କଳାର ମନ୍ଦିରରେ କଳଙ୍କି

ବିକେ ଆର୍ଟ କଲେଜ: ସବୁ ଥାଇ କାମରେ ଲାଗୁନି

ଭୁବନେଶ୍ୱର: ଟ୍ରାନ୍ସଫର୍ମର ଲାଗିଛି, କରେଣ୍ଟ୍‌ ନାହିଁ। ପାଣି ପାଇପ୍‌ ସଂଯୋଗ ହୋଇଛି, ପାଣି ଆସୁନି। ଛାତ ଗ୍ରିଡିଂ ହୋଇଛି, କିନ୍ତୁ ଛାତରୁ ପାଣିର ଧାର ଛୁଟୁଛି। ଚିତ୍ରକଳାର ଏକମାତ୍ର କଲେଜ୍‌ ବୋଲି କୁହାଯାଉଛି। ଏଣେ କଲେଜର ସ୍ୱାସ୍ଥ୍ୟ ଯେ ବିଗିଡ଼ିଗଲାଣି, ସେଥିପ୍ରତି କାହାର ନଜର ନାହିଁ। ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ କଲେଜ୍‌ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ (ବିକେ ଆର୍ଟ କଲେଜ୍‌) ଯେମିତି ଏବେ ସାବତ ପୁଅ ପାଲଟିଛି। ବର୍ଷା ହେଲେ ସ୍ଥିତି ଅସମ୍ଭାଳ ହେଉଛି। କଲେଜ ଛାତରୁ ଧାରାଧାର ହୋଇ ପାଣି ଗଡ଼ୁଛି। କିଛି ମାସ ତଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌ ନଂ ୫କୁ କଲେଜ ଛାତ ମରାମତି ପାଇଁ ଅନୁଦାନ ଦିଆଯାଇଥିଲା। ମରାମତି ବି ହେଲା। କିନ୍ତୁ କିଛି ଲାଭ ହେଲା ନାହିଁ। ଫଳରେ ଶ୍ରେଣୀଗୃହରେ ଥିବା କାର୍ପେଟ୍‌, ସିଲିଂ, ବିଦ୍ୟୁତ ଲାଇନ୍‌, ଆସବାବ, ପେଣ୍ଟିଂ ଓ ସ୍ଥାପତ୍ୟ ପାଇଁ ଉପଲବ୍ଧ ଥିବା ଆବଶ୍ୟକୀୟ ସାମଗ୍ରୀ, ଡ୍ରଇଂ ବୋର୍ଡ୍‌ ଓ ପେଣ୍ଟିଂ ନଷ୍ଟ ହୋଇଗଲାଣି। ତେଣୁ ବର୍ଷା ହେଲେ ଏକରକମ କାମ ବନ୍ଦ ରଖିବାକୁ ପଡ଼ୁଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। କଲେଜ୍‌ ପରିସରରେ ୩ ବର୍ଷ ତଳୁ ଛାତ୍ରାବାସ ଉଦ୍‌ଘାଟନ ସରିଛି। କିନ୍ତୁ ଉଦ୍‌ଘାଟନ ପରଠୁ ତାଲା ପଡ଼ିଛି। ବିଲ୍‌ଡିଂ କାମ ସରିଛି। କିନ୍ତୁ ପାଣି ଓ ବିଦ୍ୟୁତ ସଂଯୋଗ ନଥିବାରୁ ଛାତ୍ରଛାତ୍ରୀ ହଷ୍ଟେଲ୍‌ ଥାଇ ବି ବାହାରେ ଘର ଭଡ଼ା ନେଇ ରହୁଛନ୍ତି। କଲେଜରେ ୨୮୦ ସିଟ୍‌ ଥିବା ବେଳେ ଏବେ ୨୫୦ ପିଲା ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ପିଲା ଭୁବନେଶ୍ୱର, କଟକ ଓ ଆଖପାଖ ଅଞ୍ଚଳର ଥିବା ବେଳେ ଆଉ ୫୦ ପ୍ରତିଶତ ବାହାରୁ ଆସି ପଢ଼ୁଛନ୍ତି। ସେଇ ଉଦ୍ଦେଶ୍ୟରେ କଲେଜ ପରିସରରେ ପୁଅ ଓ ଝିଅଙ୍କ ପାଇଁ ଭିନ୍ନ ଭିନ୍ନ ୨ଟି ହଷ୍ଟେଲ୍‌ ନିର୍ମିତ ହୋଇଛି। ୧୦୦ ଜଣ ଛାତ୍ରଛାତ୍ରୀଙ୍କ ରହିବାର ବ୍ୟବସ୍ଥା ହୋଇଛି। ୨୦୧୫ ମେ ମାସ ୬ ତାରିଖରୁ ହଷ୍ଟେଲ୍‌ଟି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ସରିଥିଲେ ବି ଏଠାରେ ଏପର୍ଯ୍ୟନ୍ତ ପିଲା ରହି ପାରୁ ନାହାନ୍ତି।

ବିଦ୍ୟୁତ ସଂଯୋଗ ପାଇଁ କଲେଜ ପରିସରରେ ସେସୁ, ବିସିଡିଡି-୨ ପକ୍ଷରୁ ୪ଲକ୍ଷ ୬୪ ହଜାର ୫୫୫ ଟଙ୍କା ବ୍ୟୟରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ଉଭୟ କଲେଜ ଓ ହଷ୍ଟେଲ୍‌କୁ ବିଦ୍ୟୁତ ସଂଯୋଗ ପାଇଁ ଏହାକୁ ସ୍ଥାପନ କରାଯାଇଛି। କିନ୍ତୁ ଏହା ବସିବା ପରଠୁ କାମରେ ଲାଗୁନାହିଁ। ୪୦ଲକ୍ଷ ଟଙ୍କାରେ ସମ୍ପ୍‌ ହାଉସ୍‌ ନିର୍ମିତ ହୋଇଛି। କିନ୍ତୁ ଏଯାଏଁ ପାଣି ସଂଯୋଗ ଦିଆଯାଉ ନାହିଁ। ଏନେଇ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏନେଇ ପୂର୍ତ ସଚିବଙ୍କୁ ଜଣାଯାଇଛି। ମାତ୍ର କଳା ପ୍ରଶିକ୍ଷଣର ମନ୍ଦିର ବିକେ ଆର୍ଟ କଲେଜରେ ଯେ କଳଙ୍କି ଲାଗି ଗଲାଣି ତାହା ଦେଖିବାକୁ କାହାର ଜୁ ନାହିଁ।

ସମ୍ବନ୍ଧିତ ଖବର