ସତ୍ୟାଗ୍ରହରେ ବସିଲା ବିଜେପି, ଟାର୍ଗେଟ୍‌ ୪୮ଘଣ୍ଟା

ଧର୍ମେନ୍ଦ୍ର ସାହୁ ମୃତ୍ୟୁ, ଅର୍ଚ୍ଚନା ସେକ୍ସଟର୍ସନ ମାମଲା

ଭୁବନେଶ୍ବର: ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଭୂମିକା ରହିଛି। ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ବେ ଶାସକ ଦଳ ଚାପରେ ପୁଲିସ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିପାରୁନାହିଁ। ସେହିଭଳି ଅର୍ଚ୍ଚନା ନାଗଙ୍କ ବ୍ଲାକମେଲ୍‌ କେଳେଙ୍କାରୀରେ ମଧ୍ୟ ମାଳମାଳ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଆଖି ବନ୍ଦ କରିଦେଇଛନ୍ତି। ତେଣୁ ଚାପରେ ଆସି ପୁଲିସ ଚୁପ୍ ରହୁଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଭଳି ମାଳମାଳ ଅଭିଯୋଗ ଆଣି ରାଜ୍ୟ ବିଜେପି ଆଜି କମିସନରେଟ୍ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ସତ୍ୟାଗ୍ରହ ଆରମ୍ଭ କରିଛି।

ସତ୍ୟାଗ୍ରହରେ ଯୋଗଦେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶିକ୍ଷା ବ୍ୟବସ୍ଥାର ପରିଚାଳକ ଶିକ୍ଷାମନ୍ତ୍ରୀ ଏବଂ ଆଇନଶୃଙ୍ଖଳା ନିୟନ୍ତ୍ରକ ଗୃହମନ୍ତ୍ରୀ, ଉଭୟ ଦିଗହରା ହେବା ଯୋଗୁଁ ରାଜ୍ୟରେ ଗଣତନ୍ତ୍ର ଭୁଶୁଡ଼ିବା ସ୍ଥିତିକୁ ଚାଲିଆସିଛି। ୨୨ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ରହି ବିଜେଡି ଗଣତନ୍ତ୍ର ପ୍ରତି ବିପଦ ଆଣି ଦେଇଛି। ଅତୀତରେ ବହୁ ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବା ବିଜେଡିର ମନ୍ତ୍ରୀ ଓ ନେତାଙ୍କୁ ସୁରକ୍ଷା ଦେବା କାରଣରୁ ରାଜ୍ୟରେ ଅନାଚାର ଓ ବ୍ୟଭିଚାର ସୀମା ଲଂଘିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର, ମୁଖପାତ୍ର ସୋନାଲି ସାହୁ ପ୍ରମୁଖ ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇଚାଲିଛି ବୋଲି କହିଥିଲେ।

ସେହିଭଳି ଅର୍ଚ୍ଚନା ମାମଲାରେ ବକ୍ତାମାନେ ବର୍ଷିଥିଲେ। ସେ କିଭଳି ବିଧାନସଭାକୁ ଯାଉଥିଲେ ବୋଲି ସେମାନେ ପ୍ରଶ୍ନ କରିଥି‌ଲେ। ଏହି ମାମଲାରେ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି। ତେଣୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଚ୍ଚନା ମାମଲାରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର