ରାଜଧାନୀରେ ୬ ଘଣ୍ଟିଆ ବନ୍ଦ : ବିଜେପି-କଂଗ୍ରେସ ଛକାପଞ୍ଝା

ରାଜଧାନୀରେ ଦେଖିବାକୁ ମିଳିଛି। କିନ୍ତୁ ୧୨ଘଣ୍ଟିଆ ବନ୍ଦ ଡାକରା ୬ଘଣ୍ଟାରେ ଶେଷ ହୋଇଯାଇଛି। କଂଗ୍ରେସ ଓ ବିଜେପି ବନ୍ଦ ଡାକରା ଦେଇଥିଲେ ହେଁ କିଏ କେଉଁଠି ବନ୍ଦ କରିବ, କେମିତି କରିବ ସେହି ଛକାପଞ୍ଝାରେ ରହିବାରୁ କେତେକ ସ୍ଥାନରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିବା ମିଳିଛି। ଆଜି ସକାଳ ୫ଟା ୩୦ରୁ ରାଜଧାନୀରେ ବନ୍ଦ ଆରମ୍ଭ ହୋଇଥିଲା। ରେଳ ଷ୍ଟେସନରେ କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଥିଲା। ସକାଳ ୫ଟା ୩୦ରୁ ୭ଟା ୨୫ ପର୍ଯ୍ୟନ୍ତ ରେଳ ଚଳାଚଳ ପୂରା ଠପ୍‌ ହୋଇ ଯାଇଥିଲା। ଏହା ପରେ ରାଜଧାନୀର ବିଭିନ୍ନ ଛକରେ ଉଭୟ ବିଜେପି ଓ କଂଗ୍ରେସ୍‌ କର୍ମୀ ।ୟାର ଜାଳି ପିକେଟିଂ କରିଥିଲେ। ବନ୍ଦବେଳେ ପୂର୍ବ ପରି ବ୍ୟାପକ ଭଙ୍ଗାରୁଜା କରି ନଥିଲେ ହେଁ ଖଣ୍ଡଗିରି, ଫାୟାର ଷ୍ଟେସନ ଛକ ଓ ସତ୍‌ସଙ୍ଗବିହାର ସମ୍ମୁଖ ରାସ୍ତାରେ ବନ୍ଦ ସମର୍ଥକମାନେ ଠେଙ୍ଗାବାଡ଼ି ଧରି ପଥଚାରୀଙ୍କୁ ଭୟ ଦେଖାଇଥିଲେ। ଏପରିକି ଆକ୍ରମଣ କରିବା ସହ କାର୍‌ ଓ ବାଇକ୍‌ ଭଙ୍ଗାରୁଜା ବି କରିଥିଲେ। ଅନ୍ୟପକ୍ଷରେ କଣସି ଅଘଟଣ ଘଟିବାର ଆଶଙ୍କାରେ ବହୁ ଲୋକ ପୂର୍ବାହ୍ନରେ ଘରୁ ବାହାରି ନଥିଲେ। ଯାହା ବନ୍ଦକୁ ଆଂଶିକ ସଫଳ କରିବାରେ ସହାୟକ ହୋଇଥିଲା। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ହେଁ ମଧ୍ୟାହ୍ନ ୧୨ଟା ପରେ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନଥିଲା। ଯେଉଁ ୬ଘଣ୍ଟା ରାଜଧାନୀ ବନ୍ଦ ହୋଇଥିଲା ସେହି ସମୟରେ ଦୋକାନ ବଜାର ବନ୍ଦ ରହିଥିଲେ ହେଁ ବାଇକ୍‌ ଚଳାଚଳ ସ୍ୱାଭାବିକ ଥିଲା। ଅଟୋ, ଚାରିଚକିଆ ଯାନ ଓ ବଡ଼ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନବନ୍ଦର ଯାତ୍ରୀ ବହୁତ ହଇରାଣ ହୋଇଥିଲେ। ବିଜେପି ପକ୍ଷରୁ ରାମମନ୍ଦିର ଛକରେ, କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ଏହି ଦୁଇ ଛକରେ ବାଇକ୍‌ ଚଳାଚଳ ବି ପ୍ରଭାବିତ ହୋଇଥିଲା। ପୁଲିସ ଉଭୟ ଦଳର ୨୧୦ଜଣଙ୍କୁ ଗିରଫ କରି ଅପରାହ୍ନରେ ଛାଡ଼ିଦେଇଥିଲା।

କାର୍‌ କାଚ ଚୁନା


ବିଜେପିର ହରତାଳ ସାଙ୍ଗକୁ କଂଗ୍ରେସର ବନ୍ଦ ଡାକରା ଯୋଗୁଁ ହନ୍ତସନ୍ତ ହୋଇଥିଲେ ସାଧାରଣ ଜନତା। କେତେକ ସ୍ଥାନରେ ବାଇକ୍‌, କାର୍‌ରେ ଯାଉଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ବନ୍ଦ ସମର୍ଥକ। ସତ୍‌ସଙ୍ଗ ବିହାର ନିକଟରେ ଗୋଟିଏ କାର୍‌ କାଚକୁ ବାଡ଼େଇ ଭାଙ୍ଗିଥିଲେ। ପୂର୍ବାହ୍ନରେ ବିଜେପି କର୍ମୀଙ୍କ ଏଭଳି କାରନାମା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଥିଲା। ଜୟଦେବ ବିହାର ଛକରୁ ହଂସପାଳ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିଥିବା ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା ପୁଲିସ। ରସୁଲଗଡ଼ ଓ ଜୟଦେବ ବିହାର ନିକଟରେ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଥିଲା। ଉକ୍ତ ଦୁଇ ଛକରୁ ପ୍ରାୟ ୪୦ ଜଣ ବିଜେପି କର୍ମୀଙ୍କୁ ପୁଲିସ ଉଠାଇ ନେଇ ପରେ ଛାଡ଼ିଥିଲା। ପୂର୍ବାହ୍ନ ୧୦ଟାରେ ଛାତ୍ର କଂଗ୍ରେସ ପକ୍ଷରୁ ମନୋଜ ବିଶ୍ୱାଳ, କିରଣ କୁମାର ସାହୁ, ନିହାର ରଞ୍ଜନ ବେହେରା, ଅଶୋକ ନାୟକ, ତାପସ ସେଠୀ, ସଲମାନ ପ୍ରଧାନ, ନିତେଶ ବେହେରା, ବିଶ୍ୱଜିତ୍‌ ଜେନା, ଓ୍ଵାସିମ୍‌ ଆଲମ ପ୍ରମୁଖ ବାଣୀବିହାର ନିକଟରେ ପିକେଟିଂ କରିଥିଲେ।

ବାଇକ୍‌ରେ ବୁହା ହେଲେ ବିମାନ ଯାତ୍ରୀ
ବନ୍ଦ ଯୋଗୁଁ ଯାତ୍ରୀ ଯାତାୟତ ପ୍ରଭାବିତ ହୋଇଥିଲା। ବିମାନବନ୍ଦର, ରେଳ ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ପାଇଁ ବାଇକ୍‌ ଆଜି ଭଡ଼ାରେ ମିଳୁଥିଲା। ବିମାନବନ୍ଦରରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଭଡ଼ା ୨୦୦ଟଙ୍କା ଥିବାବେଳେ ପଟିଆକୁ ୫୦୦ଟଙ୍କା ଭଡ଼ା ଥିଲା। ଯେଉଁମାନେ କଟକ ଯାଉଥିଲେ ସେମାନଙ୍କୁ ୮୦୦ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା। ଆଜି ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ବାଧ୍ୟ ହୋଇ ବାଇକ୍‌ରେ ଯାଉଥିଲେ। ବିମାନବନ୍ଦର ଟ୍ୟାକ୍ସି ଡ୍ରାଇଭରମାନେ ମୁଖ୍ୟତଃ ଏହି ବାଇକ୍‌ ସେବା ଯୋଗାଉଥିଲେ। ବିମାନବନ୍ଦରରେ ଯେପରି ଯାତ୍ରୀଙ୍କୁ କିଛି ସମସ୍ୟା ନ ଉପୁଜିବ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ବିମାନକୁ ଅପେକ୍ଷା କରିପାରିବେ ସେଥିପାଇଁ ବିମାନବନ୍ଦରରେ ଅଧିକ ଚେୟାର ପକାଯାଇଥିଲା ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ହେଲେ ନୂଆଦିଲ୍ଲୀରୁ ପୁରୀ ବୁଲିବାକୁ ଆସିଥିବା ଏକ ୩୦ଜଣିଆ ପର୍ଯ୍ୟଟନ ଦଳ କୌଣସି ଗାଡ଼ି ନପାଇବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିମାନବନ୍ଦର ବାହାରେ ବସିଥିଲେ। ସେହିପରି ରେଳ ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ନେବା ପାଇଁ ବାଇକ୍‌ ଭଡ଼ାରେ ମିଳୁଥିବା ଦେଖିବାକୁ ମିଳିଥିଲା।

ଏଜି ଛକକୁ କେହି ଆସିଲେନି


ଯେତେବେଳେ ବି ରାଜଧାନୀରେ ବନ୍ଦ କରାଯାଏ ସବୁଠୁ ଅଧିକ ପ୍ରଭାବ ଏଜି ଛକରେ ଦେଖିବାକୁ ମିଳେ। ଆଜିର ବନ୍ଦ ସମୟରେ କିନ୍ତୁ ଏଜି ଛକ ଚିତ୍ର ଅଲଗା ଥିଲା। ବିକ୍ଷୋଭକାରୀ ଆସିଲେ ଅଟକାଇବା ପାଇଁ ପୁଲିସ ଛାଉଣି କରାଯାଇଥିଲା କିନ୍ତୁ କୌଣସି ଦଳର ବିକ୍ଷୋଭକାରୀ ଏଜି ଛକ ଆସି ନଥିଲେ। ପ୍ରଥମଥର ପାଇଁ କୌଣସି ଏକ ବନ୍ଦରେ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଗଲାନି। ମୁଖ୍ୟମନ୍ତ୍ରୀଙ୍କୁ ଏଜି ଛକରେ ଅଟକାଇବା ପାଇଁ ରାଜନୈତିକ ଦଳମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପିକେଟିଂ କରିଥାନ୍ତି କିନ୍ତୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବା ପାଇଁ ସେମିତି କିଛି ଯୋଜନା ନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିନା ପ୍ରତିରୋଧରେ ନବୀନ ନିବାସରୁ ଆସି ସଚିବାଳୟ ଯାଇଥିଲେ। ୧୧ଟା ୩୪ରେ ସଚିବାଳୟରେ ପହଞ୍ଚିବା ପରେ ୧୨ଟା ୪୦ରେ ସଚିବାଳୟରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ସଚିବାଳୟ ଏବଂ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀମାନେ ଏଜି ଛକ ଦେଇ ବିଭିନ୍ନ କାର୍ଯ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର