ସରକାର ବନାଇବା ନୁହେଁ, ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ: ଶିବରାଜ

ନେହରୁଙ୍କୁ ଅପରାଧୀ ବୋଲି ବର୍ଣ୍ଣନା କଲେ

ଭୁବନେଶ୍ବରମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନଙ୍କ ଓଡ଼ିଶା ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି ପକ୍ଷରୁ ହୋଟେଲ୍‌ ପଲ୍‌ ହାଇଟ୍‌ସ୍‌ରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଲେ, ସରକାର ବନାଇବା ନୁହେଁ, ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ। ତେଣୁ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ବିଜେପିରେ ସାମିଲ୍‌ ହୋଇ ଦଳକୁ ସଶକ୍ତ କରିବାର ଆବଶ୍ୟକତା ରହିଛି।

କଶ୍ମୀର ପ୍ରସଙ୍ଗରେ ଶ୍ରୀ ଚୌହାନ କହିଲେ, ସ୍ବାଧୀନତା ପରେ ଭାରତକୁ ଭାଗଭାଗ କରିବାରେ କଂଗ୍ରେସର ବଡ଼ ଭୂମିକା ରହିଛି। ଆଜି କଶ୍ମୀରର ଏପରି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଦାୟୀ ଓ ସେ ଜଣେ ଅପରାଧୀ। ସର୍ଦ୍ଦାରବଲ୍ଲଭ ଭାଇ ପଟେଲ୍‌ ସବୁ ରାଜ୍ୟକୁ ଭାରତରେ ମିଶାଇଥିଲେ। କିନ୍ତୁ ନେହରୁ କଶ୍ମୀର କଥା ବୁଝିବେ ବୋଲି କହି ଏକ ଭାଗ ପାକିସ୍ତାନକୁ ଦେଇଦେଲେ। ଧାରା ୩୭୦ ଉଚ୍ଛେଦ ପରେ ଏବେ କଶ୍ମୀରବାସୀଙ୍କୁ ସ୍ବାଧୀନତା ମିଳିଛି। ସେହିପରି ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁସ୍‌ଲିମ୍ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି। ମୋଦୀ ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛନ୍ତି। ଶତ୍ରୁ ପକ୍ଷକୁ ମୁହଁତୋଡ଼ ଜବାବ ଦିଆଯାଉଛି। ଏକ ଭାରତ ଓ ଶ୍ରେଷ୍ଠ ଭାରତ ବନାଇବା ପାଇଁ ଆମେ ସଂକଳ୍ପ ନେବା ଆବଶ୍ୟକ ବୋଲି ଶ୍ରୀ ଚୌହାନ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଲେ, ବିଜେପି ହେଉଛି ଏକମାତ୍ର ଦଳ ଯେଉଁଠାରେ ଚା ବିକାଳି ପ୍ରଧାନମନ୍ତ୍ରୀ ହୋଇପାରିବ ଓ ଜଣେ ଖବରକାଗଜ ବିକାଳି ରାଷ୍ଟ୍ରପତି ହୋଇପାରିବ। ବୁଥ୍‌ ସ୍ତରରେ ସଦସ୍ୟତା କାର୍ଯ୍ୟକ୍ରମକୁ ବ୍ୟାପକ କରି ଏକ ନୂଆ ଓଡ଼ିଶା ଗଠନ କରିବା ଲକ୍ଷ୍ୟକୁ ପୂରଣ କରିବା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ଦାମୋଦର ରାଉତ, ଐରଖାରବେଳ ସ୍ବାଇଁ, ରାଜ୍ୟ ସଦସ୍ୟତା ପ୍ରଭାରୀ ଅନନ୍ତ ନାଏକ, ପ୍ରକାଶ ମିଶ୍ର, ବିନୋଦ ଦାଶ ଓ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର