ସାଂସଦ ସଂଜୟ ସିଂଙ୍କ ଟାର୍ଗେଟ୍‌ରେ ବିଜେପି, ବିଜେଡି

ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଆପ୍‌, କୃତ୍ରିମ କୋଇଲା ସଙ୍କଟ ବିରୋଧରେ ଅଦାଲତର ଆଶ୍ରୟ ନେବୁ

ଭୁବନେଶ୍ବର: ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ପଞ୍ଚାୟତ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପ୍ରାର୍ଥୀ ଦେବ। ଏଥିପାଇଁ ଆବଶ୍ୟକ ଅର୍ଥ ଲୋକଙ୍କଠାରୁ ସଂଗ୍ରହ କରାଯିବ ଏବଂ ଲୋକମତ ଅନୁଯାୟୀ ଏହି ଅର୍ଥ ଖର୍ଚ ହେବ ବୋଲି କହିଛନ୍ତି ଆପ୍‌ର ଓଡ଼ିଶା ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ଏହାବ୍ୟତୀତ କୋଇଲା ସଂକଟ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ଶ୍ରୀ ସିଂହ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଖୁବ୍ ବର୍ଷିଛନ୍ତି।

ସଞ୍ଜୟ ସିଂହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିଥିଲେ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳୀୟ କର୍ମକର୍ତ୍ତାଙ୍କ ସହିତ ପାର୍ଟିର ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଲୋ‌ହିଆ ଏକାଡେମିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେ ଯେ ସେ ଓଡ଼ିଶାରେ ପାଠ ପଢୁଥିବା ସମୟରେ ବିଜୁ ପଟ୍ଟନାୟକଙ୍କ ଭଳି ଦୃଢ଼ ବ୍ୟକ୍ତିତ୍ବ ରାଜ୍ୟରେ ପ୍ରମୁଖ ନେତା ଥିଲେ। ଯିଏକି ସର୍ବଦା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢ଼େଇ କରୁଥିଲେ। ମାତ୍ର ନବୀନ ପଟ୍ଟନାୟକ ମୋଦୀ ସରକାର ବିରୋଧରେ ନରମ ଆଭିମୁଖ୍ୟ ପୋଷଣ କରି ଆସିଛନ୍ତି। ଓଡ଼ିଶା ଦେଶର ପ୍ରମୁଖ କୋଇଲା ଯୋଗଣକାରୀ ରାଜ୍ୟ। ମାତ୍ର କେନ୍ଦ୍ରର କୃତ୍ରିମ କୋଇଲା ସଙ୍କଟ ନେଇ ଦଳ ସ୍ବର ଉତ୍ତୋଳନ କରୁନାହିଁ। ଏପରିକି କୋଲ୍‌ ବ୍ଲକ୍‌ ନିଲାମ ନେଇଥିବା ଆଦାନୀ ଭଳି ପୁଞ୍ଜିପତିମାନେ ଆଜି ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରିନଥିବା ନେଇ ପ୍ରଶ୍ନ କରାଯାଉ ନାହିଁ। ଲକ୍‌ଡାଉନ୍‌ ସମୟରେ ଯେତେବେଳେ ସବୁ ଉତ୍ପାଦନ ବନ୍ଦ ଥିଲା, ଏକମାତ୍ର କୋଇଲା ଖନନ ହେଉଥିବା ବେଳେ ଏହାର କିଭଳି ଅଭାବ ରହିବ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଥିଲେ। ଆବଶ୍ୟକ ହେଲେ ତାଙ୍କ ଦଳ ଏହା ବିରୋଧରେ ଅଦାଲତର ଆଶ୍ରୟ ନେବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ ପେଟ୍ରୋଲ, ଡିଜେଲ, ସୋରିଷ ତେଲର ଦର ଆକାଶଛୁଆଁ ହେଲାଣି। ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ମୋଦୀ ସରକାର କଳାଧନ ବିଷୟରେ ତ ଆଲୋଚନା କରୁ ନାହାନ୍ତି; ଅପରପଟେ ବିମାନ, ରେଳ, କୋଇଲା ଆଦି ଦେଶର ସମ୍ପତ୍ତି ବିକ୍ରି କରି ଚାଲିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ସିଂହ କହିଥିଲେ, ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନଥିଲେ ମଧ୍ୟ ୨୦୦ ୟୁନିଟ ପର୍ଯ୍ୟନ୍ତ ନିଃଶୁଳ୍କ ବିଜୁଳି ମିଳିଥାଏ। ଓଡ଼ିଶା ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ହୋଇ ମଧ୍ୟ ଏଠାରେ ଦର ଆକାଶଛୁଆଁ। ଏଠାକାର ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରୁ ପିଲା ସ୍କୁଲ ଯାଉ ନାହାନ୍ତି। ଏହାକୁ ଆଳ କରି ୧୪ ହଜାର ସ୍କୁଲ ବନ୍ଦ କରାଯାଉଛି। କିନ୍ତୁ ସ୍କୁଲ ବନ୍ଦ ସମସ୍ୟାର ସମାଧାନ ନୁହେଁ; ବରଂ ଦିଲ୍ଲୀ ଭଳି ଓଡ଼ିଶାର ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ହେଲେ ପିଲା ସ୍ବତଃ ସରକାରୀ ସ୍କୁଲକୁ ଆସିବେ ବୋଲି ଶ୍ରୀ ସିଂହ କହିଥିଲେ। ଏତେ ବର୍ଷ ନବୀନ ପଟ୍ଟନାୟକ ସରକାର କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ସରକାରୀ ଭାବରେ ପଂଜୀକୃତ ବେକାରୀ ସଂଖ୍ୟା ୨୦ ଲକ୍ଷ ରହିଛି।ଏହିଭଳି ବିଭିନ୍ନ ଜନ ସମସ୍ୟା ନେଇ ଆପ୍‌ ଆନ୍ଦୋଳନ କରିବା ସହିତ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଆପ୍‌ର ରାଜ୍ୟ ସଭାପତି ନିଶିକାନ୍ତ, ସମ୍ପାଦକ ସୌମ୍ୟରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର