ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୟୁନିଟ-୮ ଠାରେ ବିଜେପି ପ୍ରାର୍ଥୀଙ୍କ ଶୋଭାଯାତ୍ରା ବେଳେ ଆଜି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏପରିକି ପୁଲିସ ଉପସ୍ଥିତିରେ ଉଭୟ ପକ୍ଷ ପରସ୍ପରକୁ ଦଳୀୟ ପତାକା ଫୋପାଡ଼ିବା ସହ ଧକ୍କା ମରାମରି ହୋଇଛନ୍ତି। ବିଜେଡି କର୍ମୀମାନେ ବିଜେପିର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଢେଲା ମାଡ଼ କରିଥିବା ବିଜେପି ଅଭିଯୋଗ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ୟୁନିଟ-୮ସ୍ଥିତ ଗୋପବନ୍ଧୁ ସ୍ମୃତିସଦନ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ ହେବାର ଥିଲା। ଏଥିପାଇଁ ମଞ୍ଚ ବନ୍ଧା ସରିଥିବା ବେଳେ କର୍ମୀମାନେ ବି ଏକାଠି ହୋଇଥିଲେ। ହେଲେ ଅପରାହ୍ଣ ୪ଟାରେ ଭୁବନେଶ୍ବର ଏଡିଏମ୍ ତଥା ଏହି ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଏଠାରେ ସମାବେଶ ପାଇଁ ଅନୁମତି ଦେଇ ନଥିଲେ। ଏହାପରେ ବିଜେପି କର୍ମୀମାନେ ଓସ୍କାର ପଡ଼ିଆରେ ସମାବେଶ କରିବାକୁ ଅନୁମତି ମାଗିଥିଲେ ହେଁ ତାଙ୍କୁ ଅନୁମତି ମିଳି ନଥିଲା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସମାବେଶ ପାଇଁ ଅନୁମତି ନମିଳିବାରୁ ସେ ଆସି ନଥିଲେ। ଏହାପରେ ବିଜେପିର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ୟୁନିଟ-୮ ଡିଏଭି ସ୍କୁଲ ପଡ଼ିଆରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ପଦଯାତ୍ରା ଓ ବାଇକ୍ ଶୋଭାଯାତ୍ରା କରିଥିଲେ।
ଅପରପକ୍ଷେ ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ଗୋପବନ୍ଧୁ ସ୍ମୃତିସଦନ ପଡ଼ିଆରେ ସଂକଳ୍ପ ସମାବେଶ ହେବା ପୂର୍ବରୁ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ସମର୍ଥକମାନେ ପଡ଼ିଆ ଗେଟ୍ରେ ତାଲା ପକାଇବା ସହ ହୋର୍ଡିଂ ଚିରାଚିରି କରିଥିଲେ। ରିଟର୍ଣ୍ଣିଂ ଅଫିସର ବିଜେଡି ନେତାଙ୍କୁ ଏଥିରୁ ବାରଣ କରିବା ବଦଳରେ ଆମ ସମାବେଶକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରିଦେଲେ। ଏପରିକି ଆମେ ଶୋଭାଯାତ୍ରା କରୁଥିବା ବେଳେ ବିଜେଡି କର୍ମୀମାନେ ପୁଲିସ ଉପସ୍ଥିତିରେ ଆମକୁ ଢେଲାମାଡ଼ କରିଥିଲେ। ଏଥିରେ ଶ୍ରୀ ପ୍ରଧାନ ଓ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସମେତ ବହୁ କର୍ମୀଙ୍କ ଦେହରେ ଢେଲାମାଡ଼ ହୋଇଛି। କିନ୍ତୁ ପୁଲିସ ନିରବ ରହିଥିଲା। ଅପରାହ୍ଣରେ ସମାବେଶ ବାତିଲ୍ ହେବା ପରେ ଆଜି ସଂଧ୍ୟାରେ ବିଜେପି ପକ୍ଷରୁ ନୂଆପଲ୍ଲୀସ୍ଥିତ ୟୁରେକା କ୍ଲବ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ।