ପ୍ରମୋଦଙ୍କୁ ଗିରଫ ଦାବିରେ ବିଜେପିର ଧାରଣା

ପ୍ରମୋଦଙ୍କୁ ବଦଳି

ଚନ୍ଦ୍ରଶେଖରପୁର : ରାଜଧାନୀରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ଘରେ ରଖି କାମ କରାଇବା ଘଟଣାରେ ଆଜି ବିଜେପି ରାସ୍ତାକୁ ଓହ୍ଲାଇଛି। ଦଳର ଚନ୍ଦ୍ରଶେଖରପୁର ଜୋନ୍‌ କର୍ମକର୍ତ୍ତାମାନେ ଆଜି ଏନେଇ ନାଲକୋ ଛକ ସାମନ୍ତବିହାର ଜୋନାଲ ଡେପୁଟି କମିସନର୍‌ (ଜେଡିସି)ଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ଓଏଏସ୍‌ ଅଫିସର୍‌ ତଥା ବିଏମ୍‌ସି ଉତ୍ତର ଜୋନ୍‌ ଜେଡିସି ପ୍ରମୋଦ ପୃଷ୍ଟିଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ବିଜେପି ଅଭିଯୋଗ କରିଛି ଯେ ଶ୍ରୀ ପୃଷ୍ଟି ଶୈଳଶ୍ରୀବିହାରସ୍ଥିତ ତାଙ୍କ ଘରେ ଯାଜପୁର ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଘରେ ସହାୟିକା ଭାବେ ରଖି ଘର କାମ କରାଉଥିଲେ। ଖାଲି ସେତିକି ନୁହେଁ, ତାଙ୍କ ଶ୍ବଶୁର ଉକ୍ତ ନାବାଳିକାକୁ ଦୁଷ୍କର୍ମ ମଧ୍ୟ କରୁଥିଲେ। ନାବାଳିକାଜଣଙ୍କ ଗର୍ଭବତୀ ହେବାରୁ ନାବାଳିକାଙ୍କ ମା’ ଏନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରଠାରୁ ଶ୍ରୀ ପୃଷ୍ଟି ଫେରାର୍‌ ଅଛନ୍ତି। ତେଣୁ ତାଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ବିଜେପି କର୍ମୀମାନେ ଦାବି କରିଥିଲେ। ବିକ୍ଷୋଭରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ଓ ଅଞ୍ଜନ ନାଥଙ୍କ ନେତୃତ୍ବରେ ବହୁ କର୍ମୀ ସାମିଲ ଥିଲେ।

ପ୍ରମୋଦଙ୍କୁ ବଦଳି
ଭୁବନେଶ୍ବର : ଏହି ଘଟଣାରେ ଅଭିଯୁକ୍ତ ଓଏଏସ୍‌ ଅଫିସର୍‌ ପ୍ରମୋଦ କୁମାର ପୃଷ୍ଟିଙ୍କୁ ବଦଳି କରାଯାଇଛି। ଜେଡିସି ଥିବା ଶ୍ରୀ ପୃଷ୍ଟିଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ମୁଖ୍ୟାଳୟକୁ ଫେରାଇ ନିଆଯାଇଛି। ତାଙ୍କ ସ୍ଥାନରେ ପୁରନ୍ଦର ନନ୍ଦଙ୍କୁ ଉତ୍ତର ଜୋନ୍‌ ଜେଡିସି ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ଅନ୍ତରୀଣ ଆଦେଶ ଜାରି ହୋଇଥିବା ସୂଚନା ମିଳିଛି।

ଅପରପକ୍ଷେ ଏହି ଘଟଣା‌ରେ ଯାଜପୁର ପୁଲିସର ନିରବତାକୁ ନେଇ ପ୍ରଶ୍ନ ଉଠିଛି। ନାବାଳିକାଙ୍କୁ ଘରେ କାମ କରାଇବା ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ଅଭିଯୋଗରେ ପୁଲିସ ମାମଲା ରୁଜୁ କରିଥିଲେ ବି ପ୍ରମୋଦଙ୍କୁ ଜେରା କରିପାରି ନାହିଁ। ସେପଟେ ନାବାଳିକାଙ୍କୁ ଆଣି ଘରୋଇ ସହାୟିକା ଭାବେ ନିୟୋଜିତ କରିଥିବା ଦଲାଲ୍ ବ୍ରହ୍ମାନନ୍ଦ ଜେନାର ଟେର୍ ପାଇ ପାରି ନାହିଁ ପୁଲିସ୍‌। ତଦନ୍ତରେ ବିଳମ୍ବ ଯୋଗୁଁ ବ୍ରହ୍ମାନନ୍ଦ ଏହାର ସୁଯୋଗ ନେଇ ଫେରାର୍‌ ହୋଇଯାଇଛି। ଏହି ଘଟଣାରେ ପୁଲିସ ତଦନ୍ତରେ ବିଳମ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଶ୍ରୀ ପୃଷ୍ଟି ଜଣେ ଉଚ୍ଚ ପଦାଧିକାରୀ ହୋଇ ମଧ୍ୟ ନାବାଳିକାଙ୍କୁ କେମିତି ଘରେ କାମ କରାଉଥିଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିସନ ଅଧ୍ୟକ୍ଷା କହିଛନ୍ତି। ଗତକାଲି ଦିନତମାମ ଅଧ୍ୟକ୍ଷା ଯାଜପୁରରେ ରହି ମାମଲା ସମ୍ପର୍କରେ ଏସ୍‌ପି, ବାଲିଚନ୍ଦ୍ରପୁର ଥାନା ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର