କେଉଁଠି କି କଟକଣା : ସମ୍ମିଳନୀ, ବିବାହ ପାଇଁ ବୁକିଂ ରଖିପାରିବେନି ହେ‌ାଟେଲ ଓ ମଣ୍ଡପ, ଧର୍ମାନୁଷ୍ଠାନକୁ ହାତ ଧୋଇ ପଶିବେ

କରୋନା ମୁକାବିଲା ପାଇଁ ବିଏମ୍‌ସିର ନିମୟମାବଳୀ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ଆଜି ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (ଏସ୍‌ଓପି) ଜାରି ହୋଇଛି। ରାଜଧାନୀରେ ଥିବା ସମସ୍ତ ହୋଟେଲ, ଲଜ୍‌, ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା, ସପିଂ ମଲ୍‌, ସପିଂ କମ୍ପ୍ଲେକ୍ସ, ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଦୈନିକ ବଜାର, ହାଟ, ଧାର୍ମିକ ଅନୁଷ୍ଠାନ, କଲ୍ୟାଣ ମଣ୍ଡପ, ପାର୍କ, ଫାଷ୍ଟଫୁଡ୍‌, ଲସି ଦୋକାନ, ହୋଟେଲ, ରେସ୍ତୋରାଁ, ଡ୍ୟାନ୍ସ ବାର୍‌, କର୍ପୋରେଟ୍ ଅଫିସ୍ କ’ଣ କରିବେ, କ’ଣ କରିବେନି ସେନେଇ ନିୟମାବଳୀ ଜାରି ହୋଇଛି।

ଏହି ସମସ୍ତ ଅନୁଷ୍ଠାନକୁ ସେମାନଙ୍କ ଅଧୀନରେ ଥିବା ଅଞ୍ଚଳକୁ ନିୟମିତ ପରିଷ୍କାର ପରିଚ୍ଛନ୍ନ ରଖିବା ସହ, ସମସ୍ତଙ୍କୁ ନିୟମିତ ହାତ ଧୋଇବାକୁ ପ୍ରବର୍ତ୍ତାଇବା, ସାନିଟାଇଜର୍ ବ୍ୟବହାର କରିବା, ଥଣ୍ଡା , କାଶ ହୋଇଥିଲେ ସର୍ବସାଧାରଣ ସ୍ଥାନକୁ ମାସ୍କ ପିନ୍ଧି ଆସିବା, କରୋନାର ମୁକାବିଲା ପାଇଁ କ’ଣ କରିବାକୁ ହେବ, କ’ଣ କରିବେନି ସେନେଇ ହୋର୍ଡିଂ, ବ୍ୟାନର ଲଗାଇବାକୁ କୁହାଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ସମ୍ମିଳନୀ କକ୍ଷରେ ବସିଥିବ‌ା ବୈଠକରେ ବିଭିନ୍ନ ମାର୍କେଟ ଆସୋସିଏସନ୍, ବସ୍ ମାଲିକ ସଂଘ, ଅଟୋ ମହାସଂଘ, ଧର୍ମାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ, ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ ଏବଂ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ବ୍ୟାବସାୟିକ ଅନୁଷ୍ଠାନ, ମଲ୍‌ଗୁଡ଼ିକ ସେମାନଙ୍କର କର୍ମଚାରୀ ଓ ଆସୁଥିବା ଲୋକଙ୍କର ହାତ ପରିଷ୍କାର କରିବାର ବ୍ୟବସ୍ଥା ନିଶ୍ଚିତ କରିବେ, ବାରମ୍ବାର ଚଟାଣ ସଫା କରିବେ, ଅତ୍ୟଧିକ ଗହଳି ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳି କାର୍ଯ୍ୟକ୍ରମରୁ ନିବୃତ୍ତ ରହିବେ, ଖାଦ୍ୟ ପରିବେଷଣ ସ୍ଥାନରେ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀକୁ ଭଲଭାବରେ ଜଣାଇବେ, ବିଏମ୍‌ସି ଓ ବିଡିଏ ଅଧୀନରେ ଥିବା ମାର୍କେଟ ଏବଂ ହାଟର ପରିବେଶ ପରିଚ୍ଛନ୍ନତା ପାଇଁ ସମ୍ପୃକ୍ତ ସଂଘ ସମସ୍ତ ବ୍ୟବସାୟୀ ଏବଂ ଗ୍ରାହକ ମାନଙ୍କୁ ସଚେତନତା ବାର୍ତା ଦେବେ। କୌଣସି ବ୍ୟବସାୟୀ ଅସୁସ୍ଥ ରହିଲେ ତାଙ୍କର ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ ସହଯୋଗ କରିବେ।

ସେହିପରି ଧର୍ମାନୁଷ୍ଠାନ ଗୁଡ଼ିକ ଆସୁଥିବା ଭକ୍ତଙ୍କୁ ଭଲଭାବରେ ହାତ ଧୋଇବା ପରେ ଅନୁଷ୍ଠାନରେ ପ୍ରବେଶ କରିବା ପାଇଁ କହିବେ, ଧର୍ମାନୁଷ୍ଠାନ ଗୁଡ଼ିକରେ ଯଥାସମ୍ଭବ ଭୋଜିଭାତ ବନ୍ଦ କରିବେ, ଅତ୍ୟଧିକ ଜନଗହଳିକୁ ପ୍ରଶ୍ରୟ ଦେବେନି, ଭକ୍ତ ମାନଙ୍କୁ କରୋନା ସଚେତନତା ବାର୍ତା ଦେ‌େବ, କଲ୍ୟାଣମଣ୍ଡପ ଗୁଡ଼ିକ ନିଜ ସ୍ଥାନରେ ପର୍ଯ୍ୟାପ୍ତ ଭାବେ ହାତ ଧୋଇବା ବ୍ୟବସ୍ଥା ନିଶ୍ଚିତ କରିବେ, ସରକାରଙ୍କ ନିୟମ ଅନୁସାରେ ଜନଗହଳିକୁ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ରଖିବେ, ପରିବେଷଣ କରାଯାଉଥିବା ଖାଦ୍ୟରେ ସ୍ୱଚ୍ଛତା ରକ୍ଷା କରିବା, ବୁକିଂର ସବିଶେଷ ବିବରଣୀ ତିନି ଦିନ ମଧ୍ୟରେ ଜଣାଇବେ, ବିଏମ୍‌ସି ଓ ବିଡିଏ ପରିଚାଳିତ କଲ୍ୟାଣମଣ୍ଡପ ଗୁଡ଼ିକୁ ଆସନ୍ତା ୨୫ ତାରିଖ ପରେ ବୁକିଂ ନରଖିବା ଏବଂ ପରବର୍ତୀ ସରକାରୀ ନିର୍ଦ୍ଦେଶନାମା ଜାରି ହେବା ପରେ ତଦନୁଯାୟୀ କଲ୍ୟାଣମଣ୍ଡପ ଇତ୍ୟାଦିକୁ ବନ୍ଦ କରିବା ବା ନକରିବା ବାବଦରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ପାର୍କ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ପରବର୍ତ୍ତୀ ଆଦେଶନାମା ବାହାରିବା ପର୍ଯ୍ୟନ୍ତ ଏହା ଲାଗୁ ହେବ। ପାର୍କର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ କରୋନା ସଂକ୍ରମଣ ପ୍ରତିରୋଧ ବାର୍ତା ପ୍ରଦର୍ଶନ କରାଯିବ, ପାର୍କ ଗୁଡ଼ିକରେ କେବଳ ଚଲାବୁଲା, ଶାରୀରିକ ବ୍ୟାୟାମ ବ୍ୟତୀତ ଅନ୍ୟାନ୍ୟ ଜନଗହଳି କାର୍ଯ୍ୟକ୍ରମ ବା ବୈଠକ ଆଲୋଚନା ହେବନି। ପାର୍କରେ ଥିବା ବିଭିନ୍ନ ଚେୟାର ଏବଂ ପିଣ୍ଡି ଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ, ବ୍ୟାୟାମ ଉପକରଣ ଗୁଡ଼ିକର ଉପଯୋଗ ନହେବା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବା ସହିତ ସମ୍ପୃକ୍ତ ପାର୍କ ସୁପରଭାଇଜର ଏ ବାବଦରେ ତଦାରଖ ଓ ସମୀକ୍ଷା କରିବାକୁ କୁହାଯାଇଛି ।

ଖାଦ୍ୟ ଦୋକାନ ଏବଂ ଲସି ଦୋକାନରେ ସମ୍ପୂର୍ଣ୍ଣ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯିବା ସହ ବ୍ୟବହୃତ ବାସନକୁସନ, ଗ୍ଲାସ୍ ଇତ୍ୟାଦିର ବିଜ୍ଞାନ ସମ୍ମତ ପରିଚ୍ଛନ୍ନତା, ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି ମାନଙ୍କୁ ସ୍ୱତନ୍ତ୍ର ନିରାପତ୍ତା ପୋଷାକ ତଥା ସେମାନଙ୍କର ନିଜସ୍ୱ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟରକ୍ଷାକୁ ଗୁରୁତ୍ୱ ଦିଆଯିବ।

ରେସ୍ତୋରାଁ, ଡ୍ୟାନ୍ସବାର୍ ଏବଂ ଏହିଭଳି ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସ୍ଥାନର ବାରମ୍ବାର ପରିଚ୍ଛନ୍ନତା, ସାମାଜିକ ଦୂରତ୍ୱ ରକ୍ଷା, କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ସ୍ୱାସ୍ଥ୍ୟରକ୍ଷା ଇତ୍ୟାଦିକୁ ଗୁରୁତ୍ୱ ଦିଆଯିବା ସହିତ କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏବଂ ସେମାନଙ୍କୁ କାର୍ଯ୍ୟରେ ନଲଗାଇବାକୁ କୁହାଯାଇଛି।

ଏତଦ୍ ବ୍ୟତୀତ ବିଭିନ୍ନ କର୍ପୋରେଟ୍ ସଂସ୍ଥାରେ କରୋନା ପ୍ରତିରୋଧ ନିୟମର କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯାଇଛି। ସେମାନେ ନିଜ ସଂସ୍ଥାର କର୍ମଚାରୀ ମାନଙ୍କର ଥଣ୍ଡା ଅସୁସ୍ଥତା ଭଳି ଲକ୍ଷଣ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ, ସମସ୍ତ କର୍ମଚାରୀଙ୍କୁ ହାତ ପରିଷ୍କାର କରିବାର ଉପକରଣ ଯୋଗାଇଦେବେ ଏବଂ ବାହାର ରାଜ୍ୟ ଏବଂ ଦେଶର ଗ୍ରାହକ ମାନଙ୍କୁ ବର୍ତମାନ ପରିପ୍ରେକ୍ଷୀରେ ନିମନ୍ତ୍ରଣ ନକରିବା, ସଭା ସମିତି ଇତ୍ୟାଦି କରାଇବାକୁ ଥିଲେ ସରକାରଙ୍କର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁପାଳନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର