ବିଜେବି କଲେଜ ଛାତ୍ରଙ୍କ ସଙ୍ଗୀନ ଅଭିଯୋଗ ପରେ ଘଟଣାରେ ନୂଆ ମୋଡ଼ : ଘଟଣାକୁ କର୍ତ୍ତୃପକ୍ଷଙ୍କ ଅସ୍ବୀକାର, ପୁରୁଣା ବିବାଦ ହେତୁ ମାମଲା ଥାନାକୁ ଗଲା !

ଭୁବନେଶ୍ବର : ବିଜେବି କଲେଜର ଜନୈକ ଯୁକ୍ତ ଦୁଇ ଛାତ୍ର ରାଗିଂ ଅଭିଯୋଗ ଆଣି ବଡ଼ଗଡ଼ ଥାନାରେ ଏତଲା ଦେବା ପରେ ଘଟଣାରେ ନୂଆ ମୋଡ଼ ଆସିଛି। ଯୁକ୍ତ ଦୁଇ କମର୍ସରେ ପଢ଼ୁଥିବା ଛାତ୍ର ରୁଦ୍ରନାରାୟଣ ପାତ୍ର ଅଭିଯୋଗ କରିଥିଲେ କି ତାଙ୍କୁ କଲେଜର କେତେକ ସୁପର ସିନିଅର ଛାତ୍ର ଡ. ବି.ଆର.ଆମ୍ବେଦକର ହଷ୍ଟେଲକୁ ନେଇ ମାଡ଼ ମାରିବା ସହିତ ତାଙ୍କ ପ୍ରତି ରାଗିଂ ଭଳି ଆଚରଣ କରିଥିଲେ। ଏହି ଘଟଣା ପରେ ହଷ୍ଟେଲର ମ୍ୟାନେଜର ଏହାକୁ ଅସ୍ବୀକାର କରିଥିଲେ ଏବଂ ଏଭଳି କିଛି ଘଟିନାହିଁ ବୋଲି ବିବୃତି ଦେଇଥିଲେ। ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବଚସା ହେତୁ ଏଭଳି ଅଭିଯୋଗ ଆସିଛି ବୋଲି କହିଥିଲେ। ଅନ୍ୟପକ୍ଷରେ ବିଜେବି କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଆମ୍ବେଦକର ହଷ୍ଟେଲ ହେଉଛି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କ ହଷ୍ଟେଲ। ଜଣେ ସୁପରିଟେଣ୍ଡେଣ୍ଟ୍ ସେହି ହଷ୍ଟେଲରେ ରହୁଛନ୍ତି। ସେଭଳି କିଛି ଖବର ଆସି ନାହିଁ । ରାଗିଂ ସମ୍ପର୍କରେ କୌଣସି ରିପୋର୍ଟ ମୋ ପାଖରେ ନାହିଁ। କେହି ଅଭିଯୋଗ କରିନାହାନ୍ତି । ମୁଁ ସୁପରିଟେଣ୍ଡେଣ୍ଟଙ୍କ ସହ କଥା ହୋଇଛି। ଆମ ପାଖରେ ଅଭିଯୋଗ କଲେ ଆମେ ଅନୁସନ୍ଧାନ କରିବୁ । ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ଗଣମାଧ୍ୟମର ହସ୍ତଗତ ହୋଇଥିବା ରୁଦ୍ରନାରାୟଣ ପାତ୍ରଙ୍କ ଅଭିଯୋଗ ପତ୍ର

 

ମାତ୍ର କଲେଜର +୨ ଦ୍ଵିତୀୟ ବାଣିଜ୍ୟର ଦ୍ଵିତୀୟ ବର୍ଷର ଛାତ୍ର ରୁଦ୍ର ନାରାୟଣ ପାତ୍ର ଅଭିଯୋଗ କରିଥିଲେ ଯେ ୧୫ ଦିନ ପୂର୍ବରୁ କଲେଜକୁ କାହିଁକି ଦାମୀ ବାଇକ୍ ନେଇକି ଆସୁଛୁ, ବେଶୀ ଷ୍ଟାଇଲ ମାରୁଛୁ ଏଇ ଭଳି କିଛି ଶବ୍ଦ କହିବା ସହିତ ତାଙ୍କୁ କଲେଜର ଆମ୍ବେଦକର ହଷ୍ଟେଲର ସୁପର ସିନିୟର୍ ଓ ସିନିୟର୍ ମିଶି ମାଡ଼ ମାରିଥିଲେ। ଯେଉଁ କଥାକୁ ନେଇ ରୁଦ୍ର ବଡଗଡ ଥାନାରେ ଅଭିଯୋଗ କରିବା ସହିତ କଲେଜ ପ୍ରିନ୍ସିପାଲଙ୍କୁ ମଧ୍ୟ ଅବଗତ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ତ ଗ୍ରହଣ କରାଗଲା ନାହିଁ । କିନ୍ତୁ କ’ଣ ପାଇଁ ଥାନାରେ ଅଭିଯୋଗ କଲୁ ଓ ମିଡ଼ିଆରେ କହିଲୁ ବୋଲି ୩୦ ଜଣ ସିନିୟର୍ ଓ ସୁପର ସିନିୟର୍ ମିଶି ମାଡ଼ ମାରିବା ସହ ୨ ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇଥିବା ଥାନାରେ ପୁନର୍ବାର ଲିଖିତ ଅଭିଯୋଗ ଆଣିଛନ୍ତି ବିଜେବି କଲେଜ ଛାତ୍ର । ଗୋଟିଏ କ୍ଲାସ ସରିବା ପରେ କିଛି ଜଣ ଆସି ତାଙ୍କ ଗାଡ଼ିରୁ ଚାବି ନେଇ ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଆମ୍ବେଦକର ଛାତ୍ରାବାସର ଗୋଟିଏ ରୁମ୍ ରେ ତାଲା ପକାଇ ୩୦ ଜଣ ମିଶି ମାଡ଼ ମାରିଥିବା ନେଇ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରୁଦ୍ର ନାରାୟଣ କରିଥିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବେଦକର ହଷ୍ଟେଲ ଛାତ୍ର ହରିହର ମାଝୀ । ତାଙ୍କ ଅନୁସାରେ ରୁଦ୍ର ତାଙ୍କ ହଷ୍ଟେଲ ଆଗରେ ଦୃତାଗତିରେ ବାଇକ ଚଳାଇ ଯାଆନ୍ତି । ଏପରିକି ହଷ୍ଟେଲରେ ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ଗାଡ଼ିରେ ଧକ୍କା ଦେଇଥିଲେ । ଆମେ ମନା କରିବାରୁ ଏଭଳି ଅଭିଯୋଗ ସେ କରିଛନ୍ତି । ହଷ୍ଟେଲ ଛାତ୍ର ଅଭିଯୋଗ କରିଛନ୍ତି ଯେ ହଷ୍ଟେଲର କୌଣସି ସୁରକ୍ଷା ନାହିଁ। ସିକୁରିଟି ଗାର୍ଡ ମଧ୍ୟ ନାହାନ୍ତି। ଯାହାର ସୁଯୋଗ ନେଇ ଅଣ ଛାତ୍ର କଲେଜ ପରିସରକୁ ପ୍ରବେଶ କରୁଛନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଯେହେତୁ ଆମ୍ବେଦକର ହଷ୍ଟେଲ ଅନୁସୂଚିତ ଜାତି ତଥା ଜନଜାତିର ଛାତ୍ର ମାନେ ରୁହନ୍ତି । ଏଣୁ ଏହାକୁ କେନ୍ଦ୍ରକରି ଆମକୁ ଏହି ଅଭିଯୋଗରେ ସାମିଲ କରାଯାଇଛି ବୋଲି ଛାତ୍ର କହିଛନ୍ତି ।

ଡା ବି ଆର୍ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର ରାଗିଂ କରିଥିବା ନେଇ ଥାନାରେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ହଷ୍ଟେଲର ମ୍ୟାନେଜର ପ୍ରଫୁଲ୍ଲ ମଲ୍ଲିକ। ସେ କହିଛନ୍ତି ଅଭିଯୋଗ ହୋଇଥିବା ଭଳି କିଛି ହୋଇନାହିଁ। ୧୫ ଦିନ ତଳେ ହୋଇଥିଲା ବଚସା । ଆମ୍ବେଦକର ଛାତ୍ର ନିବାସ ବିରୋଧରେ ରୁଦ୍ର ଆଣିଥିବା ରାଗିଙ୍ଗ କଥାକୁ ବିରୋଧ କରି ହୋଇଥିଲା ଆଲୋଚନା । ଏହାପରେ ରୁଦ୍ର ନାରାୟଣ ଆମ୍ବେଦକର ଛାତ୍ର ନିବାସ ବାଟ ଦେଇ ବାରମ୍ବାର ଦୃତ ଗତିରେ ଗାଡି ଚାଲିଥିବାରୁ ଏହାକୁ ବିରୋଧ କହିଛିଥିଲେ ହଷ୍ଟେଲର ଅନ୍ତେବାସୀ । ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା । ଆଉ ଏହାର ଆଜି ମଧ୍ୟ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା ।

ଅନ୍ୟପକ୍ଷରେ ହ‌ଷ୍ଟେଲର ଛାତ୍ର ଗୋଷ୍ଠୀ ବଡଗଡ ଥାନାରେ ଅଭିଯୋଗକାରୀଙ୍‌କ ହାତଲେଖା ଏକ ଅଣ୍ଡରଟେକିଂ ଉପସ୍ଥାପନ କରିଛନ୍ତି। ଏହି ଅଣ୍ଡରଟେକିଂ ରୁଦ୍ରନାରାୟଣଙ୍କର ବୋଲି ସେମାନେ ଦାବି କରିଛନ୍ତି।  ଏହି ଅଣ୍ଡର‌ଟେକିଂରେ ରୁଦ୍ରନାରାୟଣ ସୁପର ସିନିଅର ଓ ସିନିଅର ଛାତ୍ରଙ୍କୁ ଦୁର୍ବବ୍ୟବହାର କରିଥିବା ହେତୁ କ୍ଷମା ମାଗୁଛି ବୋଲି ଲେଖିଛନ୍ତି।

ରୁଦ୍ରନାରାୟଣଙ୍କର ଅଣ୍ଡରଟେକିଂ
ସମ୍ବନ୍ଧିତ ଖବର