ଭୁବନେଶ୍ବର : ମହିଷାଖାଲ ନିକଟସ୍ଥ ହରିନଗର ବସ୍ତିରେ ୪୫ଜଣ କରୋନା ଆକ୍ରାନ୍ତ ହୋଇଥିବା ବିଏମ୍ସି ପକ୍ଷରୁ କୁହାଯାଉଥିଲେ ହେଁ ବସ୍ତିବାସିନ୍ଦା କହୁଛନ୍ତି ଯେ ଆମକୁ କରୋନା ହୋଇନି। ବିଏମ୍ସି କର୍ତ୍ତୃପକ୍ଷ ଆମକୁ ଭୁଲରେ କୋଭିଡ୍ କେୟାର ସେଣ୍ଟରକୁ ନେଇଥିଲେ। ୨୪ ତାରିଖରେ ବସ୍ତିରୁ ସ୍ଥାନାନ୍ତର କରିଥିଲେ ହେଁ କିଛି ଦିନ ପରେ ପୁଣି ନେଗେଟିଭ୍ ହୋଇଛି କହି ବସ୍ତିରେ ଆଣି ଛାଡ଼ି ଦେଇଥିଲେ। ବିଏମ୍ସି କର୍ତ୍ତୃପକ୍ଷଙ୍କ ପରୀକ୍ଷା ରିପୋର୍ଟରେ ତ୍ରୁଟି ଯୋଗୁ ଆମେ ଏବେ ହିନସ୍ତା ହେଉଛୁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରି ଆସୁଛନ୍ତି। ଏହି ସମୟରେ ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ହରିନଗର ବସ୍ତି ଯାଇ ବସ୍ତିବାସିନ୍ଦାଙ୍କୁ ଭେଟିଛନ୍ତି।
ଆଜି ଶ୍ରୀ ସିଂହଙ୍କ ସମେତ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି, ହରେକୃଷ୍ଣ ଖୁଣ୍ଟିଆ, ବସ୍ତିନେତା ଅଞ୍ଜନ ନାଥ ପ୍ରମୁଖ ହରିନଗର ବସ୍ତିକୁ ଯାଇଥିଲେ। ବସ୍ତିବାସିନ୍ଦାଙ୍କୁ ଭେଟିବା ପରେ ଶ୍ରୀ ସିଂହ କହିଛନ୍ତି ଯେ ବିଏମ୍ସି କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ବସ୍ତିବାସିନ୍ଦା ବହୁ କଷ୍ଟ ପାଉଛନ୍ତି। ତାଙ୍କୁ କାମ ମିଳୁନି କି ସଉଦା ଆଣିବାକୁ ଗଲେ ଦୋକାନୀ ସଉଦା ଦେଉନି। ତେଣୁ ବିଏମ୍ସି ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।