ଭୁବନେଶ୍ବର: ମାଟ୍ରିକ୍‌ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଥାଏ ରାଜଧାନୀରେ ରହିବେ। କମ୍‌ ଖର୍ଚ୍ଚରେ ସରକାରୀ ବିଦ୍ୟାଳୟରେ ପଢ଼ିବେ; ବିଜ୍ଞାନ ହେଉ କି ବାଣିଜ୍ୟ ଅଥବା କଳା। ଅପରପକ୍ଷେ ପିଲା ପାଇଁ ନାମକରା କଲେଜରେ ସିଟ୍‌ ଗୋଟିଏ ମିଳିଗଲେ ଅଭିଭାବକଙ୍କ ଚିନ୍ତା ଗଲା। ପିଲା ସହରରେ ରହିଥିବାରୁ ଭଲ ପଢ଼ୁଥିବ ବୋଲି ବାପା, ମା’ ଭାବି ନେଇଥାନ୍ତି। ତେବେ ଅଭିଭାବକଙ୍କ ଆଶାକୁ ପିଲାମା‌ନେ କିଭଳି ପୂରଣ କରନ୍ତି ତାହା ଏଥର ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପରେ ଜଣାପଡ଼ିଛି। ବିଜ୍ଞାନ ବିଭାଗରେ ରେକର୍ଡ ରେଜଲ୍ଟ ହୋଇଥିଲେ ମଧ୍ୟ ବିଜେବି କଲେଜର ଜଣେ ପରୀକ୍ଷାର୍ଥୀ ୯୪%ରୁ ଅଧିକ ନମ୍ବର ରଖି ରାଜ୍ୟର ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଯେତେବେଳେ କି ଘରୋଇ କଲେଜଗୁଡ଼ିକର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଥିଲେ। ବାଣିଜ୍ୟରେ ବି ଭୁବନେଶ୍ବରର ହାତଗଣତି ସରକାରୀ କଲେଜ ପରୀକ୍ଷାର୍ଥୀ ଶ୍ରେଷ୍ଠ ‌ଶହେ ମଧ୍ୟକୁ ଆସିପାରିଥିଲେ।

Advertisment

ଘରୋଇ କଲେଜଗୁଡ଼ିକରେ କଳା ବିଭାଗ ନ ଥିବାରୁ ସହରର ସରକାରୀ କଲେଜ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଖିଦୃଶିଆ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ସେଭଳି କିଛି ଦେଖିବାକୁ ମିଳିନି। ବିଜେବି, ରାଜଧାନୀ ଓ ରମାଦେବୀ ଯୁକ୍ତ୨ କଲେଜ ବ୍ୟତୀତ ଅନ୍ୟ କୌଣସି ସରକାରୀ କଲେଜର ଛାତ୍ରଛାତ୍ରୀ ୯୦% ଟପି ନାହାନ୍ତି। ପରୀକ୍ଷା ଦେଇ ବିଜେବି କଲେଜର ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ୧୭୭ଜଣ ୯୦% କିମ୍ବା ତଦ୍ଦୂର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ସେଥିମଧ୍ୟରୁ ବିଜେବିର ୧୭ ଜଣ ରହିଛନ୍ତି। ଛାତ୍ର ଓଜସ୍ ପଟ୍ଟନାୟକ ସର୍ବାଧିକ ୫୭୮ ମାର୍କ ରଖି କଲେଜ ଟପର୍‌ ହେବା ସହ ରାଜ୍ୟରେ ମଧ୍ୟ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, କମଳା ନେହରୁ ଯୁକ୍ତ୨ କଲେଜ, ଦେବରାୟ କଲେଜ ପରି ଶିକ୍ଷାନୁଷ୍ଠାନର କୌଣସି ଛାତ୍ରଛାତ୍ରୀ ୯୦% ଛୁଇଁନାହାନ୍ତି। ଯେତେ‌ବେଳେ କି ନାମଲେଖା ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଏହି କଲେଜଗୁଡ଼ିକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥାନ୍ତି। ସ୍କୁଲ ଛାଡ଼ି କଲେଜକୁ ଆସିବା ପରେ କ’ଣ ହୁଏ କେଜାଣି ‌ପିଲାମାନେ ଆଉ ଆଗଭଳି ପଢ଼ନ୍ତି ନାହିଁ। ପରିଣାମ ସ୍ବରୂପ ଖରାପ ରେଜଲ୍ଟ କରିଥାନ୍ତି।

ଦୁଇବର୍ଷ ହେଲା କଳା ବିଭାଗ ପାସ୍‌ ହାରରେ ପଛରେ ପଡ଼ିଥିବା ଖୋର୍ଧା ଜିଲ୍ଲା ଏଥର ଶୀର୍ଷକୁ ଫେରିଛି। ଶିକ୍ଷାର ହବ୍‌ ବୋଲି କୁହାଯାଉଥିବା ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୫୮୫ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୨୬୩୮ଜଣ ଦ୍ବିତୀୟ ଓ ୩୩୫୩ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୧୨ ହଜାର ୪୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦ ହଜାର ୫୭୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୭.୮୦% ହୋଇଛି।