ଭୁବନେଶ୍ୱର: ମହିଁଷାଖାଲ ବସ୍ତିରେ ରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱର ବିଡିଏ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ଏହାସହ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରି ବିଡ଼ିଏ ସେକ୍ରେଟେରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଥିଲେ, ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଦେବାକୁ କହି ଭଣ୍ଡାଇ ଦେଇଛନ୍ତି ବିଜେଡ଼ି ସରକାର। ବିଡ଼ିଏ ପକ୍ଷରୁ ରାଜୀବ ଆବାସ ଯୋଜନାରେ ଘର ଦେବା ପୂର୍ବରୁ ଟଙ୍କା ନିଆଗଲା, ହେଲେ ଆକାଉଣ୍ଟରୁ ଟଙ୍କା କଟିବା ପରେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳି ଅଯୋଗ୍ୟ ହିତାଧୀକାରୀଙ୍କୁ ଘର ମିଳିବା ଦୁର୍ଭାଗ୍ୟର ବିଷୟ। ମହିଁଷାଖାଲ ବସ୍ତି ୱାର୍ଡ ନଂ ୫୬ ରେ ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ନିମନ୍ତେ ରାଜୀବ ଆବାସ ଯୋଜନାରେ ଗୃହଆବଣ୍ଟନ କରାଯାଇଥିଲା। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇଥିବା ବ୍ୟକ୍ତିମାନେ ସମ୍ପୂର୍ଣ ଅଯୋଗ୍ୟ। ଦୀର୍ଘ ୨୦ ବର୍ଷରୁ ଅଧିକ କାଳ ଧରି ବସ୍ତିବାସିନ୍ଦାଙ୍କୁ ଘର ନମିଳି ବିଜେଡ଼ି ନେତାମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଜଣକା ଦୁଇରୁ ଅଧିକ ଘର ଦେଇଦେଲେ, ବସ୍ତିର ବିଜେଡ଼ି ନେତା ଲକ୍ଷ ଲକ୍ଷ ଟଙ୍କା ନେଇ ଘର ମଧ୍ୟ ବିକିଲେ।
ଏମାନେ ୭ ବର୍ଷ ଧରି ବିଡ଼ିଏ, ବିଏମସି, ସ୍ଥାନୀୟ ମନ୍ତ୍ରୀଙ୍କ ଅଫିସ, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍- ସବୁଠିକୁ ଦୌଡ଼ିଲା ପରେ ମଧ୍ୟ କେହି ଶୁଣିନାହାନ୍ତି। ପ୍ରଶାସନ ତୁରନ୍ତ ଏକ କମିଟି କରି ସତ୍ୟତାକୁ ପରଖନ୍ତୁ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଦିଅନ୍ତୁ। ତା’ସହିତ ଅଯୋଗ୍ୟ ହିତଧୀକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରନ୍ତୁ। ନହେଲେ ଏହି ଆନ୍ଦୋଳନ ଆଗକୁ ଭୟଙ୍କର ହେବ ବୋଲି ଶ୍ରୀ ସିଂ କହିଥିଲେ। ଆଜିର ଏହି ବିକ୍ଷୋଭରେ ବିଜେପି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଦିଲ୍ଲୀପ ବେହେରା, ଅମରଜ୍ୟୋତି ଜଗଦ୍ଦେବ, ମୁରଲୀଧର ନାୟକ, ନାରାୟଣ ବସ୍ତିୟା, ସଂଗ୍ରାମ ନାୟକ, ବିନ୍ଦୁଲତା ବଳୀୟାରସିଂ, ଗୟାଧର ରଥ, ରାକେଶ ମହାନ୍ତି, ସଞ୍ଜୀବ ସିଂ, ରାଜକିଶୋର ଜେନା, ଶରତ ମହାନ୍ତି, ଦୀନବନ୍ଧୁ ବରାଳ, ସୁରଜ ମଣ୍ଡଳ, ଦେବ ସେଠୀ, ସୁଭାଷ ପଣ୍ଡା ଓ ବିରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।