ଓଏସ୍ଏସ୍‌ସି ଦୁର୍ନୀତି ନେଇ ଗର୍ଜିଲା ବିଜେପି: ‘ତଦନ୍ତଭାର ସିବିଆଇକୁ ଦିଅ’

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ଦୁର୍ନୀତିର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର ଦାବିରେ ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଷ୍ଟାଫ୍‌ ସିଲେକ୍ସନ୍‌ କାର୍ଯ୍ୟାଳୟ ସାମ୍ନା‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶହଶହ ବିଜେପି କର୍ମୀ ପାୱାର ହାଉସ୍‌ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୁଲିସ ବିକ୍ଷୋଭକାରୀଙ୍କୁ ବାଧା ଦେବାକୁ ଚେଷ୍ଟା କରିବାରୁ ପୁଲିସ୍‌ ସହ ସେମାନଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ଜିଲ୍ଲା ସଭାପତି ଶ୍ରୀ ସିଂ କହିଥିଲେ ଯେ ଟଙ୍କା ଦେଲେ ରାଜ୍ୟରେ ଚାକିରି ମିଳୁଛି। ଫଳରେ ଅନେକ ଶିକ୍ଷିତ ଯୁବକ/ଯୁବତୀଙ୍କ ଦକ୍ଷତା ଥାଇ ବି ସେ ଓଡ଼ିଶାରେ ଚାକିରି ନ ପାଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ସେହିପରି ମୋ ସରକାର ୫-ଟି ସ୍ବତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି। ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସଂପୃକ୍ତ ପ୍ରଶାସନ ଅଧିକାରୀ ଓ ଶାସନଦଳର ନେତାଙ୍କୁ ସୁରକ୍ଷା ଦେଉଛି। ଭିଜିଲାନ୍ସ ଦ୍ବାରା ଧରାପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପି.ଏସ୍‌ ବିରଞ୍ଚି ସାହୁଙ୍କ ପଛରେ ବହୁ ପ୍ରଭାବଶାଳୀଙ୍କ ପ୍ରତ୍ୟକ୍ଷ ହାତ ରହିଛି। ରାଜ୍ୟ ଷ୍ଟାଫ ସିଲେକ୍ସନ କମିସନ ଦୁର୍ନୀତିର ଚେର ଲୋକସେବା ଭବନର ତୃତୀୟ ମହଲା ଯାଏ ଲମ୍ବିଛି। ବିରଞ୍ଚିଙ୍କ ନାଁ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଘଟଣାକୁ ଚାପି ଦେବା ପାଇଁ ସମସ୍ତ ପ୍ରକାରର କୌଶଳ ଆପଣାଇବା ଆରମ୍ଭ କରିଦେଇଛି। ରାଜ୍ୟ ସରକାରଙ୍କ ଏଭଳି ଅପଚେଷ୍ଟାକୁ ବିଜେପି କେବେ ହେଲେ ସଫଳ କରିବାକୁ ଦେବ ନାହିଁ ବୋଲି ସେ କହିଥିଲେ।

ଏହି ବିକ୍ଷୋଭରେ ବିଜେପିର ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲୀପ ବେହେରା, ନାରୀନେତ୍ରୀ ସୁବାସିନୀ ପୃଷ୍ଟି, ଜିଲ୍ଲା ଉପସଭାନେତ୍ରୀ ମାନସୀ ରାୟ ପାଢ଼ୀ, ଶିବ ବେହେରା, ନିରଂଜନ ରାଉତ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ରାମ ରଣସିଂହ, ଅମରେଜ୍ୟାତି ଜଗଦେବ, ଅରୁଣ ପୁରୋହିତ, ଅଂଜନ ନାଥ, ଦାମୋଦର ବେହେରା, ବିଜୟ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଓବିସି ମୋର୍ଚ୍ଚା ସଭାପତି ରଶ୍ମିରଂଜନ ମୁଦୁଲି, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁନୀଲ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ସଂପାଦକ ତାପସ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର