ପୁଣି କଳା ପଲ୍‌ସର ଓ ନାଲି ଆପାଚି ଆତଙ୍କ: ଭୁଜାଲି ଚୋଟ ପକାଇ ଟଙ୍କା ବ୍ୟାଗ୍‌ ଝାମ୍ପିନେଲେ

ବାଲିପାଟଣା: ଆଜି ପୁଣି କଳା ପଲ୍‌ସର ଓ ନାଲି ଆପାଚି ଗ୍ୟାଙ୍ଗ୍‌ ବନମାଳୀପୁର ଫାଣ୍ଡି ଅଞ୍ଚଳରେ ଏକ ଲୁଟ୍‌ କରି ଆତଙ୍କ ଖେଳାଇଛନ୍ତି। ଏକ ସିମେଣ୍ଟ ହୋଲ୍‌ସେଲରଙ୍କ ଦୁଇ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି। ଏନେଇ ଫାଣ୍ଡି କିମ୍ବା ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାରୁ ଲୁଟ୍‌ ବାବଦରେ ସବିଶେଷ ତଥ୍ୟ ମିଳି ପାରିନାହିଁ। ବାଲିପାଟଣା ଥାନା ପୁଲିସ ମାମଲା ଛାନ୍‌ଭିନ୍ କରୁଥିବା ବେଳେ ଭୁଜାଲି ଆକ୍ରମଣର ଶିକାର ହୋଇଥିବା ଦୁଇ କର୍ମଚାରୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସୂଚନାନୁସାରେ ଉକ୍ତ ଦୁଇ କର୍ମଚାରୀ ଦେଉଳିଧରପୁରରୁ ଟଙ୍କା ସଂଗ୍ରହ କରି କରି ଶ୍ରୀରାମପୁର ଦିଗରେ ଯାଉଥିଲେ। କୁଣ୍ଡେଇ କେନାଲ ରାସ୍ତାରେ ୨ଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରୁଥିଲେ। କିନ୍ତୁ କର୍ମଚାରୀଦ୍ବୟ ସେମାନେ ଲୁଟେରା ବୋଲି ଜାଣି ପାରିନଥିଲେ। ବୁଦ୍ଧିକେଶ୍ୱର ମନ୍ଦିର କେନାଲ ବନ୍ଧ ରାସ୍ତାରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇବା ସହ ହଠାତ୍ ଭୁଜାଲିରେ ଆକ୍ରମଣ କରିଥିଲେ ଓ ଟଙ୍କା ବ୍ୟାଗ୍‌ ଛଡ଼ାଇ ନିଆଳି ଦିଗରେ ଦ୍ରୁତ ବେଗରରେ ପଳାଇଥିଲେ। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଲୁଟେରାମାନଙ୍କ ଟେର୍ ପାଇନଥିଲେ।

ସୂଚନାଯୋଗ୍ୟ, ଗତ ମାସରେ ନିମାପଡ଼ା ସରଦେଇପୁର ରାସ୍ତାରେ ଢେଙ୍କାନାଳର ସୁଶାନ୍ତ ସାହୁ ଓ ପ୍ରମୋଦ ମହାରଣାଙ୍କ କାର୍‌କୁ ଅଟକ‌ାଇ ୬ ଜଣ ଦୁବୃର୍ତ୍ତ ଲୁଟ୍‌ପାଟ୍‌ କରିଥିଲେ। ଦୁର୍ବୃତ୍ତମାନେ ସୁଶାନ୍ତଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ଲହୁଲୁହାଣ କରିଥିଲେ। ପୁଲିସ ଘଟଣାସ୍ଥଳରୁ ବନ୍ଧୁକର ମାଗାଜିନ ଓ ଗୋଟିଏ ବାଇକ୍‌ ଜବତ କରିଥିଲା। ମାତ୍ର ଏପର୍ଯ୍ୟନ୍ତ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର