ଚନ୍ଦ୍ରଶେଖରପୁର: ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିମଳ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ରାଜଧାନୀର ଛାତି ଉପରେ ଥିବା ସାଲିଆସାହିର ଅବସ୍ଥା ଦେଖିଲେ ତାହା ବେଶ୍‌ ଜଳଜଳ ହୋଇ ଦିଶୁଛି। କେବଳ ପ୍ରଚାରରେ ବିଶ୍ୱାସ କରୁଥିବା ରାଜ୍ୟ ସରକାରର ଅପାରଗତା କାରଣରୁ ସାଲିଆସାହିରେ ଡେଙ୍ଗୁ ରୋଗରେ ଏଯାବତ୍‌ ତିନି ତିନି ଜଣ ପ୍ରାଣ ହରାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁନି। ଏହାସହିତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ହିଁ ରାଜ୍ୟ ସରକାରଙ୍କ ବସ୍ତବାସିନ୍ଦାଙ୍କ ପ୍ରତି ଥିବା ଆନ୍ତରିକତାହୀନକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି । କେବଳ ସେତିକି ନୁହେଁ, ଡେଙ୍ଗୁ ମୁକାବିଲା ନେଇ ବିଜେପି ଶାସକ ଦଳକୁ ଘେରିବାକୁ ଯାଉଥିବା ଜଣାପଡ଼ିଛି।

Advertisment

ସାଲିଆସାହିରେ ଡେଙ୍ଗୁ ଅଣାୟତ୍ତ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସ୍ୱାସ୍ଥ୍ୟବିଭାଗ, ବିଏମ୍‌ସି ଓ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଉଦାସୀନତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ବିଜେପି। ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତିଙ୍କ ନେତୃତ୍ୱରେ ସାଲିଆସାହି ଯାଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଏବଂ ତାଙ୍କ ପରିବାରବର୍ଗ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଅମିୟ ଦାଶ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ, ମୀନାକ୍ଷି ପ୍ରିୟଦର୍ଶିନୀ, ଭୁବନେଶ୍ୱର ଜିଲ୍ଲା ବସ୍ତି ଉନ୍ନୟନ ପ୍ରକୋଷ୍ଠର ଅବାହାକ ଅଞ୍ଜନ ନାଥ ପ୍ରମୁଖ ଏହି ପ୍ରତିନିଧିଦଳରେ ସାମିଲ ଥିଲେ। ସାଲିଆସାହିରେ ବ୍ୟାପୁଥିବା ଡେଙ୍ଗୁକୁ ବିଜେପି ଏକ ପ୍ରସଙ୍ଗ କରିବା ନେଇ ସୂଚନା ମିଳିଛି। ଏହାକୁ ନେଇ ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ସରକାରଙ୍କୁ ଘେରିବା ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି।