ଭୁବନେଶ୍ବର: ଜାଗା ମିସନ୍‌କୁ ନେଇ ବିବାଦ ଥମୁନି। ଏଥିରେ ବଣ୍ଟା ଯାଇଥିବା ଏଲ୍‌ଆରସିକୁ ବିଏମ୍‌ସି 'ଲିଗାଲ୍‌ ଡକ୍ୟୁମେଣ୍ଟ' କହୁଥିବା ବେଳେ ବିଜେପି ଏହାକୁ ନକଲି କାଗଜ କହିଛି। କମିସନର ବିଜେଡିର ମୁଖପାତ୍ର ସାଜି ଏହି ନକଲି ପଟ୍ଟା ବାଣ୍ଟୁଥିବା ଅଭିଯୋଗ କରିଛି। ଏହି ଠକେଇ ପାଇଁ ଖୁବ୍‌ଶୀଘ୍ର କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ନାମରେ ମାମଲା ରୁଜୁ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି।

Advertisment

ସମ୍ମିଳନୀରେ ଭୁବନେଶ୍ବର ବିଜେପି ଜିଲ୍ଲସିଂ କହିଛନ୍ତି, ପ୍ରତ୍ୟେକ ନିର୍ବାଚନ ଆଗରୁ ବିଜେଡି ନିର୍ବାଚନ ବୈତରୀ ପାର ହେବାପାଇଁ ପଟ୍ଟା ବଣ୍ଟା ନାଟକ କରିଥାଏ। ନିର୍ବାଚନ ଆସିଲେ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡ଼େ। ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ତିନି ତିନି ଥର ସର୍ଭେ କରି ଘର ଓ ଜମି ପଟ୍ଟା ଦେବେ ବୋଲି କହିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପଟ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ବସ୍ତିବାସିନ୍ଦାଙ୍କୁ ଦେଇଥିଲେ। ତାହା ରଦି କାଗଜଠାରୁ ହୀନ ବୋଲି କିଛିଦିନ ପରେ ବସ୍ତିବାସିନ୍ଦା ଜାଣିବାକୁ ପାଇଥିଲେ। ପୁଣି ଏବେ ଡ୍ରୋନ ସର୍ଭେ କରି ପ୍ରମାଣପତ୍ର ବାଣ୍ଟି ଏହା ଠିକ୍ ପଟ୍ଟା ବୋଲି କହିଲେ। ତାହାଲେ ପୂର୍ବରୁ ହୋଇଥିବା ତିନୋଟି ସର୍ଭେ କ'ଣ ଥିଲା? କମିସନର ବିଜୟ ଅମୃତା କୁଲାଙ୍ଗେ ବାରମ୍ବାର କହୁଛନ୍ତି- ବସ୍ତିବାସିନ୍ଦାଙ୍କୁ ଆମେ ପଟ୍ଟା ବଣ୍ଟନ କରୁଛୁ। ୟୁନିଟ୍‌-୪ରେ ଜଣେ ଲୋକ ଏହି ପଟ୍ଟା ପାଇଥିବା ସତ୍ୱେ ବିଏମ୍‌ସି ତାଙ୍କ ଘର ଭାଙ୍ଗିଦେଲା। ବନିତା ବିଶୋଇ ବିଏମସି ଦେଇଥିବା ପଟ୍ଟାକୁ ନେଇ ବ୍ୟାଙ୍କ ଋଣ ପାଇଁ ଯାଇଥିଲେ। କିନ୍ତୁ ଗୋଚର ଜମି ହୋଇଥିବାରୁ ଋଣ ଦେବା ପାଇଁ ବ୍ୟାଙ୍କ୍‌ ମନା କରିଦେଲା। ବିଏମସି କମିସନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ ଦେଉଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି। ଅନ୍ୟ ଜଣେ ବସ୍ତିବାସିନ୍ଦାଙ୍କୁ ୩୨୩ ବର୍ଗ ଫୁଟ୍‌ର ଜମି ଦେଇଛନ୍ତି। କିନ୍ତୁ ୨୦ଫୁଟର ରାସ୍ତା ନଥିଲେ ଘର ପ୍ଲାନ ଆପ୍ରୁଭାଲ ହେବନି। ତାଙ୍କ ଘର ପାଇଁ କେମିତି ପ୍ଲାନ ଆପ୍ରୁଭାଲ ଦେବ ବିଏମ୍‌ସି? ରାଜ୍ୟ ସରକାର ମିଛ ପଟ୍ଟା ଦେଇ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।

ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଘରବାଡି ପଟ୍ଟା ଦେବେ ବୋଲି କହିଥିଲେ କିନ୍ତୁ ଗୋଚର ଜମିରେ ଦେଇଛନ୍ତି। ପ୍ରିମିୟମ ଜମା ଅବଧି ୩ ଦିନ ଥିଲା, ତାହା ୬ମାସକୁ ବୃଦ୍ଧି କରିଛନ୍ତି। ନିର୍ବାଚନ ୬ମାସ ଥିବାରୁ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ଲଲିପପ୍‌ ଦେଇଛନ୍ତି। ନଗଦ ଟଙ୍କା ନେଇ 'ସୂଚନାପତ୍ର' ଦେଉଛନ୍ତି। ପରେ ସେମାନ ବିଏମ୍‌ସିରେ ଅଭିଯୋଗ କିମ୍ବା କୋର୍ଟରେ ଅଭିଯୋଗ କରିପାରିବେ ନାହିଁ। ଆଗାମୀ ଦିନରେ ବସ୍ତିବାସିନ୍ଦା ଏହାର ଜବାବ ଦେବେ। ଏ ପ୍ରସଙ୍ଗରେ ବିଜେପି ରାଜରାସ୍ତା ଓ କୋର୍ଟରେ ଲଢ଼ିବ ବୋଲି ଶ୍ରୀ ସିଂ କହିଛନ୍ତି। ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ଯଶୋଧାରା ପ୍ରଧାନ, ଧରିତ୍ରୀ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ।