‘ମୋ ସାଇକେଲ୍‌’ କିଣାକୁ ଟାର୍ଗେଟ କଲା ବିଜେପି: ‘ବଡ଼ ଦୁର୍ନୀତି ହୋଇଛି, ହାଇକୋର୍ଟ ଯିବୁ’

ଏକମାତ୍ର ଅଭିଯୁକ୍ତ ୭ ମାସ ହେଲା ଚାକିରି ଛାଡ଼ିଲେଣି

ଭୁବନେଶ୍ବର : ୨୫ ହଜାର ଟଙ୍କାରେ ଇ-ସାଇକେଲ୍‌ ମିଳୁଥିବା ବେଳେ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ‘ମୋ ସାଇକେଲ୍‌’ ଗୋଟାକୁ ୨୫ ହଜାର ଟଙ୍କା ଦେଇ କିଣିଛି। ଦୁଇ ଅନାମଧେୟ ସଂସ୍ଥାଠାରୁ ୨ ହଜାର ସାଇକେଲ୍‌ କିଣି କୋଟିକୋଟି ଟଙ୍କା ବରବାଦ କରିଛି। ତେଣୁ ‘ମୋ ସାଇକେଲ’ କିଣାରେ ବଡ଼ ଦୁର୍ନୀତି ହୋଇଛି। ଏଥିରେ ସାଇକେଲ୍‌ ଯୋଗାଇଥିବା ସଂସ୍ଥା ସହ ବିଏସ୍‌ସିଏଲ୍‌ର ସଲାସୁତରା ହୋଇଛି। ଆଜି ଏମିତି ଅଭିଯୋଗ ଆଣି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ଘେରିଛି ବିଜେପି ଏବଂ ଦୁର୍ନୀତିକୁ ପଦାକୁ ଆଣିବାକୁ କୋର୍ଟ ଯିବ ବୋଲି ଧମକ ଦେଇଛି। ଏ ନେଇ ଉଭୟ ହେକ୍ସି ଓ ବିଏସ୍‌ସିଏଲ୍‌ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା।

ତାଙ୍କ ଅଭିଯୋଗ ମୁତାବକ, ହେକ୍ସି ସାଇକେଲ କବାଡ଼ିଆକୁ ବିକ୍ରି ହେବା ଘଟଣା ସାମ୍ନାକୁ ଆସିବା ପରେ ବିଏସ୍‌ସିଏଲ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏଣେ ଥାନାରେ ଏତଲା ମଧ୍ୟ ଦେଇଥିଲା। ଏବେ ସମ୍ପୃକ୍ତ ସଂସ୍ଥାର ଅଧିକାରୀ ବିଭିନ୍ନ ଆଳ ଦେଖାଇ ଖସିଯିବାକୁ ମସୁଧା କରିଛନ୍ତି। ହେକ୍ସି କମ୍ପାନି ବିରୋଧରେ ପୂର୍ବରୁ ଏକାଧିକବାର ଅଭିଯୋଗ ଆସିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏବେ କବାଡ଼ିଆକୁ ସାଇକେଲ୍‌ ବିକ୍ରି ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆନଯିବା ବିଏସ୍‌ଏଲର ଭିତିରି ବୁଝାମଣା ପ୍ରମାଣିତ ହୋଇଛି। ଏଣୁ ଉଭୟ ଏବେ କୋର୍ଟରେ ଉତ୍ତର ରଖନ୍ତୁ ବୋଲି ଶ୍ରୀ ଜେନା କହିଛନ୍ତି।

ଅନ୍ୟପଟେ, ଗତକାଲି ସହିଦନଗର ଥାନା ପୁଲିସକୁ ହେକ୍ସି ସଂସ୍ଥାର ଅଧିକାରୀ ଦିଲ୍ଲୀରୁ ଆସି ଭେଟିବା ପରେ ଲିଖିତ ଉତ୍ତର ଦେଇଛନ୍ତି। ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେବ ନାହିଁ ସେ ନେଇ ପୁଲିସକୁ ଲିଖିତ ଭାବେ ବୁଝାଇବାକୁ ଉଦ୍ୟମ କରିଛନ୍ତି।

ବିଏସ୍‌ସିଏଲ୍‌ ପକ୍ଷରୁ ଦିଆଯାଇଥିବା ଏତଲାରେ ଥିବା ଅଭିଯୁକ୍ତର ନାମ ହେଉଛି ହେକ୍ସି ସଂସ୍ଥାର ଭୁବନେଶ୍ବରରେ କାମ କରୁଥିବା ସୂର୍ଯ୍ୟକାନ୍ତ ଦଳବେହେରା। ପୁଲିସ ତାଙ୍କୁ ପଚରାଉଚରା କରୁନାହିଁ କିମ୍ବା ଗିରଫ କରୁନାହିଁ। କେବଳ ମାମଲା ରୁଜୁ କରି ବସିଯାଇଛି। ତେବେ ଜନସ୍ବାର୍ଥ ମାମଲା ରୁଜୁ ହେବା ନେଇ ଆଜି ବିଜେପି ଲିଗାଲ୍‌ ସେଲ୍‌ ପକ୍ଷରୁ ଘୋଷଣା ହେବା ପରେ ପୁଲିସର ନିଦ ଭାଙ୍ଗିଛି। ସୂର୍ଯ୍ୟକାନ୍ତ ଦଳବେହେରାକୁ ଆଜି ପୁଲିସ ପଟିଆ ଯାଇ ଖୋଜାଖୋଜି କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସୂର୍ଯ୍ୟକାନ୍ତ ଦଳବେହେରା ବେଶ୍‌ କିଛି ମାସ ହେଲା ହେକ୍ସି ସଂସ୍ଥାର ଚାକିରି ଛାଡ଼ି ରାଜ୍ୟ ବାହ‌ାରେ ଚାକିରି କରୁଛନ୍ତି। ପୂର୍ବରୁ ସେ ଏଠାରେ ମ୍ୟାନେଜର ଥିବାରୁ ତାଙ୍କ ନାମ କେବଳ ବିଏମ୍‌ସି କାଗଜପତ୍ରରେ ଗଡ଼ୁଛି। ସେହି ଆଧାରରେ ଏତଲା ଦିଅ‌ାଯାଇଛି। ପୁଲିସ ମଧ୍ୟ ତାଙ୍କୁ ମିଛିମିଛିକା ‌‌େଖାଜୁଛି। ମାମଲାକୁ ରଫାଦଫା କରିବାକୁ ସବୁ ବାଟ ଖୋଲା ରହିଛି। ତେବେ ଯଦି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୁଏ, ତେବେ ଭିତରେ ଥିବା ଷଡ଼୍‌ଯନ୍ତ୍ର ପଦାକୁ ଆସିପାରେ ବୋଲି ଅନୁମାନ କରାଯାଉଛି।

ସଟ୍‌ଡାଉନ୍‌ରେ ବି ‘ମୋ ସାଇକେଲ୍‌’ ଚାହିଦା: ୧୨ ଘଣ୍ଟାରେ ୧୭୯ ବୁକିଂ
ଭୁବନେଶ୍ବର : କବାଡ଼ିବାଲାକୁ ଶହଶହ ‘ମୋ ସାଇକେଲ୍‌’ ବିକ୍ରି ହେବା ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ବିବାଦକୁ ଆସିଥିବାବେଳେ ରାଜଧାନୀରେ ‘ମୋ ସାଇକେଲ୍‌’ର ଚାହିଦା ବଢ଼ିଛି। ଆଜି ସହରରେ କରୋନା ପାଇଁ ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିଲେ ମଧ୍ୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ମୋଟ ୧୭୯ଟି ମୋ ସାଇକେଲ୍‌‌ ବୁକିଂ ହୋଇଛି। ବିଶେଷକରି ସକାଳୁ ଶହେରୁ ଊର୍ଦ୍ଧ୍ବ ସାଇକେଲ୍‌ ବୁକିଂ ହୋଇଥିବା ବେଳେ ବାକି ସାଇକେଲ୍‌ ସବୁ ଦିନ ସାରା ବୁକିଂ ହୋଇଛି। ଏହାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ୧୭୦୦ ଲୋକ ‘ମୋ ସାଇକେଲ’ ବୁକ୍ କରି ୧୫୦୦ ବିଭିନ୍ନ ରୁଟ୍‌ରେ ଚଳାଇଥିବା ଜଣାପଡ଼ିଛି। ପ୍ରାତଃଭ୍ରମଣ କାଳରେ ବ୍ୟାୟାମ ପାଇଁ କେହି କେହି ମୋ ସାଇକେଲ୍‌ ବ୍ୟବହାର କରିଥିବା ବେଳେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ମୋ ସାଇକେଲ୍‌ ଜରିଆରେ କେତେକ ହାଟରୁ ପରିବା ନେଇଥିବା କହିଛନ୍ତି। କରୋନା କଟକଣା ଯୋଗଁ ବହୁ ଦିନ ଧରି ଲୋକେ ‘ମୋ ସାଇକେଲ୍‌’ଠାରୁ ଦୂରେଇ ଯାଇଥିବାବେଳେ ଏଭଳି ଚାହିଦା ବଢ଼ିବା ଏବେ ନୂଆ ଆଶା ସୃଷ୍ଟି କରିଛି। ଆଗକୁ ପୂର୍ବଭଳି ‘ମୋ ସାଇକେଲ୍‌’ର ଚାହିଦା ବଢ଼ିବା ନେଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର