ବ୍ଲାକ୍ ସ୍ପଟ୍‌ରେ ମୁକୁଳା୧୬ ନମ୍ବର ଜାତୀୟ ରାଜପଥ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା ତମାଣ୍ଡୋ ଓଭରବ୍ରିଜ୍‌ ନିକଟରେ ମୁକୁଳା ଛାଡ଼ି ଦିଆଯାଇଛି ନୂଆ କଟ୍‌। କଟ୍‌ ଅଛି ବୋଲି କୌଣସି ସୂଚନାଫଳକ ନାହିଁ କି ବ୍ଲିଙ୍କର ଲାଇଟ୍‌ ମଧ୍ୟ ନାହିଁ। ପୂରା ମୁକୁଳା ଛାଡ଼ି ଦିଆଯାଇଛି। ଫଳରେ ଯେକୌଣସି ମୁହୂର୍ତ୍ତରେ ଏଠାରେ ଭୟଙ୍କର ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି କୁହାଯାଉଛି। ବେପରୁଆ ଭାବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଭଳି ନୂଆ କଟ୍‌ ଖୋଲି ରାଜପଥରେ ଯାତ୍ରୀମାନଙ୍କୁ ମରଣମୁହଁକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି। ସେହିଭଳି କମିସନରେଟ୍‌ ପୁଲିସ ନିଜ କାନ୍ଧରୁ ଦାୟିତ୍ବ ଖସାଇବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସୂଚନାଫଳକ ଲଗାଇବାକୁ କେବଳ ଚିଠି ଲେଖି ବସି ପଡ଼ିଛି ବୋଲି ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ ତିନି ଦିନ ହେଲା ପାତ୍ରପଡ଼ା ‌କଳିଙ୍ଗନଗର ଛକସ୍ଥିତ କଟ୍‌କୁ ବନ୍ଦ କରି ତମା‌ଣ୍ଡୋ ଓଭରବ୍ରିଜ୍‌କୁ ଲାଗି ନୂଆ କରି ଏହି କଟ୍‌ ଖୋଲା ଯାଇଛି। କଳିଙ୍ଗନଗର ଛକରେ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଏହି କଟ୍‌ ଖୋଲା ଯାଇଛି ଓ କଳିଙ୍ଗନଗର ପୁରୁଣା କଟ୍‌କୁ ଅସ୍ଥ‌ାୟୀ ଭାବେ ମାଟି ପକାଇ ବନ୍ଦ କରି ଦିଆଯାଇଛି। ମାତ୍ର ନୂଆ କଟ୍‌ ବାବଦରେ ପୂର୍ବରୁ କାହାକୁ କିଛି ସୂଚନା ଦିଆଯାଇନଥିବାରୁ ସ୍ଥାନୀୟ କଳିଙ୍ଗନଗର, ତମାଣ୍ଡୋ ଓ ପାତ୍ରପଡ଼ା ଅଞ୍ଚଳର ଲୋକେ ଉକ୍ତ ପୁରୁଣା କଟ୍‌ ଡେଇଁ ଯାତାୟାତ କରୁଛନ୍ତି। ଫଳରେ ଉକ୍ତ ପୁରୁଣା କଟ୍‌ ଅଧିକ ଭୟଙ୍କର ହୋଇପଡ଼ିଛି। ଅନ୍ୟପକ୍ଷରେ ନୂଆ କଟ୍‌ ଖୋଲାଯାଇଥିବା ସ୍ଥାନରେ ରାଜପଥର ଓସାର କମ୍‌ ଥିବାରୁ ଭାରୀଯାନଗୁଡ଼ିକ ବୁଲିବା ବେଳେ ସମସ୍ୟାରେ ପଡ଼ୁଛନ୍ତି। ଏମିତିକି ଉକ୍ତ ସ୍ଥାନରେ ସର୍ଭିସ୍ ରୋଡ୍‌ ନଥିବାରୁ ବଡ଼ ଗାଡ଼ିଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି ହେଉଛି।

ମୁଖ୍ୟ ସମସ୍ୟା ହେଉଛି, ନୂଆ କଟ୍‌ଟି ତମାଣ୍ଡୋ ଓଭରବ୍ରିଜ୍‌ର ଠିକ୍ ଗଡ଼ାଣି ଶେଷମୁଣ୍ତ ବା ଉଠାଣି ଆରମ୍ଭରେ ଖୋଲାଯାଇଛି। ଫଳରେ ଖୋର୍ଧାରୁ ଭୁବନେଶ୍ବ ଦିଗରେ ଯାଉଥିବା ଗାଡ଼ିମାନଙ୍କ ବେଗ ସେଠାରେ ବେଶ୍ ଅଧିକ ରହୁଛି। ଏହି ଅବସ୍ଥାରେ ସୂଚନାଫଳକ ନଥିବାରୁ ଦୁର୍ଘଟଣା ଆଶଙ୍କା ଅଧିକ ରହୁଛି। ତେଣୁ ତିନି ଦିନ ହେଲା ଉକ୍ତ କଟ୍‌ ଖୋଲା ଯାଇଥିଲେ ବି କେହି ଭୟରେ ସେହି ରାସ୍ତା ଦେଇ ଯାତାୟାତ କରୁନାହାନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେବା ପୂର୍ବରୁ କମିସନରେଟ୍‌ ପୁଲିସ ଜରିଆରେ ଲୋକଙ୍କୁ ଅବଗତ କରିବାର ଥିଲା। ଏମିତିକି କଟ୍‌ ଖୋଲିବା ପରେ ସେଠାରେ ଟ୍ରାଫିକ୍ ପୁଲିସ ମୁତୟନ କରିବା ଜରୁରି। ମାତ୍ର ଉଭୟ ଏନ୍‌ଏଚ୍ କର୍ତ୍ତୃପକ୍ଷ ଓ କମିସନରେଟ୍‌ ପୁଲିସ ବଡ଼ ବେପରୁଆ ଭାବେ କଟ୍‌ ଖୋଲି ଲୋକଙ୍କୁ ମରଣମୁହଁକୁ ଠେଲି ବସି ପଡ଼ିଛନ୍ତି। ଏ ନେଇ ଭୁବନେଶ୍ବର ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କଳିଙ୍ଗନଗର କଟ୍‌ରେ ଅଧିକ ଦୁର୍ଘଟଣା ଘଟିବାରୁ ଏହି ନୂଆ କଟ୍ ଖୋଲାଯାଇଛି ଓ ସେଠାରେ ସମସ୍ତ ପ୍ରକାର ସୂଚନା ଫଳକ ତୁରନ୍ତ ଲଗାଇବାକୁ ଏନ୍‌ଏଚ୍ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ତେଣୁ ଖୁବ୍‌ଶୀଘ୍ର ସେଠାରେ ବାରିକେଡ୍‌ ଲଗାଯିବ ଓ କଟ୍‌କୁ ଦୁର୍ଘଟଣାମୁକ୍ତ କରିବାକୁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର