ଭୁବନେଶ୍ବର: ବିଜେପି ନେତାଙ୍କ ପାଇଁ ଲିଙ୍ଗରାଜ ଆଇନ ଲାଗୁ ହୋଇପାରୁନାହିଁ ବୋଲି ଗତ ନିର୍ବାଚନ ସମୟରେ ଅଭିଯୋଗ କରିଥିଲା ବିଜେଡି। ଦିଲ୍ଲୀରେ ବିଜେପି ସରକାର ଲିଙ୍ଗରାଜ ଆଇନକୁ ଅଟକାଉଥିବା କଥା ବିଜେଡି ନେତା ପ୍ରଚାର କରିଥିଲେ। ଲିଙ୍ଗରାଜ ପ୍ରକଳ୍ପ କିମ୍ବା ଲିଙ୍ଗରାଜ ଆଇନକୁ କେବେ ବି ତାଙ୍କ ଦଳ ବିରୋଧ କରିନାହିଁ ବୋଲି ପାଲଟା ଉତ୍ତର ରଖିଥିଲେ ବିଜେପି ନେତା। ଏବେ ନିର୍ବାଚନ ସରିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆସିବା ସହିତ ଏବେ ଭୁବନେଶ୍ବରରେ ବିଜେପି ସାଂସଦ, ଏକାମ୍ରରେ ବିଜେପି ବିଧାୟକ ଥିବାରୁ ଲିଙ୍ଗରାଜ ଆଇନ ହେବବୋଲି ଏକାମ୍ରବାସୀ ଖୁବ୍‌ ଆଶାବାଦୀ ଅଛନ୍ତି। ଦଶନ୍ଧି ଦଶନ୍ଧି ଧରି ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବାକୁ ଦାବି ହୋଇ ଆସୁଛି। ଏହା ନଥିବାରୁ ମନ୍ଦିର ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଛି। ବିଶ୍ବପ୍ରସିଦ୍ଧ ଏହି ପୁରାତନ ମନ୍ଦିରର ପରିଚାଳନା ପାଇଁ ଶ୍ରୀମନ୍ଦିର ପରି ସ୍ଥାୟୀ ପ୍ରଶାସନିକ ଅଧିକାରୀ ନାହାନ୍ତି। ଆବଶ୍ୟକ ଲୋକବଳ ନାହିଁ କି ମନ୍ଦିର ସୁରକ୍ଷାକୁ ଗୁରୁତ୍ବ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନଷ୍ଟ ହେଉଛି। ଲିଙ୍ଗରାଜଙ୍କର ଶହଶହ ଏକର ଜମି ଜବର ଦଖଲରେ ରହିଛି। ମନ୍ଦିର ନୀତିକାନ୍ତି ଠାରୁ ଆରମ୍ଭ କରି ପୂଜାପର୍ବ ଠିକ୍‌ ସମୟରେ ହୋଇପାରୁନାହିଁ। ପ୍ରଭୁଙ୍କର ଅନେକ ପରମ୍ପରା ଭଙ୍ଗ ହେଲାଣି। ନିର୍ବାଚନ ସମୟରେ ଏହା ବଡ଼ ପ୍ରସଙ୍ଗ ପାଲଟି ଯାଉଛି। ପ୍ରତିଶ୍ରୁତି ବି ମିଳୁଛି। ହେଲେ ନିର୍ବାଚନ ସରିବା ନେତାମାନେ ଭୁଲି ଯାଇଛନ୍ତି। ଗତ ସରକାରରେ ମନ୍ଦିର ପରିଚାଳନା ପାଇଁ ଏହି ଆଇନ ଆଣିବାଲାଗି ୨୦୨୦ ଡିସେମ୍ବର ୨ ତାରିଖରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଘୋଷଣାର ୧୨ ଦିନ ପରେ ଏହି ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍‌ ଅନୁମୋଦନ ମିଳି ଯାଇଥିଲା। ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାଲାଗି ସରକାର ଅଧ୍ୟାଦେଶ ଆଣିଲେ। ଏହାପରେ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଅଧ୍ୟାଦେଶକୁ ପଠାଇଲେ। ଏହାକୁ ତର୍ଜମା କରି ଅଧ୍ୟାଦେଶରେ ଏକ ଧାରା ଯୋଡ଼ିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଲେ। ୨୦୨୧ ନଭେମ୍ବର ୨୪ରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଥିଲା। ଏହାପରେ ମଧ୍ୟ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ସେଥିରେ କୁହାଯାଇଥିଲା ଯେ ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ‘ଆମ୍‌ସାର ଆଇନ’କୁ ବିରୋଧାଚରଣ କରୁଛି। ଏହି ଆପତ୍ତିର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ହେଲେ କାହିଁକି ଆଇନକୁ ଅନୁମତି ମିଳିଲା ନାହିଁ, ଏ ଉତ୍ତର କାହା ପାଖରେ ନାହିଁ।

Advertisment

ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ବି‌ଜେଡି-ବିଜେପି

ଗତ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ କାହିଁକି ସ୍ବତନ୍ତ୍ର ଆଇନ ଲାଗୁ ହେଲାନାହିଁ ବୋଲି ସେବାୟତମାନେ ପ୍ରଶ୍ନ ପଚାରିଥିଲେ। ଲୋକସଭାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧ କରିବାରୁ ଆଇନ ଲାଗୁ ହୋଇ ପାରିନାହିଁ ବୋଲି ସେମାନେ ସିଧା ଅଭିଯୋଗ କରିଥି‌ଲେ। ଏହାପରେ ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ଦୋଷ ଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଜେଡି ନେତା ଭିକେ ପାଣ୍ଡିଆନ ନିର୍ବାଚନୀ ପ୍ରଚାରରେ ଏହି ପ୍ରସଙ୍ଗକୁ ନେଇ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ସମାନ ଅଭିଯୋଗ ଆଣି ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ବିରୋଧରେ ପ୍ରଚାର କରିଥିଲେ। ଏହାକୁ ନେଇ ଶ୍ରୀମତୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଲିଙ୍ଗରାଜ ଆଇନ ଓ ଲିଙ୍ଗରାଜ ପ୍ରକଳ୍ପକୁ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କେବେ ବି ବିରୋଧ କରିନଥିବା କହିଥିଲେ। ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ପ୍ରମାଣ ଅଛି, ତେବେ ଦେବାକୁ କହିଥିଲେ। ବାବୁ ସିଂହ ମଧ୍ୟ ରାଜ୍ୟ ସରକାର ଏହି ଐତିହ୍ୟକୁ ସୁରକ୍ଷା ଦେଇ ପାରୁନଥିବା ଅଭି‌ଯୋଗ କରିଥିଲେ। ଏନେଇ ଏକାମ୍ରର ନବନିର୍ବାଚିତ ବିଧାୟକ ଶ୍ରୀ ସିଂହ କହିଛନ୍ତି, ‘‘ପ୍ରଭୁ ଲିଙ୍ଗରାଜ ଆମ ଆରାଧ୍ୟ ଦେବତା। ନିଶ୍ଚିତ ଭାବେ ଖୁବ୍‌ ଶୀଘ୍ର ଲିଙ୍ଗରାଜ ଆଇନ କାର୍ଯ୍ୟକାରୀ ହେବ। ପୂର୍ବରୁ ରାଜ୍ୟ ସରକାର ଜାଣିଶୁଣି ଆଇନକୁ ଚାପି ରଖିଥିଲେ। ନୂଆ ସରକାର ଗଢ଼ା ହେବାପରେ ଆଇନ ଲାଗୁ ହେବ।’’