ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଫିସ ଆଗରେ ବିଜେପି ମଣ୍ଡଳ ସଭାପତି ଓ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରି ଆତଙ୍କ ସୃଷ୍ଟି କରିବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରି ଦଳର ଭାବମୂର୍ତ୍ତି ରକ୍ଷା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାଲୁଗାଁ ଥାନାରେ ଦୁଇଟି ମାମଲା ମଧ୍ୟ ରୁଜୁ ହେଲା। ଯେଉଁଥିରେ ହତ୍ୟା ଧମକ, ଏସ୍ସିଏସ୍ଟି ନିର୍ଯାତନା ଭଳି ସଙ୍ଗିନ ଦଫା ରହିଛି। ବିଧାୟକଙ୍କୁ ଗିରଫ ଦାବିରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଅଡ଼ି ବସିଥିବା ବେଳେ ଆନ୍ଦୋଳନ ପାଇଁ ସଜବାଜ ମଧ୍ୟ ଆରମ୍ଭ ହେଲାଣି। କିନ୍ତୁ ଅଭିଯୁକ୍ତ ବାହୁବଳୀ ବିଧାୟକଙ୍କ ପତ୍ତା ମିଳୁନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ପ୍ରଶ୍ନ ଉଠୁଛି, ଗୁଣ୍ଡାଗର୍ଦ୍ଦି, ହତ୍ୟା ଧମକ ଭଳି ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଏଭଳି ଜଣେ ବିଧାୟକ ହଠାତ୍ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ? ରାଜ୍ୟରେ ଅଛନ୍ତି ନା ରାଜ୍ୟ ବାହାରକୁ ପଳାଇଛନ୍ତି? କେଉଁଠି ଆତ୍ମଗୋପନ କରିଛନ୍ତି? ତାଙ୍କୁ ଧରିବା ପାଇଁ ପୁଲିସ ଗୁଇନ୍ଦା ସହାୟତା ନେଇଛି ନା ନାହିଁ ? ପୁଲିସ ତାଙ୍କୁ ଜାଣିଶୁଣି ଖସିଯିବା ପାଇଁ ଏବଂ ପରବର୍ତ୍ତୀ ସମୟରେ ହାଇକୋର୍ଟରୁ ଆଗୁଆ ଜାମିନ ନେବା ପାଇଁ ସୁଯୋଗ ଦେଉନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି। ରାଜନୈତିକ ମହଲଠୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏଣେ ଏତେ ଦିନ ପରେ ବିୀ ବିଧାୟକଙ୍କ ପତ୍ତା ନ ମିଳିବାରୁ ରାଜ୍ୟ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଖୋର୍ଦ୍ଧା ପୁଲିସ ଘଟଣାର ତଦନ୍ତ କରୁଛି ସତ, କିନ୍ତୁ ବିଧାୟକଙ୍କୁ ଧରିବା ଲାଗି ରାଜ୍ୟ ପୁଲିସ ପକ୍ଷରୁ ସେମିତି କିଛି ତତ୍ପରତା ଦେଖିବାକୁ ମିଳୁନାହିଁ। କେବଳ ସରକାରୀ ବାସଭବନରେ ଚଢ଼ଉ କରି ପୁଲିସ ତାର କାମ ସାରିଦେଲା ଭଳି ଲାଗୁଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଆଜି ସନ୍ଧ୍ୟାରେ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଖୋର୍ଦ୍ଧା ପୁଲିସର ବରିଷ୍ଠ ଅଧିକାରଙ୍କୁ ନେଇ ଏକ ବୈଠକ ବସିଥିବା ଜଣାପଡ଼ିଛି।
ଆଇନଜୀବୀ ଧରଣୀଧର ନାୟକଙ୍କ କହିବା ଅନୁସାରେ, ଜଣେ ଜନପ୍ରତିନିଧି ସର୍ବ ସମ୍ମୁଖରେ ମାଡ଼ ମାରିବା, ଗାଳିଗୁଲଜ କରିବା, ଧମକ ଦେବା କେବଳ ଆଇନ ବିରୋଧୀ ନୁହେଁ, ସମାଜ ବିରୋଧୀ ମଧ୍ୟ। ସେହିପରି ଏସ୍ସିଏସ୍ଟି ନିର୍ଯାତନା ଆଇନର ଦଫା ମଧ୍ୟ ଲାଗିଛି। ଯାହା ଥାନାରୁ ଜାମିନଯୋଗ୍ୟ ନୁହେଁ। ତେଣୁ ପୁଲିସ ବିଧାୟକଙ୍କୁ ଗିରଫ କଲେ ଲୋକଙ୍କର ଆଇନ ଉପରେ ବିଶ୍ବାସ ବଢ଼ିବ।
ବାଲୁଗାଁରେ ବାହୁବଳୀ ବିଧାୟକଙ୍କ ଏଭଳି ମାଡ଼ ମାରିବା ଘଟଣା ନୂଆ ନୁହେଁ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି। ସର୍ବସମ୍ମୁଖରେ ମାଡ଼ ମାରିବା, ଧମକ ଦେବା ଭଳି ଅନେକ ଅଭିଯୋଗ ହୋଇଛି। ବୋଲଗଡ଼ରେ ମହିଳା ତହସିଲଦାରଙ୍କୁ ମାଡ଼ ମାରିବା, ପୁରୀ ଏସ୍ପିଙ୍କୁ ଧକ୍କା ମାରିବା, ବୌଦ୍ଧ ମନମୁଣ୍ଡାରେ କଳାପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ମାଡ଼ ମାରିବା ଭଳି ଅଭିଯୋଗ ରହିଛି ବିଧାୟକଙ୍କ ବିରୋଧରେ। ଏପରିକି ନିଜ ଦଳର କର୍ମୀଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ପୂର୍ବରୁ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ତାଙ୍କ ବିରୋଧରେ ପୂର୍ବରୁ ଦଳ ପକ୍ଷରୁ କେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏବେ ଅଚାନକ ତାଙ୍କୁ ଦଳରୁ ସସ୍ପେଣ୍ଡ କରାଯିବା ଫଳରେ ଏହାକୁ ନେଇ ଯେତେ ଚର୍ଚ୍ଚା ହେଉଛି, ତାଙ୍କୁ ଏଯାଏ ଗିରଫ କରାନିଯିବାକୁ ନେଇ ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/prashanta-jagadev-2.jpg)