ପୂର୍ବତନ କର୍ପୋରେଟର୍‌ଙ୍କ ଫଳକ ମୋହ ଛାଡ଼ୁନି, ୮ ନମ୍ବର ୱାର୍ଡରେ ଫଳକ ଲଗାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଚନ୍ଦ୍ରଶେଖରପୁର: ୨୦୧୯ ଜାନୁଆରି ୧୫ରୁ କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ସରିଲାଣି। ହେଲେ ଏବେ ବି ସେମାନଙ୍କ ଫଳକ ମୋହ ଛାଡ଼ୁନି। ନିଜନିଜ ୱାର୍ଡରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବାହାବା ନେବାକୁ ଲାଗି ପଡ଼ିଛନ୍ତି। ୱାର୍ଡରେ ହେଉଥିବା ଯେକୌଣସି ପ୍ରକଳ୍ପର ଉଦ୍‌ଘାଟନ/ଶିଳାନ୍ୟାସ ଫଳକରେ ସେମାନଙ୍କ ନାମ ବି ଲେଖା ହେଉଛି। ପୂର୍ବତନ କର୍ପୋରେଟର୍‌ଙ୍କ ଏଭଳି କ୍ଷମତା ଲୋଭକୁ ନେଇ ବିଜେପିର ୱାର୍ଡସ୍ତରୀୟ ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ଫଳକରୁ ତୁରନ୍ତ ପୂର୍ବତନ କର୍ପୋରେଟର୍‌ଙ୍କ ନାଁ ହଟାଇବାକୁ ବିଏମ୍‌ସି ନିକଟରେ ଦାବି କରିଛନ୍ତି।

ଗତ ୧୪ ତାରିଖରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ୮ ନମ୍ବର ୱାର୍ଡରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ। ଡିଷ୍ଟ୍ରିକ୍ଟ ସେଣ୍ଟର୍‌ରୁ ପାଣିଟାଙ୍କି ପର୍ଯ୍ୟନ୍ତ ୩୮ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରାସ୍ତାର ଶୁଭ ଉଦ୍‌ଘାଟନ ହୋଇଥିଲା। ଏଥିପାଇଁ ଲଗା ଯାଇଥିବା ଫଳକରେ ପୂର୍ବତନ କର୍ପୋ‌ରେଟର୍‌ ମୋନାଲିସା ସାହୁଙ୍କ ନାମ ରହିଛି। ସେହିପରି ଆଉ କିଛି ଫଳକରେ ବି ତାଙ୍କ ନାଁ ରଖାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୮ନମ୍ବର ୱାର୍ଡର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ନିର୍ମଳ ଚନ୍ଦ୍ର ପଣ୍ଡା। ଏନେଇ ସେ ବିଏମସି ଉତ୍ତର ଜୋନ୍‌ ଡେପୁଟି କମିସନର୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜଣେ ପୂର୍ବତନ କର୍ପୋରେଟର୍‌ଙ୍କ ନାଁ ଫଳକରେ ସ୍ଥାନ ପାଇବା ଦ୍ବାରା ନିୟମର ଉଲ୍ଲଂଘନ ହୋଇଛି ବୋଲି ସେ କହିଛନ୍ତି। ଯଦି ତୁରନ୍ତ ପୂର୍ବତନ କର୍ପୋରେଟର୍‌ଙ୍କ ନାଁକୁ ଫଳକରୁ ହଟା ନଯାଏ, ତେବେ ଯେଉଁ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହେବ,‌ ସେଥିପାଇଁ ବିଏମସି ଦାୟୀ ରହିବ। ଏଥିସହ ଯେଉଁ ସରକାରୀ ଅଧିକାରୀମାନେ ଫଳକରେ ପୂର୍ବତନ କର୍ପୋରେଟର୍‌ଙ୍କ ନାଁ ଯୋଡ଼ିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

କେବଳ ଏହି ଗୋଟିଏ ୱାର୍ଡ ନୁହେଁ, ବିଏମ୍‌ସିର ଅଧିକାଂଶ ୱାର୍ଡରେ ପୂର୍ବତନ କର୍ପୋରେଟର୍‌ଙ୍କ ଏଭଳି ଦବ୍‌ଦବା ରହିଛି। ବିଏମ୍‌ସି, ପୂର୍ତ୍ତ କିମ୍ବା ଅନ୍ୟ କୌଣସି ସରକାରୀ ପ୍ରକଳ୍ପ ସେମାନଙ୍କ ୱାର୍ଡରେ ହେଉଥିଲେ ଉଦ୍‌ଘାଟନ କି ଶିଳାନ୍ୟାସ ଫଳକରେ ଯେପରି ସେମାନଙ୍କ ନାମ ରହିବ, ସେନେଇ ଜିଦ୍‌ କରୁଛନ୍ତି। କେତେକ ସ୍ଥାନରେ ସରକାରୀ ଅଧିକାରୀମାନେ ପୂର୍ବତନ କର୍ପୋରେଟର୍‌ ନ କହିଲେ ବି ସ୍ବଇଚ୍ଛାରେ ଫଳକରେ ନାମ ଲେଖି ଦେଉଛନ୍ତି। ସରକାରୀକଳର ଅପାରଗତା ଯୋଗୁଁ ପୂର୍ବତନ କର୍ପୋରେଟର୍‌ମାନେ ଏହିଭଳି ଫାଇଦା ନେଉଥିଲେ ହେଁ ଏନେଇ ମୁହଁ ଖୋଲିବାକୁ କେହି ସାହାସ କରୁନାହାନ୍ତି। ରାଜ୍ୟ ସରକାର ପୌର ନିର୍ବାଚନ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେଣୁ ଯେଉଁ ୱାର୍ଡରେ ଯେଉଁ କାର୍ଯ୍ୟକ୍ରମ ହେଉଛି, ସେଠାକୁ ସରକାରୀ ଦଳର ପୂର୍ବତନ କର୍ପୋରେଟର୍‌ଙ୍କୁ ଆଗ ଡକାଯାଉଛି। କରୋନା ସମୟରେ ରିଲିଫ ବଣ୍ଟନ ହେଉ କି ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ, ସବୁଥିରେ ପୂର୍ବତନ କର୍ପୋରେଟର୍‌ମାନେ ଭାଗ ନେଉଛନ୍ତି। ସେମାନେ ଯେପରି ଚାହୁଛନ୍ତି, ସରକାରୀ ବାବୁମାନେ ସେପରି କାର୍ଯ୍ୟକ୍ରମ କରୁଛନ୍ତି। କରୋନା ସଚେତନତା କାର୍ଯ୍ୟକ୍ରମରେ ସେମାନେ ଅଗଧାଡ଼ିରେ ବସିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର