ଭୁବନେଶ୍ବର: ପ୍ରେମିକାକୁ ବ୍ଲାକ୍ମେଲିଂ କରି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଅଞ୍ଚଳର ଦେବୀପ୍ରସାଦ ପତି(୨୦)। ଏଠାରେ କୋଳଥିଆ ଅଞ୍ଚଳରେ ରହି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍ କରୁଛି। ପୁଲିସ ତା’ଠାରୁ ୫ଟି ସୁନା ଚେନ୍, ୨ଟି ମୁଦି, ୨ଟି କାନଫୁଲ୍, ୧୦ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଛି।
ପୁଲିସ ସୂଚନା ମୁତାବକ, କିଛି ମାସ ତଳେ ଦେବୀ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ମିଳାମିଶା ସମୟରେ ଦେବୀ ଚତୁରତାର ସହ ଯୁବତୀଙ୍କ କିଛି ଫଟୋ ଉଠାଇଥିଲା। କିଛି ଦିନ ପରେ ସେହି ଫଟୋ ଦେଖାଇ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା ଦେବୀ। ଟଙ୍କା ନ ଦେଲେ ଫଟୋ ଭାଇରାଲ୍ କରିଦେବ ବୋଲି କହିଥିଲା। ବାରମ୍ବାର ବ୍ଲାକମେଲିଂ କରି ସେ ଯୁବତୀଙ୍କଠାରୁ ୧୦ହଜାର ଟଙ୍କା ଓ ପାଖାପାଖି ୪୦ଗ୍ରାମ୍ ଓଜନର ସୁନାଗହଣା ଲୁଟି ନେଇଥିଲା। ତେବେ ଗୋଟିକ ପରେ ଗୋଟିଏ ଗହଣା ଗାଏବ୍ ହୋଇଯାଇଥିବାରୁ ଯୁବତୀଙ୍କ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା। ଏ ସଂପର୍କରେ ଯୁବତୀଙ୍କୁ ପଚରାଉଚରା କରି ସତ ଜାଣିବା ପରେ ପରିବାରଲୋକେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।