ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ ଦାବିରେ ବିଜେପିର ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ

ଭୁବନେଶ୍ୱର: ବିଜେଡିର ଚଞ୍ଚକତା ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ଲୋକ ବାସହୀନ ହୋଇ ରହିଛନ୍ତି। କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରି ବିଜେଡି ନେତା ଓ ମନ୍ତ୍ରୀ ଓଡ଼ିଶାବାସୀଙ୍କୁ ହକ୍ ପାଇବାରୁ ବଞ୍ଚିତ କରିଛନ୍ତି। ରାଜ୍ୟ ସରକାର ଯେତିକି ମାଗୁଛନ୍ତି, ତା’ଠାରୁ ଢେର୍‌ ଅଧିକ ଗୁଣରେ କେନ୍ଦ୍ର ସରକାର ଅନୁଦାନ ଦେଉଥିଲେ ମଧ୍ୟ ୨୩ ବର୍ଷର ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି କହିଛି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବାକୁ ସଂଗଠନ ଦାବି କରିଛି। ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଆଜି ଭୁବନେଶ୍ବର ବ୍ଲକ ଅଫିସ ଘେରାଉ କରାଯାଇଥିବା ବେ‌ଳେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

ଆବାସ ପାଇଁ ମାହାଙ୍ଗାରେ ବିଜେପି ନେତାଙ୍କ ପ୍ରାଣ ଯାଇଛି। ଆଗକୁ ସାଧାରଣ ଗରିବ, ଖଟିଖିଆ ଯୋଗ୍ୟ ହିତାଧିକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ବିଜେପି ଆପ୍ରାଣ ଉଦ୍ୟମ କରିବ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ହିଂମାଶୁ ଶେଖର ଛୋଟରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ବାଲିଅନ୍ତାରେ ବି ବ୍ଲକ୍‌ ଅଫିସ୍‌ ଘେରାଉ

ବାଲିଅନ୍ତା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବାଲିଅନ୍ତା ବ୍ଲକ ବିଜେପି ପକ୍ଷରୁ ଆଜି ବ୍ଲକ୍‌ ଅଫିସ୍‌ ଘେରାଉ କରାଯାଇଥିଲା। ପୂର୍ବାହ୍ନରେ ଦଳୀୟ କର୍ମୀମାନେ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମଣ୍ଡଳ ସଭାପତି ବିଜୟ ମହାରଣାଙ୍କ ସଭାତିତ୍ବରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ୍‌ ବିଜେପିର ନେତାମାନେ ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ବର୍ଷିଥିଲେ। ପୁଣିଥରେ ହିତାଧିକାରୀ ଚୟନ କରିବା ସହ ନିରପେକ୍ଷ ତଦନ୍ତ କରି ପଲିଥିନ୍‌ ତଳେ ଓ ଝୁମ୍ପୁଡ଼ି ଘରେ ରହୁଥିବା ଗରିବ ଲୋକଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରାଯାଇଥିଲା। ପରେ ଏକ ପ୍ରତିନିଧିଦଳ ବିଡିଓ ନାରାୟଣ ଚନ୍ଦ୍ର ନାୟକଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ।

ବିଡିଓ ଶ୍ରୀ ନାୟକ ସାନି ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ପ୍ରତିଶ୍ରୁତି ପାଳନ ନ ହେଲେ, ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ଶିବ ମଲ୍ଲିକ, ବସନ୍ତ ନାୟକ, ଜଗନ୍ନାଥ ବେହେରା, ଜୟରାମ ସାହୁ, ଝିଲି ସାମନ୍ତରାୟ, ସୁବାସ ଜେନା, ମାଗୁଣି ସେଠୀ, ଦେବକୀ ରାଉତ, ଅମ୍ବିକା ଶତପଥୀ, ପ୍ରସନ୍ନ ସେଠୀ ଓ ସୋମନାଥ ଭୋଇଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର