୩୧ରେ ବିଏମ୍‌ସି ଘେରିବ ବିଜେପି, ମୌଳିକ ସୁବିଧାରୁ ବଞ୍ଚିତ ସହରବାସୀ

ଭୁବନେଶ୍ବର: ରାଜଧାନୀବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହାର ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇବ। ଆସନ୍ତା ୩୧ ତାରିଖ ସକାଳ ୧୦ଟାରେ ଜିଲ୍ଲା ବିଜେପି ପକ୍ଷରୁ ବିଏମ୍‌ସି ସମ୍ମୁଖରେ ଧାରଣା ଦିଆଯିବ। ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସଭାପତିତ୍ବରେ ଆଜି ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ପ୍ରତିବର୍ଷ ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକ ମୃତ୍ୟୁବରଣ କରୁଛନ୍ତି। ରାସ୍ତାଘାଟ ବି ମରଣଯନ୍ତା ପାଲଟିଛି। ଦିନକୁ ଦିନ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇପଡ଼ିଲାଣି। ଅଧପନ୍ତରିଆ ରାସ୍ତାଘାଟ ଓ ଡ୍ରେନ୍ ଯୋଗୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ରାଜଧାନୀରେ ଥିବା ୧୧ଟି ପ୍ରାକୃତିକ ଝରଣା ଉଦ୍ଧାର ହେଉ ନାହିଁ। ପରିମଳ ବ୍ୟବସ୍ଥା ଉଜୁଡ଼ି ଗଲାଣି। ଫନି ପ୍ରଭାବିତ ଗରିବ ଲୋକଙ୍କୁ କ୍ଷତିପୂରଣ ଦେବାରେ ସରକାର ବିଫଳ ହୋଇଛନ୍ତି। ଏସବୁ ବିରୋଧରେ ବିଜେପିର ଆନ୍ଦୋଳନ ଜାରି ରହିବ ବୋଲି ଦଳ ଚେତାବନୀ ଦେଇଛି। ପ୍ରସ୍ତୁତି ବୈଠକରେ ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ ଓ ବାବୁ ସିଂହଙ୍କ ସମେତ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର