କଳିଙ୍ଗ ଷ୍ଟୁଡିଓ-ସମ୍‌ ହସ୍ପିଟାଲ ରାସ୍ତାରେ ଡ୍ରେନ୍‌ ପାଣିର ବନ୍ୟା, ଧାରଣା ଦେଲା ବିଜେପି

ଭୁବନେଶ୍ୱର : କଳିଙ୍ଗ ଷ୍ଟୁଡିଓରୁ କଳିଙ୍ଗନଗରକୁ ଲମ୍ବିଥିବା ରାସ୍ତାରେ ଲହଡ଼ି ମାରୁଛି ଡ୍ରେନ୍‌ର ପଚା ପାଣି। ଦୀର୍ଘ ଦଶ ଦିନ ହେଲା ଏହି ରାସ୍ତାରେ ଫୁଟେ ଉଚ୍ଚରେ ପଚା ପାଣିର ବନ୍ୟା ସୃଷ୍ଟି ହୋଇଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ଫଳରେ ହଜାର ହଜାର ଲୋକ ଦଶ ଦିନ ହେଲା ବଡ଼ ହନ୍ତସନ୍ତ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆୟୁର୍ବେଦ ହସ୍ପିଟାଲ ନିକଟରେ ଧାରଣା ଦେଇଥିଲେ।

ସେମାନଙ୍କ ଅଭିଯୋଗ ଅନୁସାରେ ଏହି ରାସ୍ତା ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲେ ବି ବିଏମ୍‌ସି ଡ୍ରେନ୍‌ ନିର୍ମାଣ କରିଛି। ମାତ୍ର ଡ୍ରେନ୍‌ ନିର୍ମାଣରେ ବ୍ୟାପକ ତ୍ରୁଟି ଥିବାରୁ ବହୁ ସମୟରେ ପଚା ପାଣି ରାସ୍ତା ଉପରକୁ ମାଡ଼ି ଆସୁଛି। ଫଳରେ ରାସ୍ତା ଉପରେ ଡ୍ରେନ୍‌ ଜଳ ଏକପ୍ରକାର ବନ୍ୟା ସୃଷ୍ଟି କରୁଛି। ତେଣୁ ସମ୍‌ ହସ୍ପିଟାଲକୁ ଯାଉଥିବା ଶହ ଶହ ରୋଗୀ, କଳିଙ୍ଗନଗର, ଶ୍ୟାମପୁର, ନୂଆଗାଁ, ମଳିପଡ଼ା ଆଦି ଅଞ୍ଚଳର ବାସିନ୍ଦାମାନେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁ୍ଖୀନ ହେଉଛନ୍ତି। ସେହିଭଳି ରାସ୍ତା କଡ଼ରେ ଥିବା ବ୍ୟବସାୟୀ ଓ ଘରଗୁଡ଼ିକ ମଧ୍ୟ ଏଥିପାଇଁ ପ୍ରଭାବିତ ହେଉଛନ୍ତି। ସେଠାରେ ରହୁଥିବା ଲୋକେ ଘରର ଝରକା ଖୋଲି ପାରୁନଥିବାବେଳେ ଦୋକାନକୁ ଗ୍ରାହକମାନେ ଆସୁନାହାନ୍ତି। ଏନେଇ ସ୍ଥାନୀୟ ଲୋକେ ବିଏମ୍‌ସିରେ ଅଭିଯୋଗ କରିଥିଲେ। ମାତ୍ର କେହି କର୍ଣ୍ଣପାତ କଲେ ନାହିଁ। ତେଣୁ ଶେଷରେ ଆଜି ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ବିଜେପି ନେତା ବାବୁ ସିଂ, ସଂଗ୍ରାମ କେଶରୀ ନାୟକ, ଅଭିଷେକ ଆଚାର୍ଯ୍ୟ, ଅଞ୍ଜନ ନାଥ, ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ନିରୁଆ ରାଉତ, ଦିଲ୍ଲୀପ ବେହେରା, ରଶ୍ମିରଞ୍ଜନ ମୁଦୁଲି, ଅନଙ୍ଗ ବିକ୍ରମ ବିଶ୍ୱାଳ, ସୁନୀଲ ସ୍ୱାଇଁ, ସ୍ମୃତିରଞ୍ଜନ ଦାଶ, ସୁରେଶ ସାହୁ, ଶରତ ଜେନା, ଲକ୍ଷ୍ମୀଧର ସେନାପତି, ସୁଧାଂଶୁ ସାମଲ, କଳ୍ପନା ଦାସ, ହିରଣ୍ୟ ବେହେରା, ନାରାୟଣ ପାଢ଼ୀ, ନରେନ୍ଦ୍ର ସାହୁ, ତ୍ରିଲୋଚନ ସାହୁ ପ୍ରମୁଖ ସାମିଲ୍ ହୋଇଥିଲେ। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ଆଗାମୀ ଦିନରେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର