ଭୁବନେଶ୍ବର: ଝାରପଡ଼ା ଗଣେଶ ମଣ୍ଡପ ହାଟ ବଣିକ ସଂଘ ଆଜି କଳା ଦିବସ ପାଳିଛି। ଅପରାହ୍ଣରେ ସଂଘର ସଭାପତି ସୁରେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଶତାଧିକ ବ୍ୟବସାୟୀ ହାଟ ସମ୍ମୁଖ ରାସ୍ତାରେ କଳାବ୍ୟାଜ୍ ପିନ୍ଧି ବସିବା ସହ ମହମବତି ଜାଳି ନିରବ ପ୍ରତିବାଦ କରିଥିଲେ।
ସଂଘ ପକ୍ଷରୁ କୁହାଯାଇଥିଲା, ଗତବର୍ଷ ଆଜିର ଦିନରେ ବିନା ନୋଟିସ୍ରେ ରାତି ଅଧିଆ ଆମ ଦୋକାନକୁ ମାଟିରେ ମିଶାଇ ଦିଆଗଲା। ପରେ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି ବିଏମ୍ସି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବାରମ୍ବାର ନିବେଦନ ପରେ ମଧ୍ୟ ବିଏମ୍ସି ବିସ୍ଥାପିତ ଦୋକାନୀମାନଙ୍କ କଥା ଶୁଣୁନାହିଁ। ତେଣୁ ତୁରନ୍ତ ଦୋକାନୀମାନଙ୍କୁ ଥଇଥାନ କରାନଗଲେ, ଆଗାମୀ ଦିନରେ ସଂଘ ରାସ୍ତାକୁ ଓହ୍ଲାଇବା ସହ ଜୋର୍ଦାର ବିକ୍ଷୋଭ କରିବ ବୋଲି ସମ୍ପାଦକ ସଞ୍ଜୀବ ମିଶ୍ର ଚେତାବନୀ ଦେଇଥିଲେ। ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ ଗଙ୍ଗାଧର ଜେନା, କୈଳାସ ସେଠୀ, ଦୋଲନ୍ ପାଲ୍, ଳଳିତା, ସୁଦର୍ଶନ ସାହୁ, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, ନିକୁଞ୍ଜ ବିହାରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଥାଉ କି, ଗତବର୍ଷ ଆଜିର ଦିନରେ ଏହି ହାଟକୁ ବେଆଇନ ଦର୍ଶାଇ ବିଏମ୍ସି, ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିତ ଉଚ୍ଛେଦ କରାଯାଇଥିଲା। ଫଳରେ ଏଠାରେ ଦୋକାନ କରିଥିବା ୪୨୯ ବ୍ୟବସାୟୀଙ୍କ ଜୀବିକା ବିପନ୍ନ ହୋଇଯାଇଥିଲା।