ମାର୍କେଟ ବିଲ୍‌ଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କରାଜ ଘଟଣା: ମୁଖ୍ୟ ଅଭିଯୁକ୍ତ ଗୋପୀର ମିଳୁନି ପତ୍ତା

ବିଜେଡି ନେତାଙ୍କୁ ଟାର୍ଗେଟ୍‌ କଲା ବିଜେପି

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧୀନ ମାର୍କେଟ୍‌ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କରାଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକର ପତ୍ତା ପାଉନି ପୁଲିସ। ଏଣେ ଗୋପୀନାଥ ଆଗୁଆ ଜାମିନରେ ଯିବାକୁ ପ୍ରସ୍ତୁତି କରିଥିବା ଚର୍ଚା ହେଉଛି। ଯାହା ସୂଚନା ମିଳିଛି, ଘଟଣା ଦିନ ଗୋପୀ ହିଁ ଯୁବତୀଙ୍କ ସହିତ ମାର୍କେଟ ବିଲଡିଂ ଆସିଥିଲା। ଏଠାରେ ଘଣ୍ଟା ଦୋକାନୀଙ୍କ ସହିତ ଘଣ୍ଟା କିଣାକୁ ନେଇ ମୂଲଚାଲରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରେ ଗୋପୀ ରାଗ ତମତମ ହୋଇ ଚିଣ୍ଟକୁ ଫୋନ୍ କରିଥିଲା। ଚିଣ୍ଟୁ ଓ ତା’ର ସହଯୋଗୀମାନେ ପରେ ମାର୍କେଟ ବିଲ୍‌ଡିଂର ଉଠା ଦୋକାନୀମାନଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ, ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧି ଆକ୍ରମଣ କରିଥିଲେ। ବଡ଼ କଥା ହେଉଛି, ଏହି ଘଟଣାରେ ପୁଲିସ ଏଯାଏ ୨୯ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ନାବାଳକ। ଯାହାକୁ ନେଇ କମିସନରେଟ ପୁଲିସ ଏବେ ଚିନ୍ତାରେ। ଏ ନେଇ ଖୁବ୍ ଶୀଘ୍ର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଆଜି ଏହି ଘଟଣାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିର ଦୁଇ ଜଣ ନେତାଙ୍କୁ ଟାଣିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏହି ଦୁଇଜଣ ନେତା ଆଶ୍ରୟ ଦେଇଥିଲେ। ତେଣୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ଖୁଣ୍ଟିଆ, ଜିଲ୍ଲା ଉପସଭାପତି ଉପେନ୍ଦ୍ର ଭଞ୍ଜ, ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ନାୟକ ଓ ଅଚ୍ୟୁତାନନ୍ଦ ରଣଜିତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର