ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କ ଗିରଫ ଦାବିରେ ବିଜେପିର ଅନଶନ

ଭୁବନେଶ୍ୱର,: ବମିଖାଲ ଓଭରବ୍ରିଜ୍‌ ଅଘଟଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଦାୟୀ କରିଛି ବିଜେପି। ତୁରନ୍ତ ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଆଜି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ବିଜେପିର ବହୁ କର୍ମୀ ଏକ ଶୋଭାଯାତ୍ରାରେ ବମିଖାଲ ଓଭରବ୍ରିଜ୍‌ ନିକଟରେ ପହଞ୍ଚିଥିଲେ। ପରେ ସେଠାରେ ଅନଶନରେ ବସି ରହିଥିଲେ। ସେହିପରି ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା। ଏନେଇ ଦଳ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରାଯାଇଛି। ଦଳର ଅଭିଯୋଗ ହେଲା, ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ନିମ୍ନମାନର ହୋଇଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି। ତେଣୁ ଏଥିରେ ସମ୍ପୃକ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅନଶନରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜକିଶୋର ଦାସ, ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ନିରଞ୍ଜନ ମିଶ୍ର, ସଂଗ୍ରାମ କେଶରୀ ପାଇକରାୟ, ସୁରେଶ ଜେନା, ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର