ଅନ୍ୟାନ୍ୟ କାର୍ଯ୍ୟକ୍ରମ ଥିବାରୁ ଯାଇପାରିଲିନି: ବିଧାୟକ
ଚନ୍ଦ୍ରଶେଖରପୁର : ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ରବିବାର ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକମହଲରେ ଚର୍ଚା ଆରମ୍ଭ ହୋଇଛି। ସାଢ଼େ ତିନିବର୍ଷ ହେବ ବିଧାୟକ ଶ୍ରୀ ମିଶ୍ର ବିଜେଡିର କୌଣସି କର୍ମୀଙ୍କ ସହ ସମ୍ପର୍କରେ ନ ଥିବାରୁ ଯୋଜନାବଦ୍ଧ ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ବିଧାୟକ ଏଥିରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଅନ୍ୟାନ୍ୟ କାର୍ଯ୍ୟକ୍ରମ ଥିବାରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନାହାନ୍ତି।
ଖୋର୍ଧା ଜିଲ୍ଲା ବିଜେଡି ଉପସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୁରୁଣା ଥାନା ନିକଟ ଏକ ଘରୋଇ ମଣ୍ଡପରେ ବିଜେଡି ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେଡି ସରକାରର ବିକାଶମୂଳକ କାର୍ଯ୍ୟକ୍ରମକୁ ଉତ୍ତର ନିର୍ବାଚନମଣ୍ଡଳୀରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିନ୍ତୁ ବିଧାୟକ କିମ୍ବା ତାଙ୍କ ସମର୍ଥକଙ୍କ ଦେଖା ମିଳିନଥିଲା।
ସାଢ଼େ ତିନିବର୍ଷ ହେଲା ବିଧାୟକ ଦଳୀୟ କିମ୍ବା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ କୌଣସି କାର୍ଯ୍ୟକ୍ରମ କରୁନାହାନ୍ତି। ତେଣୁ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରି କର୍ମୀମାନଙ୍କୁ ଏକତ୍ରିତ କରାଯିବା ଲକ୍ଷ୍ୟ ରଖାଯାଇଛି। ଯେଉଁ କାର୍ଯ୍ୟକ୍ରମ ବିଧାୟକ କରିବା କଥା, ତାହା ବିିଜେଡିର ସାଧାରଣ କର୍ମୀମାନେ କରୁଛନ୍ତି। ଆଗକୁ ଏହିଭଳି କାର୍ଯ୍ୟକ୍ରମ ପ୍ରତି ବୁଥ୍ସ୍ତରରେ କରାଯିବା ସହ ବିକଳ୍ପ ନେତୃତ୍ୱ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।
ଅପରପକ୍ଷେ ଏନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ କାରଣରୁ ସେ ଏହି ବନ୍ଧୁମିଳନରେ ଯୋଗ ଦେଇ ପାରିନଥିଲେ ବୋଲି କହିଥିଲେ। ବିଧାୟକ ଆସିବେ କହି କର୍ମୀମାନଙ୍କୁ ଡକାଯାଇଛି। ଏହା ବିଜେଡିର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ମାତ୍ର ଏହି କାର୍ଯ୍ୟକ୍ରମକୁ ବିଧାୟକଙ୍କୁ ଯୋଜନାବଦ୍ଧ ଭାବେ ନିମନ୍ତ୍ରଣ କରାଯାଇନଥିବା ଆୟୋଜକମାନେ କହିଛନ୍ତି। ତେବେ ବିଧାୟକ ଓ ଆୟୋଜକଙ୍କ କଥାରେ ତାଳମେଳ ନ ରହିବା ଏବେ ସାଧାରଣରେ ଚର୍ଚାର ଖୋରାକ୍ ଯୋଗାଇଛି।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ଯୁବ ଜନତା ଉପସଭାପତି ଗଗନ ପଣ୍ଡା, କୋଷାଧ୍ୟକ୍ଷ ରମେଶ ସାହୁ, ବିଜୁ ଯୁବ ଜନତା ଦଳ ଉପଦେଷ୍ଟା ସନ୍ତୋଷ ନାଥ, ନିର୍ମଳ ରାଉତ, ଛାତ୍ର ଜନତାର ରାଜ୍ୟ ସମ୍ପାଦକ ଜ୍ୟୋତିପ୍ରକାଶ ସାମଲ, ସାଧାରଣ ସମ୍ପାଦକ ତପନ ମଲ୍ଲିକ, ଉପସଭାପତି ପ୍ରଭୁଜିତ ବେହେରା, ଲଛମନ ରାଉତ, ବସନ୍ତ ସାମଲ ପ୍ରମୁଖଙ୍କ ସମେତ ବିଏମ୍ସିର ବିଭିନ୍ନ ଓ୍ଵାର୍ଡ଼ରୁ ବିଜେଡିର ଯୁବନେତାଙ୍କ ସମେତ ପାଞ୍ଚ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ, ଓ୍ଵାର୍ଡ ସଭ୍ୟ, ଭୁବନେଶ୍ୱର ବ୍ଲକ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ।