ଭୁବନେଶ୍ବର: ଭୁବନେଶ୍ୱର ପଞ୍ଚାୟତ ସମିତିର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ଆଜି ବିଜେଡି ଜିଲ୍ଲା କମିଟି ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ବିଜେଡି ପକ୍ଷରୁ ବିଭିନ୍ନ ଅଭିଯୋଗ ନେଇ ଏକ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବ ବିଧାୟକମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବିନିଯୋଗ ନ କରିବା, ନୂତନ ଜନହିତକର କାର୍ଯ୍ୟର ସମ୍ପୂର୍ଣ ସ୍ଥାଣୁତା ଓ ପଞ୍ଚାୟତ ସମିତିର ବିକାଶମୂଳକ କାର୍ଯ୍ୟ ବନ୍ଦ ରଖିବା, ସାମୂହିକ ସ୍ୱାର୍ଥକୁ ଅଗ୍ରାଧିକାର ନ ଦେଇ ବକେୟା ପ୍ରାପ୍ୟ ପୈଠ କରିବାରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ସେମାନେ ଅଭିଯୋଗ କରିଥିଲେ।
ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ବିଜେଡି ନେତା ଅମିୟ ଦାଶ, ମନ୍ମଥ ରାଉତରାୟ, ଡେପୁଟି ମେୟର ମଞ୍ଜୁଲତା କହଁର, ପ୍ରକାଶ ବସ୍ତିଆ, କର୍ପୋରେଟର ଶ୍ରୀଧର ବେହେରା, ଅଜିତ ବେହେରା, ମହାମାୟା ସ୍ୱାଇଁ, ଶିବ ପ୍ରସାଦ ବେହେରା, ନୃପେଶ ନାୟକ, କେ ଶାନ୍ତି, ସନ୍ତୋଷ ସିଂ, ଚନ୍ଦ୍ରଶେଖର ମଲ୍ଲିଆ, ଶିବ ନାରାୟଣ ରାୟଙ୍କ ସମେତ ଶତାଧିକ ଯୁବ ଛାତ୍ର ଓ ମହିଳା ସାମିଲ ହୋଇଥିଲେ।