ଗାଡ଼ିରେ କଳାକାଚ ନିଷେଧ ଘଟଣା : ଧରାପଡ଼ିଲେଣି ୧୪୦ ଅମାନିଆ

ଭୁବନେଶ୍ୱର : କାର୍‌ ଭଳି ବିଭିନ୍ନ ଗାଡ଼ି କାଚରେ ବ୍ଲାକ୍‌ ଫିଲ୍ମ ଲଗାଇବା ଉପରେ ନିଷେଧାଦେଶ ଲାଗୁ ହୋଇଥିଲେ ମଧ୍ୟ ବହୁ ଗାଡ଼ି ମାଲିକ ମାନୁନାହାନ୍ତି। ଗତ ସପ୍ତାହରେ ପୁଲିସ ଗାଡ଼ି ଯାଞ୍ଚ କରି ଏହି ଆଇନକୁ ଅମାନ୍ୟ କରିଥିବା ୧୪୦ ଗାଡ଼ିମାଲିକଙ୍କୁ ଜରିମାନା କରିଛି। ଅପରାଧ ଘଟାଇବାକୁ ଯାଇ ବହୁ ଗାଡ଼ିରେ ଏହି କଳା ଫିଲ୍ମ ଲଗାଯାଉଥିବାରୁ କମିସନରେଟ୍‌ ପୁଲିସ ଏବେ ଏହି ଯାଞ୍ଚକୁ କଡ଼ାକଡ଼ି କରିଛି। ପୁଲିସ କମିସନରଙ୍କ କଡ଼ା ନିର୍ଦ୍ଦେଶକ୍ରମେ ଚଳିତ ମାସ ୧୮ ତାରିଖରୁ ଟ୍ରାଫିକ୍‌ ପୁଲିସ ସହ ସବୁ ଥାନାର ପୁଲିସ ବଳ ନିଜ ନିଜ ଅଞ୍ଚଳରେ ଏହି ଚଢ଼ଉ ଜାରି ରଖିଛନ୍ତି। କଳାକାଚ ଲାଗିଥିବା ଗାଡ଼ି ମାଲିକଙ୍କଠାରୁ ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି ଓ କଳାକାଚକୁ ହଟାଇ ଦିଆଯାଉଛି।

ମାନୁନାହାନ୍ତି ମାଲିକ
ବି‌‌ଶେଷକରି ଅପରାଧୀମାନେ ଏହି କଳା କାଚ ଗାଡ଼ି ବ୍ୟବହାର କରିଥାନ୍ତି। ନାକାବନ୍ଦୀ ସମୟରେ ପୁଲିସ ଓ କ୍ୟାମେରା ନଜରରୁ ଏଭଳି ଗାଡ଼ିରେ ଖସି ଯିବା ସହଜ ହୋଇଥାଏ। ସେହିଭଳି କଳାକାଚ ଲାଗିଥିବା ଗାଡ଼ି ଭିତରେ ଦୁଷ୍କର୍ମ ଭଳି ଅପରାଧ ଘଟାଇବା ବି ସହଜ ହୁଏ। ତେଣୁ କଳାକାଚ ବ୍ୟବହାର ନିଷେଧ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ମାମଲାର ବିଚାର କରି ସୁପ୍ରିମକୋର୍ଟ ୨୦୧୨ ମସିହାରେ ଗାଡ଼ିରେ କଳା କାଚ ଲାଗିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ଜାରି ହେବା ପରେ ପୁଲିସ ବେଶ୍‌ କିଛି ଦିନ ଏନ୍‌ଫୋର୍ସମେଣ୍ଟରେ ଲାଗି ଯାଇଥିଲା। ହେଲେ ଏହା ପରେ ସ୍ଥିତି ‘ଯଥା ପୂର୍ବଂ ତଥା ପରଂ’ ହୋଇ ଯାଇଥିଲା। ଅପରାଧୀଙ୍କ ସହ ଅନ୍ୟମାନେ ମଧ୍ୟ କଳାକାଚ ଗାଡ଼ିରେ ଅନାୟାସରେ ବୁଲୁଥିଲେ।

ଜରିମାନା ମାତ୍ର ୫ଶହ
ଆଇନ ଅନୁଯାୟୀ ଏଭଳି ଗାଡ଼ିରୁ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ମାତ୍ର ୫ଶହ ଟଙ୍କା ଜରିମାନା ଆଦାୟ କରିପାରିବେ। ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ୫ ଲକ୍ଷ ଟଙ୍କାର ଗାଡ଼ି ଚଳାଉଥିବା ଲୋକ ପାଇଁ ଏହି ୫ଶହ ଟଙ୍କା ଅତି ନଗଣ୍ୟ। ଫଳରେ ଆଜି ଜରିମାନା ଗଣିଥିବା ଗାଡ଼ି ମାଲିକ କିଛି ଦିନ ପରେ ପୁଣି କଳା କାଚ ଲଗାଉଛି। ତେଣୁ ବଡ଼ ଧରଣର ଜରିମାନା ବା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଲେ ଏହି ବ୍ଲାକ୍‌ ଫିଲ୍ମ ବ୍ୟବହାର ରୋକା ଯାଇପାରନ୍ତା ବୋଲି ସେ କହିଛନ୍ତି।

ଲଗେଇବାକୁ ୨୨୦୦, କାଢ଼ିବାକୁ ୩୦୦
ଗାଡ଼ି କାଚରେ ବ୍ଲାକ୍‌ ଫିଲ୍ମ ଲଗାଇବା ପାଇଁ ୨୨୦୦ ଟଙ୍କା ଖର୍ଚ୍ଚ ହେଉଛି। ଅନେକ ସମୟରେ ପୁଲିସ କଳା କାଚ କାଢ଼ି ନ ପାରି ଏହାକୁ ବିକୃତ କରି ଦେଉଛି। କାରଣ ଏହାକୁ ଭଲ ଭାବରେ କାଢ଼ିବା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯେଉଁ ସଂସ୍ଥା ଗାଡ଼ିରେ କଳା ଫିଲ୍ମ ଲଗାଉଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନିୟମ ନାହିଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ହେଉଛି ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଜାରି ରହିବ ଚଢ଼ଉ
ଆଚାର୍ଯ୍ୟ ବିହାର, ଏଜି ଛକ, ଖଣ୍ଡଗିରି, ପଳାସୁଣି, ଲିଙ୍ଗିପୁରୁ ବାଇପାସ୍‌, କେସୁରା ପ୍ରଭୃତି ସ୍ଥାନରେ ନିୟମିତ ଚଢ଼ଉ ଜାରି ରହିଛି। କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ନୂଆ କରି ଜଟଣୀରେ ଏନ୍‌ଫୋର୍ସମେଣ୍ଟ ଆରମ୍ଭ କରିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଚଢ଼ଉ ଜାରି ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର