ବିଦ୍ୟୁତ୍ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ବିଧାନସଭା ସମ୍ମୁଖରେ ବିଜେପିର ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟୁତ୍ ଶୁଳ୍କବୃଦ୍ଧି, ଅଘୋଷିତ ବିଜୁଳି କାଟ୍‌ ଓ ଲୋ-ଭୋଲଟେଜ୍‌କୁ ବିରୋଧ କରି ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମାହାଙ୍ଗାରେ ବିଜେପି ନେତା ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ କରି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି ମଧ୍ୟ କରାଯାଇଥିଲା। ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଆଦି ସମସ୍ତ ମୋର୍ଚ୍ଚାର କର୍ମକର୍ତ୍ତା ଓ କର୍ମୀମା‌ନେ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଘଟଣାସ୍ଥଳରୁ ପୁଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରି ପରେ ଛାଡ଼ିଥିଲା।

ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ଅଭିଯୋଗ ଅନୁସାରେ ଗତ ୬ ମାସ ଭିତରେ ଓଇଆର୍‌ସି ୟୁନିଟ୍ ପିଛା ୫୦ ପଇସା ଦର ବୃଦ୍ଧି କରିଛି। କରୋନା ମାହାମାରୀ ସମୟରେ ସାଧାରଣ ଜନତାଙ୍କ ଜୀବନ ଜୀବିକା ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟରେ ନିଜର ସ୍ବତନ୍ତ୍ରତା ହରାଇଥିବା ଓଇଆର୍‌ସି ଜରିଆରେ ସରକାରଙ୍କ ବିଜୁଳି ଦର ବୃଦ୍ଧି ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି। ବିଭାଗୀୟ ମନ୍ତ୍ରୀ ବିଜୁଳି ଦର ବୃଦ୍ଧି ଉପରେ ପୁର୍ନବିଚାର କରାଯିବା ପାଇଁ ଓଇଆର୍‌ସିକୁ ଚିଠି ଲେଖିବେ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୬ ମାସ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀ ଚିଠି ଲେଖିନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ସରକାର ଓ ଓଇଆର୍‌ସି ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ବିରୋଧରେ ବିଜେପି ଚୁପ୍‌ ବସିବ ନାହିଁ। ଏନେଇ ବିଜେପି ସତ୍ୟାଗ୍ରହ କରିବ ବୋଲି ସେ କହିଛନ୍ତି। ସେହିପରି ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଶ୍ରୀ ସିଂ ଅଭିଯୋଗ କରି ତୁରନ୍ତ ତାଙ୍କ ବହିଷ୍କାର ଦାବି କରିଛନ୍ତି।

ଆଜିର ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ହରେକୃଷ୍ଣ ଖୁଣ୍ଟିଆ, ରାଜେନ୍ଦ୍ର ପଣ୍ଡା, ରତିକାନ୍ତ ଦାସ, ଅର୍ପିତା ଅପରାଜିତା ବଡ଼ଜେନା, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ବିଭାସ ସେନଗୁପ୍ତା, ନିରଞ୍ଜନ ରାଉତରାୟ, ତୃପ୍ତିମୟୀ ମକଦ୍ଦମ, ମାନସୀ ରାୟ ପାଢୀ, ମନ୍ଦାକିନୀ ପାତ୍ର, ରଶ୍ମିରଞ୍ଜନ ମୁଦୁଲି, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମ କବାଟ, ସନ୍ତୋଷ ଜେନା, ରାମଚନ୍ଦ୍ର ରଣସିଂ, ସୁରେନ୍ଦ୍ର ପ୍ରଧାନ, ଅରୁଣ ପୁରହିତ, ଜିତେନ୍ଦ୍ର ମହାନ୍ତି, ଉର୍ଣ୍ଣତି ପରିଡା, ତାପସ ଦଳାଇ, ସୁଶାନ୍ତ କୁମାର ସାବତ, ମନୋରଞ୍ଜନ ସ୍ୱାଇଁ, ଗଙ୍ଗାରାମ ସୋରେନ, ମାଳତୀ ହେମ୍ରମ, କାର୍ତିକ ସୁନ୍ଦରାୟ, ରଶ୍ମିରଞ୍ଜନ କାନୁନ୍‌ଗୋ, ରଜନୀବାଳା ଦାସ, ଭୀମସେନ ନାୟକ, ସୁନୀଲ ସ୍ୱାଇଁ, ସବିତା ପଟ୍ଟନାୟକ, ସୁମିତ୍ରା ଆଚାର୍ଯ୍ୟ, ପ୍ରତୀକ୍ଷା ମହାପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର