ନିଜ ନିଶାରୁ ଜୀବନ ଜୀବିକା ସ୍ଥିର କରାଯାଇପାରେ

ବିଜେଇଏମ୍‌ ସ୍କୁଲ୍‌ ଡ୍ରିମ୍‌ସ୍‌ କ୍ଲବ୍‌ର ବାର୍ଷିକୋତ୍ସବ ‘ଆଜେନର୍‌’

ଭୁବନେଶ୍ୱର: ଖେଳକୁଦ, ନାଚ, ଗୀତଠାରୁ ଆରମ୍ଭ କରି ପାଠ୍ୟକ୍ରମ ବାହାରେ ସମସ୍ତ ପ୍ରକାର ଗତିବିଧି ପାଠ ଭଳି ସମାନ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଜୀବନକୁ ଉପଭୋଗ କରିବା ସହ ଭଲ ମଣିଷ ହେବା ଦିଗରେ ଉନ୍ମୁକ୍ତ ହୁଅନ୍ତି। କେବଳ ଏକ ଯୋଜନାବଦ୍ଧ ଜୀବନ ବଞ୍ଚି ଯୋଜନାକୁ ହାସଲ କରିବା ନୁହେଁ, ନିଜର ନିଶାକୁ ସଫଳ କରି ସେଥିରୁ ନିଜ ଜୀବନ ଜୀବିକା ସ୍ଥିର କରାଯାଇପାରେ। ନିଜ ରୁଚି ଥିବା କାମରେ ଧ୍ୟାନ ଦେଇ ନିଜକୁ ନିଜ ଅଭିଭାବକ, ସମାଜ ଓ ନିଜ ଆଗରେ ପ୍ରମାଣିତ କରାଯାଇପାରେ। ତେଣୁ ଆଜିର ଛାତ୍ରଛାତ୍ରୀମାନେ ପାଠ ସହ ନିଜ ପ୍ରତିଭାକୁ ପରିମାର୍ଜିତ କରିବାକୁ ଏକ ସମନ୍ଵୟ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଆଜି ସ୍ଥାନୀୟ ବିଜେଇଏମ୍‌ ସ୍କୁଲ୍‌ର ଡ୍ରିମ୍‌ସ୍‌ କ୍ଲବ୍‌ର ବାର୍ଷିକୋତ୍ସବ ‘ଆଜେନର୍‌’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡ଼ିଆର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ଅମ୍ରିତା ଭାରତୀ ପଣ୍ଡା ଉପସ୍ଥିତ ଥିଲେ।

ଏଥିରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଅଶ୍ୱିନୀ ତିଓ୍ଵାରୀ, ମହେଶ ପଟ୍ଟନାୟକ, ବିଦ୍ୟାଳୟ ଚେୟାରମ୍ୟାନ୍‌ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ କୁମାର ଜେନା, ଅତିରିକ୍ତ ମ୍ୟାନେଜର ସି.ଆର୍‌ ବନିସାଲ୍‌, ବିଦ୍ୟାଳୟ ଅଧ୍ୟକ୍ଷା ସନ୍ଧ୍ୟା ଜେନା ଓ ସନ୍ଧ୍ୟା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆତ୍ମ-ଶୃଙ୍ଖଳା ଓ ନିରନ୍ତର ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଚଳିତ ବର୍ଷ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ୍‌ର ବିଜେତା ବିଜେଇଏମ୍‌ ବିଦ୍ୟାଳୟ ଛାତ୍ର ରାଜେଶ କୁମାର ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର