କଳା ଚା’ରୁ ମାଳ ବାଇଗଣ…ନିଆରା କିସମର ସାମଗ୍ରୀରେ ଭରପୂର ‘ମିସନ୍‌ ଶକ୍ତି ମେଳା’

ଭୁବନେଶ୍ବର: ନିୟମଗିରି ପର୍ବତରେ ଲଟେଇଥିବା ମାଳ ବାଇଗଣର ସ୍ବାଦ ନେବାକୁ ଏବେ ରାୟଗଡ଼ା ଯିବାକୁ ପଡ଼ିବନି କି ଦାର୍ଜିଲିଂ ବ୍ଲାକ୍‌ ଲିଫ୍‌‌ରେ ପ୍ରସ୍ତୁତ ଚା’ ପିଇବାକୁ ବି ଦାର୍ଜିଲିଂ ଯିବାକୁ ପଡ଼ିବନି। ସମ୍ପୂର୍ଣ୍ଣ ଦେଶୀୟ ଢାଞ୍ଚାରେ ଜୈବିକ ପଦ୍ଧତିରେ ଉତ୍ପାଦିତ ଏଇ ସବୁ ରକମର ଦରବ ଏବେ ମିଳି ପାରୁଛି ‘ମିସନ୍‌ ଶକ୍ତି ମେଳା’ରୁ। ବାସୁମତି ଚାଉଳଠୁ ନେଇ ଖଟା ଆମ୍ବୁଲର ବାସ୍ନା ଜଣଙ୍କୁ କ୍ଷଣେ ଅଟକି ଯିବାକୁ ବାଧ୍ୟ କରିବ। ଉପଲବ୍ଧ ଶିକାକାୟାର ଗୁଣ ଶୁଣିବା ପରେ କିଛି କିଣିନେବାକୁ ମନ ହାଇଁପାଇଁ ହେବ। କେବଳ ଖାଦ୍ୟ ନୁହେଁ, ଦେଶୀୟ କଳା କାରିଗରୀର ଆକର୍ଷଣ ବି ତା’ଆଡ଼କୁ ହାତ ଠାରି ଡାକିବ। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମିସନ୍‌ ଶକ୍ତି ମେଳା ରାଜଧାନୀବାସୀଙ୍କୁ ପ୍ରଥମଥର ପାଇଁ ଭେଟି ଦେଉଛି ଏଇଭଳି କିଛି ନିଆରା ଦରବ। ଖ‌ାଲି ଯେ ଏହା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ବ୍ୟବସାୟୀମାନଙ୍କୁ ବଜାର ଦେଇଛି ସେକଥା ନୁହେଁ, ବରଂ ରାଜଧାନୀବାସୀଙ୍କ ପାଟିରେ ଅପହଞ୍ଚ ଇଲାକାର ସ୍ବାଦ ବାଜିବାର ସୁଯୋଗ ସୃଷ୍ଟି କରିଛି।

ଚା’..ଆଃ… ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତିବିଶେଷ ବଜାରରୁ ଲିପ୍‌ଟନ କିମ୍ବା ଟେଟ୍‌ଲି କମ୍ପାନିର ଗ୍ରିନ୍‌-ଟି କିଣି ଅବଶ୍ୟ ଖାଉଥିବେ। ତେବେ ମିସନ ଶକ୍ତି ମେଳା କମ୍ପାନି ଦାମ୍‌ରୁ ଅଧା ଦରରେ ଭେଟି ଦେଉଛି ଗୁଣାତ୍ମକ ଗ୍ରିନ୍‌ ଟି ଲିଫ୍‌। ଖୋଲାରେ ବିନା ଦ୍ବିଧାରେ ଆପଣ ଏହି ପତ୍ରକୁ କିଣି ଚା’ ପ୍ରସ୍ତୁତ କରିପାରିବେ। ବଜାର ଦର ୧ କେଜି ପ୍ରତି ପାଖାପାଖି ୨ ହଜାରରୁ ୨୮ଶହ ମଧ୍ୟରେ ରହୁଥିବା ବେଳେ ଢେଙ୍କାନାଳର ସାଇଶ୍ରୀ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏହାକୁ ବହୁ କମ୍‌ ମୂଲ୍ୟରେ ଯୋଗାଇ ଦେଉଛି। ମଧୁମେହ, ଉଚ୍ଚ ରକ୍ତଚାପ ନିମନ୍ତେ ଏହା ବେଶ୍‌ ଉପକାରୀ ହୋଇଥିବା ବେଳେ ପତଳା ହେବା ପାଇଁ ଅନେକ ଏହି ଚା’ ପିଇଥାନ୍ତି। ଏଥିସହ ଦାର୍ଜିଲିଂ ବ୍ଲାକ୍‌-ଲିଫ୍‌ ଭଳି ଔଷଧୀୟ ଚା’ ମଧ୍ୟ ଏଠାରେ ଖୋଲାରେ ‌୧ କେଜିକୁ ୯ଶହ ଟଙ୍କାରେ ଉପଲବ୍ଧ ହେଉଛି। ଏଥିସହ ଆସାମରେ ସ୍ବତନ୍ତ୍ର ପଦ୍ଧତିରେ ଚାଷ ହେଉଥିବା ମାଜୱା ପତିରେ ପ୍ରସ୍ତୁତ ମସଲା ଚା’ ପତି ମଧ୍ୟ ଉପଲବ୍ଧ ହେଉଛି। ଅଦା, ଶୁଣ୍ଠି, ପିପଳି, ତେଜପତ୍ର, ଡାଳଚିନି, ଗୁଜୁରାତି, ଷ୍ଟାର୍, ଜାୟିତ୍ରୀ ଭଳି ୧୬ ପ୍ରକାର ମସଲାରେ ପ୍ରସ୍ତୁତ ଏହି ଚା’ ୮୪୦ ଟଙ୍କାରେ ମିଳୁଛି। ଏ ଧରଣର ପ୍ରସ୍ତୁତି ଚା’ ବେଶ୍‌ ସ୍ବାଦିଷ୍ଟ ବୋଲି ଗୋ‌ଷ୍ଠୀର ସୁପ୍ରିୟା ସ୍ବାଇଁ କହିଛନ୍ତି।

ନିୟମଗିରିର ଶିକାକାୟା: ବାଇଗଣ ମୁଖ୍ୟତଃ ଗଛରେ ଫଳେ ବୋଲି ସମସ୍ତେ ଜାଣିଥିଲେ ହେଁ ନିୟମଗିରି ପର୍ବତରେ ଲଟାଉଥିବା ମାଳ ବାଇଗଣ ବା ଇସ୍‌କସ୍‌ ଭେଟି ଦେଉଛି ରାୟଗଡ଼ାର ରମାବାଈ ସ୍ବୟଂ ସହାୟକ ଗୋଷ୍ଠୀ। ପିଜୁଳି ଭଳି ଦେଖାଯାଉଥିବା ଏହି ପରିବା ସମ୍ବର, ଘାଣ୍ଟ ତରକାରି, ଡାଲି, ଡାଲମା ଓ କାଞ୍ଜିର ସ୍ବାଦ ବଢ଼ାଏ ବୋଲି କହିଛନ୍ତି ସୁରେନ୍ଦ୍ର ବାକ୍ରି। ଏହା କେଜି ପ୍ରତି ୪୦ଟଙ୍କାରେ ବିକ୍ରି ହେଉଥିବା ‌ବେଳେ ଏହାକୁ କିଣିବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳୁଛି। ଏଥିସହ ରୁପି, ଉଙ୍କୁଣି ଦୂର ପାଇଁ ଉଦ୍ଦିଷ୍ଟ ଫଳ ଶିକାକାୟା ମଧ୍ୟ ବିକ୍ରି କରାଯାଉଛି। ନିୟମଗିରି ପର୍ବତରେ ଏହା ହେଉଥିବା ବେଳେ ଏଥିରୁ ହିଁ ବିଭିନ୍ନ ସାମ୍ପୋ ପ୍ରସ୍ତୁତ ହୁଏ। ସେହିପରି କଞ୍ଚା ହଳଦୀ ଓ ସପୁରୀ ସୁଲଭ ମୂଲ୍ୟରେ ମିଳୁ ଥିବାରୁ କିଣିବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି।

ଆମ୍ବୁଲ ମହକ…: କଞ୍ଚା ଆମ୍ବରେ ଲୁଣ, ଲଙ୍କା ପାଗ କରି ପ୍ରସ୍ତୁତ ହୋଇଥିବା ଆମ୍ବୁଲର ବାସ୍ନା ନାକରେ ବାଜିବା କ୍ଷଣି ପାଟି ଲାଳେଇ ଯାଉଛି। ଆମ୍ବିଳ, ମାଛ ତରକାରି ଓ ପଖାଳ କଂସା ନିକଟରେ ଆମ୍ବୁଲର ମଜା ନେଇଥିବା ଲୋକେ ଖୋଜିଖୋଜି ଆମ୍ବୁଲ ଷ୍ଟଲ୍‌ ପାଖରେ ପହଞ୍ଚି ଯାଉଛନ୍ତି। ସମ୍ବଲପୁର କୁଚିଣ୍ଡାର ମା’ ସନ୍ତୋଷୀ ଡାକୁଆ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଷ୍ଟଲ୍‌ରୁ ନେଇ ଦେବଗଡ଼ ଓ ଅନ୍ୟ କିଛି ଷ୍ଟଲ୍‌ରେ ଶୁଖିଲା ଆମ୍ବୁଲ ଅନେକଙ୍କୁ ଅଟକାଇ ଦେଉଛି। ଏଗୁଡ଼ିକ ପାଖାପାଖି ଦୁଇବର୍ଷ ପର୍ଯ୍ୟନ୍ତ ସାଇତା ରହିପାରିବ।

ସମ୍ବନ୍ଧିତ ଖବର