ଉତ୍କଳ-କନିକା ଗ୍ୟାଲେରିଆର ଜବରଦଖଲ ମାମଲା : ମଲ୍‌ ଆଗରେ ବିଜେପିର ବିକ୍ଷୋଭ

ପୁରୁଣା ଭୁବନେଶ୍ୱର : ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ଦ୍ୱାରା ହୋଇଥିବା ସରକାରୀ ଜମି ହଡ଼ପକୁ ବିରୋଧ କରି ଆଜି ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା। ବିଜେପି ପକ୍ଷରୁ ଶତାଧିକ କର୍ମୀ ଏହି ମଲ୍‌ ସମ୍ମୁଖରେ ଆଜି ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଉଭୟ ରାଜ୍ୟ ସରକାର ଓ ମଲ୍‌ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ପ୍ଲା’ କାର୍ଡ ପ୍ରଦର୍ଶନ କରିଥିଲେ। ମଲ୍‌ ଦ୍ବାରା ହୋଇଥିବା ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ ଦାବି କରି ବିଜେପିର ଏକ ପ୍ରତିନିଧିଦଳ ବିଏମ୍‌ସି କମିସନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ବିକ୍ଷୋଭକାରୀମାନଙ୍କ ଅଭିଯୋଗ ଅନୁସାରେ, ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାକୁ ସଂପ୍ରସାରଣ କରି ଚାରିଥାକିଆ ରାସ୍ତା କରିବାକୁ ରାଜ୍ୟ ସରକାର ଦେଢ଼ ବର୍ଷ ତଳେ ଟେଣ୍ଡର କରିଥିଲେ। ଏଥିପାଇଁ ପ୍ରାୟ ଏକ କୋଟି ଷାଠିଏ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। କାର୍ଯ୍ୟ ଆରମ୍ଭ ପାଇଁ ବିଭିନ୍ନ ଜବରଦଖଲ ହଟାଇବାକୁ ଉଦ୍ୟମ କରାଯାଇଥିଲା। କିଛି ଉଠା ଦୋକାନୀଙ୍କ ସମେତ ଛୋଟଛୋଟ କନ୍‌ଷ୍ଟ୍ରକସନ୍‌କୁ ଭାଙ୍ଗି ଦିଆଯାଇଥିଲା। ପରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ବେଆଇନ୍ ଜବରଦଖଲ ଆରମ୍ଭ ହୋଇଥିଲା। ତେବେ ଏତିକିବେଳେ ଅଟକି ଯାଇଥିଲେ ରାଜ୍ୟ ସରକାର। ଏମିତିକି ମଲ୍‌ର ଜବରଦଖଲକୁ ହଟାଇବା ପାଇଁ ପଛଘୁଞ୍ଚ‌ା ଦେଇଥିଲେ। ଖୋଦ୍ ରାଜ୍ୟ ସରକାର ଓ ବିଏମ୍‌ସି ପ୍ରଶାସନ ମଲ୍‌ର ମାଲିକଙ୍କ ସମ୍ମୁଖରେ ଆତ୍ମସମର୍ପଣ କରି ଦେଇଥିଲେ। ତେଣୁ ଦେଢ଼ ବର୍ଷ ତଳେ ହୋଇଥିବା ଟେଣ୍ଡର ଓ ନିର୍ମାଣ କାର୍ଯ୍ୟାଦେଶକୁ ବାତିଲ କରିଦେଲେ ରାଜ୍ୟ ସରକାର। ରାଜ୍ୟ ସରକାର ପୂର୍ବ ପ୍ଲାନିଂ ଓ ଡିଜାଇନକୁ ଡଷ୍ଟବିନ୍‌ଜୁ ପକାଇ ଦେଇ ଚାରିଥାକିଆ ରାସ୍ତା ନିର୍ମାଣର ନୂଆ ନକ୍‌ସା ପ୍ରସ୍ତୁତ କରିଛନ୍ତି। ମଲ୍‌ର ଜବରଦଖଲରେ ଥିବା ସୌନ୍ଦର୍ଯ୍ୟୀକରଣ ସ୍ଥାନକୁ ସୁରକ୍ଷିତ ରଖିବାକୁ ଯାଇ ସରକାର ଏହି ନୂଆ ନକ୍‌ସା କରିଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି। ଏହି ନିଷ୍ପତ୍ତି ଅନୁସାରେ ବିଏମ୍‌ସି କାର୍ଯ୍ୟାଳୟ, ରାଜ୍ୟ ସଂଗ୍ରହାଳୟ, ଭଞ୍ଜକଳା ମଣ୍ଡପ ଓ ବିଜେବି କଲେଜକୁ ବହୁତ କ୍ଷତି ପହଞ୍ଚିବ। ଏହି ସବୁ ସରକାରୀ ସଂସ୍ଥାର କିଛି ଅଂଶକୁ ଭାଙ୍ଗିବା ଓ ପୁଣି ଗଢ଼ିବାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଏହା ଦ୍ବାରା ରାଜ୍ୟବାସୀଙ୍କ ଟିକସ ଅର୍ଥ ଅଯଥା ବ୍ୟୟ ହେବ। ଏହା ପଛରେ କେଉଁ ବ୍ୟକ୍ତିଙ୍କ ହାତ ରହିଛି, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକ ମଲ୍‌ ପାଇଁ ବହୁ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନର ସମ୍ପତ୍ତି ତୁଚ୍ଛ ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ସରକାରୀ ଅର୍ଥର ଅପବ୍ୟୟ ପାଇଁ ପ୍ରସ୍ତୁତ ହୋଇଥିବା ନୂଆ ନକ୍‌ସାକୁ ବାତିଲ କରିବା ଓ ମଲ୍‌ର ଜବରଦଖଲକୁ ତୁରନ୍ତ ହଟାଇବାକୁ ବିଜେପି ଦାବି କରିଛି। ନଚେତ୍‌ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଦଳୀୟ ନେତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲା, ବିଭିନ୍ନ ମୋର୍ଚ୍ଚା ଓ ମଣ୍ଡଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର