ଭୁବନେଶ୍ବର: ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଉଭୟ ବିଜେପି ଓ ବିଜେଡି ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହୋଇଛନ୍ତି। ମେୟର ନିଜ ପଦରୁ ଇସ୍ତଫା ଦେବାକୁ ବିଜେପି ଦାବି କରିବା ସହ ପୂର୍ବ ଅଘଟଣରେ ପୀଡ଼ିତା ପରିବାରଙ୍କୁ ସରକାର କ’ଣ ସହଯୋଗ କରିଥିଲେ ବୋଲି ପ୍ରଶ୍ନ କରିଛି। ଅନ୍ୟପଟେ ସହଦେବଙ୍କୁ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି ସହ ପୁଲିସ୍ର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି।
ଗତକାଲି ବିଜେଡି ପକ୍ଷରୁ ଭୁବନେଶ୍ବରର ଦୁଇ ବିଧାୟକ ଓ ମେୟରଙ୍କ ସାମ୍ବାଦିକ ସମ୍ମିଳନୀରେ ହୋଇଥିବା ଅଭିଯୋଗର ବିଜେପି ଆଜି ଜବାବ ରଖିଛି। ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାଲଟା ଆକ୍ରମଣ କରିଛନ୍ତି। ସେମାନେ କହିଥିଲେ ଯେ ସହଦେବଙ୍କୁ ହତ୍ୟା ନେଇ ଆମେ ମର୍ମାହତ। ଆମ ନେତା ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି। ଏଥିରେ ଯାହାର ସମ୍ପୃକ୍ତି ଥାଉନା କାହିଁକି କାହାରିକୁ ଛଡ଼ାଯିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ୧୨ ଘଣ୍ଟା ମଧ୍ୟରେ ୫ଜଣକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ। ସହଦେବଙ୍କ ପତ୍ନୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦେବା ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ। ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସହଦେବଙ୍କ ପରିବାରକୁ ଭେଟିବେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେଡିର ରାଜନୀତିକରଣ ହାସ୍ୟାସ୍ପଦ। ସହଦେବଙ୍କ ପରିବାରକୁ ବିଜେଡି କୋଟିଏ ଟଙ୍କା ଦେବାକୁ ଦାବି କରୁଛି। କୋଟିଏ କ’ଣ ୧୦ କୋଟି ଦେଲେ ବି କମ୍ ହେବ। କିନ୍ତୁ ବିଜେଡି ୨୪ ବର୍ଷ ଧରି ସରକାରରେ ଥିବା ବେଳେ ଘଟିଥିବା ହତ୍ୟା ଓ ଡ୍ରେନରେ ପଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେ ଅର୍ଥ ଦେଇଛି? ଋଷି ହତ୍ୟାକାଣ୍ଡରେ ତତ୍କାଳୀନ ମେୟରଙ୍କ ସଂପୃକ୍ତି ଅଭିଯୋଗର ତଦନ୍ତ କୁଆଡେ ଗଲା? ବିଧାୟକ ସ୍ପଷ୍ଟ କରନ୍ତୁ। ଋଷି ହତ୍ୟା ମାମଲାର ଫାଇଲ୍ ଖୋଲିବା ପାଇଁ ଆମେ ସରକାରଙ୍କ ନିକଟରେ ଦାବି କରିବୁ। ସହଦେବ ପାଇଁ ଯଦି ସମବେଦନା ଅଛି ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୂରଣ ଦେଉ ବିଏମ୍ସି। ମେୟର ରାଜନୀତି କରିବା ପାଇଁ ସେହି ପଦବିରେ ବସି ନାହାନ୍ତି।
ମେୟରଙ୍କ ଇସ୍ତଫା ଦାବି କଲେ ବିଧାୟକ
ଋଷି ହତ୍ୟାକାଣ୍ଡର ତଦନ୍ତ କଥା ଉଖୁରାଇଲେ
ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି, ପୁଲିସକୁ ଟାଣିଲେ
ଶଙ୍ଖ ଭବନରେ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ଭିଡିଓ ଦେଖାଇ ପୁଲିସ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେଡି। ପୁଲିସ ଇନଫର୍ମର ସହଦେବ ସାହୁ ହତ୍ୟା ପଛରେ ପୁଲିସ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ ହେଉଥିବା ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି। ଏଥିସହ ପୂରା ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛି ଦଳ। ବିଧାୟକ ଶ୍ରୀ ଦାସ ଓ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି। ରାଜଧାନୀରେ ପୁଲିସ ମିତ୍ରକୁ ହତ୍ୟା, ତାଙ୍କ ବିଭାଗର ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ମୃତ୍ୟୁ ପୂର୍ବରୁ ଧମକ ନେଇ ପୁଲିସ୍କୁ ସହଦେବ ଜଣାଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ? କେବଳ ପାଞ୍ଚ ଜଣ ଅଭିଯୁକ୍ତ ନୁହେଁ, ଏଥିରେ ସଂପୃକ୍ତ ସମସ୍ତ ଷଡ଼ଯନ୍ତ୍ରକାରୀଙ୍କୁ ଧରାଯିବାର ଆବଶ୍ୟକତା ରହିଛି। ଗତ ନଭେମ୍ବର ମାସରେ ସହଦେବ ଦେଇଥିବା ଏକ ବୟାନରୁ ଜଣାପଡ଼ୁଛି ଯେ ସହଦେବ ନାୟକଙ୍କ ଘରକୁ ପୁଲିସର ଏକ ସ୍ପେସାଲ୍ ସ୍କ୍ବାର୍ଡ ଯାଇ ତାଙ୍କ ଘରେ ବ୍ରାଉନ ସୁଗାର ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲେ। ଜଣେ ପୁଲିସ ମିତ୍ରର ଘରେ ପଶି ତାକୁ ଧମକଚମକ ଦେବା ଓ ତା’ ଘରେ ବ୍ରାଉନସୁଗାର ରଖି ତାକୁ ଫସାଇବାକୁ ଉଦ୍ୟମ କରିବା ପାଇଁ ପୁଲିସକୁ କାହିଁକି ଆବଶ୍ୟକତା ପଡ଼ିଲା? ଯେହେତୁ ଏହି ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ, ତେଣୁ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡି ଦାବି କରୁଛି।