ଭୁବନେଶ୍ୱର: ଏକ ଅଜବ ଖିଆଲରୁ ଆରମ୍ଭ ହୋଇଛି ପ୍ରେମ। ପରିସ୍ଥିତି କିନ୍ତୁ ଦୁଇ ନାଆରେ ଠିଆ କରେଇ ଦେଇଛି। ଗୋଟିଏ ପଟେ ତ୍ୟାଗ, ଅନ୍ୟପଟେ ପ୍ରେମ। ଲଭ୍, ରୋମାନ୍ସ ଓ ସସ୍ପେନ୍ସକୁ ନେଇ ଗତିଶୀଳ ହୋଇଛି ଆଜି ମୁକ୍ତିଲାଭ କରିଥିବା ‘ବ୍ଲାକ୍ମେଲ୍’ର କାହାଣୀ। ନିଆରା କାହାଣୀରେ ପ୍ରେମ ଓ ତ୍ୟାଗକୁ ନେଇ ଏକ୍ସପେରିମେଣ୍ଟ୍ କରିଛନ୍ତି ନିର୍ଦେଶକ ଅମିତ ନାୟକ। ଏଥିସହ ଢେର୍ଦିନ ପରେ ସିନେ ପରଦାରେ ଏକ ଓଡ଼ିଆ ସସ୍ପେନ୍ସ ଚଳଚ୍ଚିତ୍ର ଦେଖିବାକୁ ମିଳିଛି। ଅର୍ଧେନ୍ଦୁ ହିରୋ ଭୂମିକାରେ ନୂଆ ହୋଇଥିଲେ ହେଁ ଦମ୍ଦାର ଅଭିନୟ କରିବାକୁ ଚେଷ୍ଟା କରିଛନ୍ତି। ଦୁଇ ନାୟିକା ଆହାନା ଓ ତମନ୍ନାଙ୍କ ଅଭିନୟ ବି କୌଣସି ଦୃଷ୍ଟିରୁ ଖାପଛଡ଼ା ଲାଗିନାହିଁ। ତେବେ ଚଳଚ୍ଚିତ୍ରରେ ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦେଶନା ଏବଂ ବସନ୍ତରାଜ ସାମଲଙ୍କ ଗୀତ ରଚନାରେ ‘ବୋଉ ମାରିବ... ଏବଂ ‘ହାଏ ତୋ ପ୍ରେମର ରଙ୍ଗୋଲି..ଗୀତ ଦୁଇଟି ଦର୍ଶକଙ୍କୁ ମଜାଇ ରଖିଛି। ଉଦିତ ନାରାୟଣ ଏବଂ ଦୀପ୍ତିରେଖାଙ୍କ କଣ୍ଠରେ ରଙ୍ଗୋଲି ଗୀତ ଚଳଚ୍ଚିତ୍ରରେ ରଙ୍ଗ ମାଖିଛି। ସିଦ୍ଧାନ୍ତ ଓ ମନୋଜ ମିଶ୍ରଙ୍କ ସସ୍ପେନ୍ସ ଚରିତ୍ର ଚଳଚ୍ଚିତ୍ରକୁ ବଳିଷ୍ଠ କରିଛି। ଅମିତ ନାୟକ ନୃତ୍ୟ ସଂଯୋଜନାରୁ ନିର୍ଦେଶନା କ୍ଷେତ୍ରରେ ପାଦ ଥାପି ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। କିଛି ଦୃଶ୍ୟ ବାସ୍ତବତା କ୍ଷେତ୍ର ସହ ତୁଳନା କଲେ ତ୍ରୁଟି ଧରାପଡ଼ିଯାଉଛି। ହିରୋ ହତ୍ୟା କରି ଜେଲ୍ ଦଣ୍ଡ ଭୋଗିବା ବ୍ୟବସ୍ଥାକୁ ବିଲ୍କୁଲ ଦର୍ଶାଯାଇ ନାହିଁ ବୋଲି ଦର୍ଶକଙ୍କ ମହଲାରେ ଚର୍ଚା ହେଉଛି। ତେବେ କମେଡି ଲୋକଙ୍କୁ ଆକର୍ଷିତ କରିପାରିଛି। କାହାଣୀ ଦୃଷ୍ଟିରୁ ବିଚାର କଲେ, ପ୍ରଥମାର୍ଧ ପରେ ହିଁ ବାକି ସସ୍ପେନ୍ସ ଦେଖିବାକୁ ମନ ଲୋଡ଼ିବ। ଆଦିକନ୍ଦ ସାହୁଙ୍କ ପ୍ରଯୋଜିତ ଓ ଲିଖିତ ଏହି କାହାଣୀ ଲୋକଙ୍କୁ ବୋର୍ କରିବ ନାହିଁ।
ମୁକ୍ତିଲାଭ କଲା ‘ବ୍ଲାକ୍ମେଲ୍’: ଢେର୍ ଦିନ ପରେ ସସ୍ପେନ୍ସ କାହାଣୀ
/sambad/media/post_attachments/wp-content/uploads/2018/09/BlackMail-film-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)