ଭୁବନେଶ୍ବର: ଜଣେ ବିଦେଶୀ ଯୁବତୀଙ୍କ ବ୍ଲାକ୍ମେଲ୍ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ୍ ପୁରୀ ଜିଲ୍ଲା ପୁରୁଣା ସଦର ଥାନା ନୂଆଗଡ଼ ବସ୍ତିର ପୃଥୀରାଜ ମାନସିଂହ(୩୩)କୁ ଗିରଫ କରିଛି। ସୂଚନା ମୁତାବକ, ବିଦେଶୀ ଯୁବତୀଜଣଙ୍କ ଏଠାରେ ଏକ ଘରୋଇ ବିଶ୍ବବିଦ୍ୟାଳୟର +୩ ବି.ଫାର୍ମା ଛାତ୍ରୀ। ଦୁଇ ମାସ ହେବ, ସେ ପ୍ରତିଦିନ ସନ୍ଧ୍ୟାରେ ୟସ୍ ନାମକ ଏକ ଡ୍ୟାନ୍ସ କ୍ଲାସକୁ ଯାଆନ୍ତି। ପୃଥୀରାଜ ମଧ୍ୟ ସେଠାକୁ ଆସୁଥିଲା। କିଛି ଦିନ ତଳେ ଯୁବତୀଜଣଙ୍କ ଡ୍ୟାନ୍ସ କ୍ଲାସରୁ ଫେରିବା ବେଳେ ପୃଥ୍ବୀରାଜ ତାଙ୍କ ନିକଟକୁ ଯାଇ କଥା ହୋଇଥିଲା।
ଆଉ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ। ଯୁବତୀଜଣଙ୍କ ବି ଏଥିରେ ରାଜି ହୋଇଯାଇଥିଲେ। ଚିହ୍ନା ପରିଚୟ ବଢ଼ିବାରୁ ପୃଥ୍ବୀରାଜ ତାଙ୍କ ସହ ସେଲ୍ଫି ନେବା ପାଇଁ ଅନୁରୋଧ କରିଥିଲା। ଯୁବତୀଜଣଙ୍କ ତା’ ସହ ବିଭିନ୍ନ ପୋଜ୍ରେ ଫଟୋ ଉଠାଇବାରୁ ପୃଥ୍ବୀରାଜ ତାକୁ ଅଲଗା ଅର୍ଥରେ ନେଇ ଯାଇଥିଲା। ତେଣୁ ସେ ଯୁବତୀଙ୍କୁ ଇନ୍ଷ୍ଟାରେ ଫଲୋ କରି ମେସେଜ୍ କରିବା ସହ ତାଙ୍କୁ ପିଛା କରିବା ଆରମ୍ଭ କରିଦେଇଥିଲା। ଗତ ମେ’ ୮ ତାରିଖ ଦିନ ଯୁବତୀଜଣଙ୍କ ପଢ଼ୁଥିବା ବିଶ୍ବବିଦ୍ୟାଳୟକୁ ଯାଇ ସେ ସେଠାରେ ତାଙ୍କୁ ପ୍ରେମ ନିବେଦନ କରିଥିଲା। କିନ୍ତୁ ଯୁବତୀଜଣଙ୍କ ରାଜି ନ ହେବାରୁ ସେ ରାଗିଯାଇ ସେଠାରୁ ଚାଲିଆସିଥିଲା। ପରେ, ସଂପର୍କ ନ ରଖିଲେ ଫଟୋଗୁଡ଼ିକ ଭାଇରାଲ୍ କରିଦେବ ବୋଲି କହି ଯୁବତୀଙ୍କୁ ବ୍ଲାକମେଲ୍ କରିଥିଲା। ଏ ସଂପର୍କରେ ଯୁବତୀଜଣଙ୍କ ଭରତପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।