ଭୁବନେଶ୍ବର: ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ (ବିକେ ଆର୍ଟ କଲେଜ)ର ୩୭ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରିରେ ଉଦ୍‌ଘାଟିତ ହୋଇଛି। ଏଥିରେ କଲେଜର ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କର ୨୬୦ଟି ଚିତ୍ରକଳା, ପୋଷ୍ଟର, ମୁଦ୍ରଣକଳା, ସ୍ଥାପତ୍ୟକଳା ସ୍ଥାନ ପାଇଛି। ଏଥିରୁ ଆଗାମୀ ପିଢ଼ିର ଓଡ଼ିଆ କଳାର ଏକ ସୁନ୍ଦର ଝଲକ ଦର୍ଶକମାନେ ଦେଖିବାକୁ ପାଇଛନ୍ତି। ଉଦ୍‌ଘାଟନ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନିତ ଅତିଥି ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାୟ, ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ନାୟାର ଓ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର ସଚିବ ଆର୍‌କେ ବେଦାଲା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଚିତ୍ରକଳାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିକେ ଆର୍ଟ କଲେଜର ଛାତ୍ରଛାତ୍ରୀଙ୍କ ବୃତ୍ତିରାଶି ବୃଦ୍ଧି, ନୂତନ ବହୁମୁଖୀ ପ୍ରେକ୍ଷାଳୟ ନିର୍ମାଣ ଓ କଲେଜ ପରିସରର ସୌନ୍ଦର୍ଯ୍ୟୀକରଣ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦେଇଥିବାରୁ କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥିଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ଦିନ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ।