ଅପରାଧୀ ଓ ଠକଙ୍କୁ ବିଜେପି ଫୁଲମାଳ ଦେଇ ସ୍ୱାଗତ କରେ ଓ ଟିକେଟ ଦିଏ: ବିଜେଡି

ବିଜେପିର କେନ୍ଦ୍ରୀୟ ନେତା ଏଭଳି ଠକଙ୍କ ସଂକ୍ରାନ୍ତରେ ଅଜ୍ଞ

ଭୁବନେଶ୍ୱର: ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ କାରବାର କରୁଥିବା ଲୋକଙ୍କୁ ଓଡ଼ିଶା ବିଜେପି ନିୟମିତ ଭାବେ ଦଳରେ ସ୍ୱାଗତ କରୁଛି। କେବଳ ସେମାନଙ୍କୁ ସ୍ୱାଗତ କରିନାହାନ୍ତି ବରଂ ଟିକେଟ ମଧ୍ୟ ଦେଇଛନ୍ତି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ଅାପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଏମିତି ଜଣେ ଗୁଣ୍ଡା ହେଉଛନ୍ତି ପ୍ରଶାନ୍ତ ଜଗଦେବ। ଗତକାଲି ସେ ଇଭିଏମ୍‌ ଭାଙ୍ଗି ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଭୁବନେଶ୍ୱର ଲୋକସଭାର ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ବୋଲଗଡ଼ର ଏକ ପୋଲିଂ ବୁଥ୍‌ରୁ ଖସି ପଳାଇବାକୁ ଉଦ୍ୟମ କରିବାବେଳେ ଧରାପଡ଼ିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରିଛି। ଏବେ ଅନେକ କେନ୍ଦ୍ରୀୟ ନେତା ନିର୍ବାଚନ ପର୍ଯ୍ୟଟକ ଭାବେ ଓଡ଼ିଶା ଆସୁଛନ୍ତି। ଓଡ଼ିଶା ବିଜେପି ନେତାମାନେ ସେମାନଙ୍କୁ ଦେଇଥିବା ଲେଖାକୁ ଶୁଆ ଭଳି ଦୋହରାଉଛନ୍ତି। ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରି ଟିକେଟ ଦେବାର ନୀତି ବିଷୟରେ ସେମାନେ ବୋଧ ହୁଏ ଅଜ୍ଞ। ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି। କିନ୍ତୁ ଏହା ଶୁଣି ରାଜ୍ୟବାସୀ ହସୁଛନ୍ତି।

କାରଣ ନିକଟରେ ଦୁଇ କେନ୍ଦ୍ରୀୟ ନେତା କେନ୍ଦ୍ରାପଡ଼ାରେ ପ୍ରଚାର କରି ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି ବୋଲି କହିବା ସହ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଆଜି ଜମି ଜବରଦଖଲକାରୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଶ୍ରୀ ପଣ୍ଡା ଅଛନ୍ତି। ତାଙ୍କ କମ୍ପାନି ଅନୁସୂଚିତ ଜାତିର ଲୋକଙ୍କ ଠାରୁ ବେଆଇନ ଭାବେ ଜମି ଜବରଦଖଲ କରିଛି। ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି। ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସରକାରୀ ଜମିକୁ ଜବରଦଖଲ କରିଛି। ବି‌ଜେଡି ତାଙ୍କୁ ଦଳରୁ ବିଦା କରିଥିଲା କିନ୍ତୁ ବିଜେପି ତାଙ୍କୁ ଟିକେଟ୍ ଦେଇଛି। ପ୍ରଶାନ୍ତ ଜଗଦେବ ନିଶାଗ୍ରସ୍ତ ଅବସ୍ଥାରେ ବିଜେପି କର୍ମୀଙ୍କୁ ନିଜ କାର୍‌ ଚଢ଼ାଇବା ସହ ବାଲୁଗାଁର ବିଜେପି ଟାଉନ ସଭାପତିଙ୍କୁ ମାଡ଼ ମାରିଥିଲେ। ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ବିଜେପି ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲା ଓ ଟି‌କେଟ୍ ଦେଇଛି। ସେହିଭଳି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ‌େଲାକଙ୍କୁ ଠକିଥିବାରୁ ବିଜେଡି ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବିଦା କରିଥିଲା। କିନ୍ତୁ ବିଜେପି ତାଙ୍କୁ କୋଳେଇ ନେଇ ଟିକେଟ୍ ଦେଇଛି। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ଫୁଲମାଳ ପକାଇ ନିଜର ଆଗ ଧାଡ଼ିର ନେତା କରିଛନ୍ତି। ଏହା ହେଉଛି ବିଜେପିର ଅସଲ ଚେହେରା। ବିଜେପି ଏମିତି ଏକ ଦଳ ଯିଏ ଗୁଣ୍ଡା, ଜମି ଦଖଲକାରୀ, ଠକ ଏବଂ କଳାଧନକାରବାରୀଙ୍କୁ କୋଳେଇ ନେବା ସହ ଦଳୀୟ ଟିକେଟ ଦେଇଥାଏ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର