ବିଜେପି କନ୍ଦଳ ରାସ୍ତାରେ: ଅପରାଜିତାଙ୍କୁ ବିରୋଧ କଲେ କର୍ମୀ

ଭୁବନେଶ୍ବରରେ ଦଳ ଦୁଇ ଭାଗ

ଭୁବନେଶ୍ବର: ବିଜେପିର ଗୋଷ୍ଠୀକନ୍ଦଳ ଏବେ ରାସ୍ତାକୁ ଆସିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ରାଜଧାନୀରେ ବିଜେପି ଆପାତତଃ ଦୁଇ ଭାଗ ‌େହାଇଯାଇଛି। ଆଜି ଏହାର ଚିତ୍ର ଦେଖିବାକୁ ମିଳିଥିଲା ଭରତପୁର(ୱାର୍ଡ ନଂ-୨୨)ରେ। ସାଂସଦ ନିଜ ସମର୍ଥକମାନଙ୍କ ସହ ଲୋକସମ୍ପର୍କ ପଦଯାତ୍ରା କରୁଥିଲା ‌େବଳେ ବିଜେପିର ଆଉ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି। ସେମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘‌େଗା ବ୍ୟାକ୍’ ପ୍ଲାକାର୍ଡ ‌ଦେଖାଇ ସ୍ଲୋଗାନ୍ ଦେଇଥିଲେ। ଏହାକୁ ନେଇ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଆହୁରି ସରଗରମ ହୋଇଛି। ବୁଧବାର ନୂଆପଲ୍ଲୀରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରା କରୁଥିବା ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆଜି ଭରତପୁରରେ ସାଂସଦଙ୍କୁ ଗୋଟିଏ ଗୋଷ୍ଠୀ ବିରୋଧ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ସାମାଜିକ ଗଣମାଧ୍ୟମରେ ପରସ୍ପରର ଗହି ଖୋଳାଖୋଳି ହେଉଥିବା ଦେଖିବାକୁ ମିଳିଥିଲା। ଯାହା ଆଶଙ୍କା କରାଯାଉଥିଲା, ଆଜି ତାହା ହିଁ ହୋଇଥିଲା। ସାଂସଦ ପଦଯାତ୍ରା‌ରେ ଭରତପୁର ପରିକ୍ରମା କରୁଥିଲା ବେଳେ ଗୋଟିଏ ଗୋଷ୍ଠୀ କଳା ପତାକା ଦେଖାଇ ନାରାବାଜି କରିଥିଲେ। ପଦଯାତ୍ରାକୁ ବାଟ ଛାଡ଼ି ନଥି‌େଲ। ସେଠାରେ କିଛି ସମୟ ପାଇଁ ସାଂସଦଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟ ଠେଲାପେଲା ହୋଇଥିଲା। ଏହି ସମୟରେ ଅପରାଜିତା ସେଠାରେ ପହଞ୍ଚିଥିଲେ ବି ବାଟ ଏଡ଼ାଇ ସେଠାରୁ ପଳାଇ ଯାଇଥିଲେ।

ସାଂସଦଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ ନିଜ ଦଳ ଭିତରୁ ବିରୋଧ ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅପରାଜିତା ଲଗାତାର ଭାବେ ଲୋକସମ୍ପର୍କ ଯାତ୍ରା କରୁଥିଲେ ବି ଦଳର ରାଜ୍ୟ ଶାଖା ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାନ୍ତି। ବିଶେଷକରି ଭୁବନେଶ୍ବରରୁ ବାହାରିଥିବା ‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’ କାର୍ଯ୍ୟକ୍ରମରେ ଅପରାଜିତା ଯୋଗ ଦେଇ ନ ଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭୁବନେଶ୍ବର ଆସିଥିଲେ ବି ଅପରାଜିତା ସେହିଦିନ ଯାଜପୁର ଚାଲି ଯାଇଥିଲେ ଅନ୍ୟ କାର୍ଯ୍ୟକ୍ରମରେ। ଏହା ପୂର୍ବରୁ ବିଜେପି ପକ୍ଷରୁ ପରୀ ପ୍ରସଙ୍ଗରେ ରାଜଧାନୀରେ ଦୁଇଦୁଇ ଥର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ବି ସେଥିରେ ଅପରାଜିତା ସାମିଲ ହୋଇ ନ ଥିଲେ।

ଭୁବନେଶ୍ବରରେ ସାଂସଦଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଓ ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାମିଲ ହେଉଛନ୍ତି। କିନ୍ତୁ ସାଂସଦଙ୍କ ସହ ବିଜେପିର ପୁରୁଣା କର୍ମକର୍ତ୍ତାଙ୍କର ସମ୍ପର୍କ ଆଦୌ ଭଲ ନାହିଁ କହିଲେ ଚ‌େଳ। ସାଂସଦ ନିଜର ନିର୍ଦ୍ଦିଷ୍ଟ ସମର୍ଥକମାନଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଥିଲା ବେଳେ ପୁରୁଣା କର୍ମକର୍ତ୍ତାମାନେ ସେଥିରେ ସାମିଲ ହେଉ ନାହାନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଏହି ବିବାଦ ପଦାକୁ ଆସିଛି। ଭୁବନେଶ୍ବର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପଛରେ ସାଂସଦଙ୍କ ହାତ ଅଛି ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ। ସାଂସଦଙ୍କ ଖାସ୍ ସମର୍ଥକଙ୍କ ନାମରେ ମଧ୍ୟ ସେ ଏତଲା ଦେଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ ଓ କିଛି ଦିନ ପରେ ପୁନର୍ବ‌ାର ପୂର୍ବ ସଭାପତିଙ୍କୁ ଫେରାଇ ଅଣାଯିବା ଘଟଣା‌ରେ ବିଜେପିର ଗୋଷ୍ଠୀକନ୍ଦଳ ମଧ୍ୟ ଜଳଜଳ ହୋଇ ଦେଖାଯାଇଥିଲା। ତେବେ ବିଜେପିର ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଆଗକୁ ଏହି ବିବାଦ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର