ସଂସ୍ଥାର ବିଶ୍ବସନୀୟତା ସୃଷ୍ଟି ପାଇଁ ଲୋକସମ୍ପର୍କ ଗୁରୁତ୍ବପୂର୍ଣ୍ଣ
ବିଜେବି କଲେଜ ସାମ୍ବାଦିକତା ବିଭାଗରେ ଆଲୋଚନାଚକ୍ର
ଭୁବନେଶ୍ୱର: ଏକ ସଂସ୍ଥାକୁ ସମାଜରେ ସ୍ଥାୟୀ, ସ୍ଥିର ଓ ବିଶ୍ବସନୀୟ ଭାବେ ପ୍ରତିଷ୍ଠିତ କରିବା ଦିଗରେ ସେହି ସଂସ୍ଥାର ଲୋକସମ୍ପର୍କ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିଜେ କାମ କରୁଥିବା ସଂସ୍ଥା ସମ୍ପର୍କରେ ସତ୍ୟ, ସକାରାତ୍ମକ ଓ ସର୍ବହିତରେ ଖବର ପ୍ରସାରଣ କରି ସଂସ୍ଥାର ପ୍ରତିଷ୍ଠା ଓ ଛବି ବୃଦ୍ଧି କରିବା ଲୋକ ସମ୍ପର୍କ ଅଧିକାରୀମାନଙ୍କର ଲକ୍ଷ୍ୟ ହେବା ଉଚିତ। ଏ ଦିଗରେ ଗଣମାଧ୍ୟମ ସହ ସୁସମ୍ପର୍କ ସ୍ଥାପନ ଏକ ପ୍ରମୁଖ କାମ ବୋଲି ବୋଲି ବିଜେବି ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ‘ମିଡିଆ ରିଲେସନ ଆଜ୍ ଏ ଟୁଲ ଫର୍ ପିଆର୍’ ସମ୍ପର୍କିତ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
କର୍ମଶାଳାକୁ ଉଦ୍ଘାଟନ କରି ସାମ୍ବାଦିକତା ବିଭାଗର ସଂଯୋଜକ ଡ. ଜି.ଏମ୍. ଖାନ୍ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଲୋକସମ୍ପର୍କ କ୍ଷେତ୍ରରେ ସଫଳତା ହାସଲ କରିବାକୁ କହିଥିଲେ। ବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ କହିଥିଲେ ଯେ, ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଲୋକସମ୍ପର୍କ ଏଭଳି ଏକ ମାଧ୍ୟମ ଯାହା କମ୍ପାନିମାନଙ୍କର ଛବିକୁ ସାଧାରଣରେ ପ୍ରତିଫଳିତ କରିଥାଏ।
ଆଉ ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ମିଡିଆ ସହ ଉତ୍ତମ ସମ୍ପର୍କ ସ୍ଥାପନ ନିଜର କାର୍ଯ୍ୟ ସାଧନା ଦିଗରେ ଲାଭପ୍ରଦ ହୋଇଥାଏ। ଏହି ସମ୍ପର୍କ ସ୍ଥାପନ ଦିଗରେ ପ୍ରେସ ବିଜ୍ଞପ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ପ୍ରେସ ବିଜ୍ଞପ୍ତି କିଭଳି ନିର୍ଭୁଲ୍ ଓ ସୂଚନା ପ୍ରଦାନକାରୀ ହୋଇପାରିବ ସେ ଦିଗରେ କୌଶଳ ଓ ଶିକ୍ଷା ହାସଲ କରିବା ଉଚିତ ବୋଲି ସେ କହିଥିଲେ। ବିଭାଗୀୟ ମୁଖ୍ୟ ଡ. ନଳିନୀ କୁମାର ପାତ୍ର ବିଭିନ୍ନ ସଂସ୍ଥାରେ ଲୋକସମ୍ପର୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଦେଇଥିଲେ।