେ ସେଠାରେ ପୁଲିସ ପହଞ୍ଚିଥିଲା। ସଞ୍ଜୟ ମଧ୍ୟ ସେମାନଙ୍କୁ ବୁଝାସୁଝା କରିଥିଲେ। 

Advertisment

ଅମରେଶ ଆଜି ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ଦଳ ପାଇଁ ସବୁବେଳେ ନିଷ୍ଠାର ସହ କାମ କରୁଛୁ। କିନ୍ତୁ କିଛି ହାରୁ ନେତା ଆମର ଗୁରୁତ୍ବ ହ୍ରାସ କମାଇବାକୁ ଉଦ୍ୟମ କରୁଛନ୍ତି। ୪/୫ ଜଣ ନେତା ଏମିତି କରିବାକୁ ଚାହୁଛନ୍ତି। ଏମାନେ ନବୀନ ପଟ୍ଟନାୟକଙ୍କ ପାଖ ଲୋକ ହେବାକୁ ଉଦ୍ୟମ କରୁଛନ୍ତି। ଏମାନେ ପ୍ୟାରୀ ବାବୁଙ୍କୁ ବୁଡ଼ାଇଥିଲେ। ଏବେ ନବୀନ ବାବୁଙ୍କୁ ବୁଡ଼ାଇବେ। ବିଜେଡି କର୍ପୋରେଟର ବିରଞ୍ଚି ମହାସୂପକାର ମଧ୍ୟ ଦଳର ଏହି ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ଯୁବ ନେତାଙ୍କୁ ବରିଷ୍ଠମାନେ ଆଗକୁ ଛାଡ଼ୁ ନାହାନ୍ତି। ଆମକୁ ଦଳୀୟ କାର୍ଯ୍ୟକ୍ରମକୁ ଡକାଯାଉନି। ଆମେ ସଭାପତିଙ୍କୁ ଭେଟି ଜଣାଇବୁ ବୋଲି ସେ କହିଛନ୍ତି। ତେବେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଅମରେଶଙ୍କ ସମର୍ଥକ ସଞ୍ଜୟଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ପରିଷଦ ତାଲିକା ତ ଏ ଯାଏ ପ୍ରକାଶ ପାଇନି। 

ଖୋଲା ବିଦ୍ରୋହ କଲେ ଅମରେଶ 
ପାଣ୍ଡିଆନ-ପ୍ରଣବଙ୍କ ଚାଲ୍‌ ନେଇ ଚର୍ଚ୍ଚା 
ଏବେ ଗୋଷ୍ଠୀ ବିବାଦ ତୀବ୍ର

ଅମରେଶଙ୍କ ଏପରି ଖୋଲା ବିଦ୍ରୋହ ପଛରେ କିଏ, ତାହାକୁ ନେଇ ଏବେ ଦଳୀୟ ମହଲରେ ତନାଘନା ଚାଲିଛି। ପୂର୍ବରୁ ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ଅମରେଶ ଏଥର ଅନ୍ୟ ନେତାମାନଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ କରିଛନ୍ତି। ସିଧାସଳଖ କୋର୍‌ କମିଟି(ସପ୍ତରଥୀ)ର ୪/୫ ଜଣ ସଦସ୍ୟଙ୍କୁ ଭର୍ତ୍ସନା କରିଛନ୍ତି। ତେଣୁ ଏହା ପଛରେ ଏକ ବଡ଼ ଷଡ୍‌ଯନ୍ତ୍ର ଥିବାର ଦଳୀୟ ନେତାମାନେ ଅନୁମାନ କରୁଛନ୍ତି। ରାଜ୍ୟ ପରିଷଦରୁ ଅମରେଶଙ୍କ ନାମ ବାଦ୍ ଦେବାକୁ ସଞ୍ଜୟ ଦାସବର୍ମା ସୁପାରିସ କରିଛନ୍ତି ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ପ୍ରଶ୍ନ ଉଠୁଛି, ସଞ୍ଜୟ ସୁପାରିସ୍‌ କରିଛନ୍ତି ବୋଲି ତାହା ଅମରେଶ ଜାଣିଲେ କେମିତି? ରାଜ୍ୟ ପରିଷଦ ସଦସ୍ୟଙ୍କ ନାଁ ଜଣାପଡ଼ି ନଥିଲା ବେଳେ ଅମରେଶଙ୍କ ନାଁ ସେଥିରେ ନାହିଁ ବୋଲି କିପରି ଜଣାପଡ଼ିଲା? ଅଶୋକ ଓ ଅନନ୍ତଙ୍କ ବିରୋଧରେ ସବୁବେଳେ ବିଷୋଦ୍‌ଗାର କରୁଥିବା ଅମରେଶ ହଠାତ ଅନ୍ୟ ବରିଷ୍ଠ ନେତାଙ୍କୁ କାହିଁକି ଟାର୍ଗେଟ୍‌ କଲେ? 

ତେଣୁ ଉପରକୁ ଏକାଠି ହୋଇ ସାତ ଜଣ ନେତା ଦଳର ଯୋଜନା ପ୍ରଣୟନ କରୁଥିଲେ ବି ସେମାନଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ବଢ଼ିବାରେ ଲାଗିଛି। ବିଶେଷକରି ପ୍ରଣବ ପ୍ରକାଶ ଦାସଙ୍କ ଭୂମିକାକୁ ନେଇ ସମସ୍ତେ ସନ୍ଦେହରେ ପଡ଼ିଯାଇଛନ୍ତି। ପ୍ରଣବଙ୍କ ଖାସ୍‌ ସମର୍ଥକଭାବେ ଅମରେଶ ଜଣାଶୁଣା ଥିବାରୁ ତାଙ୍କ ଭୂମିକା ଆହୁରି ବିବାଦୀୟ ହୋଇପଡ଼ିଛି। ଦଳର ଆଗଧାଡ଼ିରେ ରହିବାକୁ ଅଣ୍ଟା ଭିଡ଼ିଥିବା ନେତାମାନଙ୍କ ଡେଣା କାଟିବାକୁ ଏହା ପ୍ରଣବଙ୍କ ଚାଲ୍‌ ବୋଲି କୁହାଯାଉଛି। ଭି କେ ପାଣ୍ଡିଆନଙ୍କ ନିର୍ଦ୍ଦେଶ‌ରେ ହିଁ ଏହି ବିଦ୍ରୋହର ନୂଆ ନାଟକ ରଚନା କରାଯାଇଥିବା ରାଜନୈତିକ ମହଲରେ ଆକଳନ କରାଯାଉଛି। ସପ୍ତରଥୀଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଲେ ପୁଣି ଥିରେ ଦଳ ଉପରେ ପାଣ୍ଡିଆନ-ପ୍ରଣବଙ୍କ ନିୟନ୍ତ୍ରଣ ମଜଭୁତ ହେବ।