ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ମାମଲାରେ ଗତକାଲି ରାତିରେ ପୁଲିସ କର୍ମଚାରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ସରକାରଙ୍କ ହାତବାରିସୀ ସାଜି ପୁଲିସ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ମାଡ଼ ମାରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଏତଲା ଦିଆଯିବା ସହ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ମାତ୍ର ୨୪ ଘଣ୍ଟା ବିତିବା ପରେ ବି କ୍ୟାପିଟାଲ ଥାନା ମାମଲା ରୁଜୁକଲା ନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

Advertisment

ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ଅପରାଜିତା ବଡଜେନା କହିଛନ୍ତି ଯେ ପୁଲିସ ଅମାନବୀୟ ଭାବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିବା ସହ ନିର୍ଦ୍ଦୋଷ କାର୍ଯ୍ୟକର୍ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରିଛି। ସଂଗିନ ଦଫା ଲଗାଇ ଜେଲ୍‌କୁ ପଠାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ। କିଛି ସାଦା ପୋଷାକଧାରୀ ପୁଲିସ ଏବଂ ବିଜେଡି ଗୁଣ୍ଡାମାନେ ବିକ୍ଷୋଭକାରୀଙ୍କୁ ଉସୁକାଇବା ସହିତ ଟେକାପଥର ମାଡ଼ କରିଥିଲେ। ଏହାର ଭିଡିଓ ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। କିନ୍ତୁ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ।

ଉଦ୍‌ବେଗର କଥା ହେଉଛି ସଂପୃକ୍ତ ଦୋଷୀଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା ଦେଲେ ମଧ୍ୟ ପୁଲିସ ଗ୍ରହଣ କରୁନାହିଁ। ଯଦି ରାଜଧାନୀରେ ଗୋଟିଏ ରାଷ୍ଟ୍ରୀୟ ଦଳର ଅଭିଯୋଗକୁ ପୁଲିସ ଗ୍ରହଣ କରୁନାହିଁ, ତା’ହେଲେ ସାଧାରଣ ଜନତାଙ୍କ ଏତଲାକୁ କିଭଳି ପୁଲିସ ଗ୍ରହଣ କରୁଥିବ, ସ୍ପଷ୍ଟ ଅନୁମେୟ ବୋଲି ଅର୍ପିତା କହିଛନ୍ତି। ବିକ୍ଷୋଭ, ପ୍ରତିବାଦ ଓ ଧାରଣା ଦେବା ପ୍ରତ୍ୟେକ ଲୋକଙ୍କର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଓଡ଼ିଶାର ବିଜେଡି ସରକାର ପୁଲିସ ଓ ପ୍ରଶାସନକୁ ଦଳୀୟ ସ୍ୱାର୍ଥରେ ଅପବ୍ୟବହାର କରି ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଦମନ କରିବାର ପ୍ରୟାସ ଜାରି ରଖିଛି। ଆଗକୁ ଏହି ଆନ୍ଦୋଳନ ଜୋର୍‌ଦାର୍ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।