ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ବିକ୍ରି ହେଉଥିବା ସରକାରୀ ଡାଏରି ଏବେ ବ୍ଲାକ୍ରେ ମିଳୁଛି। ଖୋଦ୍ ଜୟଦେବ ଭବନସ୍ଥିତ ବିକ୍ରୟ କେନ୍ଦ୍ର ନିକଟରେ ଦଲାଲମାନେ କଳାବଜାର କରୁଛନ୍ତି। ସରକାରୀ ଦର ୩ଶହ ଟଙ୍କା ଥିବା ବେଳେ ଦଲାଲାମାନଙ୍କ ଦ୍ବାରା କଳାବଜାରରେ ଏହାକୁ ୫/୬ ଶହ ଟଙ୍କାରେ ବିକ୍ରି କରାଯାଉଛି। ଫଳରେ ଦିନ ସାରା ଲମ୍ବା ଲାଇନ୍ରେ ଅପେକ୍ଷା କରିବା ପରେ ମଧ୍ୟ ବହୁ ଆଶାୟୀ ହତାଶ ହୋଇ ଫେରୁଛନ୍ତି।
ସବୁବର୍ଷ ଭଳି ଏଥର ମଧ୍ୟ ଜୟଦେବ ଭବନସ୍ଥିତ ସୂଚନା ଓ ଲୋକସଂପର୍କ ବିଭାଗର ପୁସ୍ତକ ବିକ୍ରୟ କେନ୍ଦ୍ରରେ ସରକାରୀ ଡାଏରି ବିକ୍ରୟ କାଉଣ୍ଟର କରାଯାଇଛି। ରାଜ୍ୟ ସରକାରଙ୍କ ମୁଦ୍ରଣାଳୟ ପକ୍ଷରୁ ନୂଆବର୍ଷ ପାଇଁ ଛପା ଯାଇଥିବା ଡାଏରି, କ୍ୟାଲେଣ୍ଡର ଓ ମାଉଣ୍ଟ ବିକ୍ରି କରାଯାଉଛି।
ଡାଏରି ଦାମ୍ ୩ ଶହ ଟଙ୍କା ଥିବା ବେଳେ କାର୍ଡ କ୍ୟାଲେଣ୍ଡର ୫ ଟଙ୍କା, ସିଟ୍ କ୍ୟାଲେଣ୍ଡର ୭ଟଙ୍କା ଓ ମାଉଣ୍ଟ ୪୦ ଟଙ୍କାରେ ବିକ୍ରି ହେଉଛି। ପ୍ରତିଦିନ ସକାଳ ସାଢ଼େ ୧୦ରୁ ଅପରାହ୍ନ ୨ଟା ଓ ଅପରାହ୍ନ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହୁଛି। ଲାଇନ୍ରେ ଅପେକ୍ଷା କରୁଥିବା ଲୋକମାନଙ୍କୁ ଜଣପିଛା ଗୋଟିଏ ଡାଏରି, ୫ କ୍ୟାଲେଣ୍ଡର ଓ ଗୋଟିଏ ମାଉଣ୍ଟ ମିଳୁଛି। କେହି ଚାହିଲେ କେବଳ ଗୋଟିଏ ଡାଏରି କିଣିପାରିବେ। ପ୍ରତିଦିନ ଶହଶହ ଲୋକ ଲମ୍ବା ଲାଇନ୍ରେ ଠିଆ ହୋଇ କିଣୁଛନ୍ତି। ଏହି ଲମ୍ବା ଲାଇନ୍ ଦଲାଲମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ସେମାନେ ସକାଳୁ ଆଗୁଆ ଆସି ଲାଇନ୍ରେ ଠିଆ ହୋଇପଡ଼ୁଛନ୍ତି। ଦି’ ଜଣ ଦଲାଲ ଠିଆ ହୋଇ ୫ ଜଣଙ୍କ ଜାଗା ମାଡ଼ିବସୁଛନ୍ତି। କାଉଣ୍ଟର ଖୋଲିବା ପରେ ଅନ୍ୟ ଦଲାଲମାନେ ଚାଲିଆସି ଲାଇନ୍ରେ ଠିଆ ହୋଇପଡ଼ୁଛନ୍ତି।
ବେଳେବେଳେ ସେମାନେ ଜୋର୍ ଜବରଦସ୍ତ ଲାଇନ୍ ମଝିରେ ପଶିଯାଉଛନ୍ତି। ଡାଏରି କିଣିବାକୁ ଲାଇନ୍ରେ ଠିଆ ହୋଇଥିବା ଭଦ୍ର ବ୍ୟକ୍ତିମାନେ ସେମାନଙ୍କ ମୁହାଁମୁହିଁ ହେବାକୁ ଭୟ କରି ଚୁପ୍ ରହୁଛନ୍ତି। ଏହି ମଉକାରେ ଦଲାଲମାନେ ପୁଳା ପୁଳା ଡାଏରି କିଣି ନେଇ ଲାଇନ ବାହାରକୁ ଚାଲି ଯାଉଛନ୍ତି ଏବଂ ଖୋଲାଖୋଲି ଡାକିହାକି ଅଧିକ ଦାମ୍ରେ ବିକୁଛନ୍ତି। ଏଣେ ଡାଏରି ସରିଯିବା ପରେ କାଉଣ୍ଟର ବନ୍ଦ ହୋଇଯାଉଛି। ଦୀର୍ଘ ସମୟ ନଷ୍ଟ କରି ଲାଇନ୍ରେ ଅପେକ୍ଷା କରିଥିବା ବ୍ୟକ୍ତିଟି ଡାଏରି ନପାଇ ବାଧ୍ୟ ହେଉଛି କଳାବଜାରରେ କିଣିବାକୁ। ସେହିଭଳି ଆଉ କିଛି ଦଲାଲ ଖୋଦ୍ ଗ୍ରାହକଙ୍କ ପାଇଁ ଲାଇନ୍ରେ ଠିଆ ହୋଇ ପାରିଶ୍ରମିକ ନେଉଥିବା ଦେଖିବାକୁ ମିଳୁଛି। କିଛି ଗ୍ରାହକ ଦୀର୍ଘ ସମୟ ଖରାରେ ଠିଆ ନହୋଇ ଜଣେ ଦଲାଲ ନିଯୁକ୍ତି କରିବାକୁ ଶ୍ରେୟ ମଣୁଛନ୍ତି। ଶହେ ଟଙ୍କା ନେଉ ପଛେ ସହଜରେ ଡାଏରି ଖଣ୍ଡିଏ ନେଇଆସୁ ବୋଲି କିଛି ଗ୍ରାହକ ଏଭଳି ପନ୍ଥା ଆପଣେଇବା ଦେଖିବାକୁ ମିଳୁଛି। ତେବେ କଳାବଜାରକୁ କିଛି ବହି ଦୋକାନ ବେଶି ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି। ସେମାନଙ୍କ ନିଯୁକ୍ତ ଦଲାଲ କାଉଣ୍ଟରରୁ ଡାଏରି ନେବା ପରେ ସେମାନେ ୬/୭ ଶହ ଟଙ୍କାରେ ଡାଏରି ବିକୁଥିବା ଜଣାପଡ଼ିଛି।
ଏନେଇ ଜଣେ ଦଲାଲଙ୍କ ପାଲଟା ଜବାବ ହେଲା ଏହାକୁ ବ୍ଲାକ୍ ବୋଲି କ’ଣ ପାଇଁ କୁହାଯିବ। ଆମେ ପରିଶ୍ରମ କରି ଲାଇନ୍ରେ ଠିଆ ହେଉଛୁ ଏବଂ କିଛି ପଇସା ରୋଜଗାର କରୁଛୁ। ଆମଠୁ ଡାଏରି କିଣିବାକୁ କାହାକୁ ବାଧ୍ୟ କରୁନାହୁଁ କି କାହାକୁ କାଉଣ୍ଟରରେ ସମସ୍ୟାରେ ପକାଉନାହୁଁ। ଅପରପକ୍ଷେ ଡାଏରି କିଣିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଖାଲି ହାତରେ ଫେରିଥିବା ବରିଷ୍ଠ ନାଗରିକ ନିଶାକର ମହାନ୍ତିଙ୍କ କହିବା କଥା ଦଲାଲମାନେ ଏଠାରେ ଖୋଲାଖୋଲି କଳାବଜାର କରୁଛନ୍ତି। ପ୍ରତିବାଦ କଲେ, ସେମାନେ ଗଣ୍ଡଗୋଳ କରିବେ। ପୁଲିସରେ ଅଭିଯୋଗ କରିବାକୁ କେହି ମନ କରୁନାହାନ୍ତି। ତେଣୁ ସେମାନଙ୍କ ମୁହଁ ପାଇଛି।